Odisha Link
Bridging the Missing Links in Odisha

ଅଖିଳ ଦିବସ ଅନୁଚିନ୍ତା

୧୯୮୦ରେ ରେଭେନ୍ସାରୁ ପାଠପଢ଼ା ସାରି ମୁଁ ‘ସମାବେଶ’ରେ କାମ ଆରମ୍ଭ କଲି। ଅଖିଳ ମୋହନ ସେତେବେଳକୁ ତାହାର ମୁଖ୍ୟ ସଂପାଦକ। ସେହି ‘ସମାବେଶ’ ସମୟରେ ୧୯୮୧ରେ ସେ ‘ଓ ଅନ୍ଧଗଳି’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ। ତାହାର ପରବର୍ଷ, ୧୯୮୨ ନଭେମ୍ବର, କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ)ଦିନ ତାଙ୍କର ଆକସ୍ମିକ ବିୟୋଗ ଘଟିଲା। ସେତେବେଳେ ତାଙ୍କର ଏକାଦଶାହ ଦିନ ପ୍ରକାଶ ପାଇଥିବା ‘ଅଖିଳ ସ୍ମାରକୀ ସମାବେଶ’ର ସଂପାଦନା ସହ ମୁଁ ପ୍ରତ୍ୟକ୍ଷ ଓ ସକ୍ରିୟ ଭାବେ ଜଡ଼ିତ ଥିଲି। ସେଥିପାଇଁ ରାତିଦିନ ଏକ କରି ଆମେ କାମ କରିଥିଲୁ। ତାହା ରାଉରକେଲାରେ ସେବର୍ଷ ଆୟୋଜିତ ଲେଖକ ସାମ୍ମୁଖ୍ୟର ସାହିତ୍ୟୋତ୍ସବରେ ଉନ୍ମୋଚିତ ହୋଇଥିଲା। ସେଦିନ ଭୋ୍‌ର୍ ୪ଟା ବେଳେ ସଂପାଦକ ଜଗଦୀଶ ପାଣି ତାହା ନିଜେ ନେଇ ଗୋଟିଏ ଭଡ଼ା ଟ୍ୟିକ୍ସିରେ ରାଉରକେଲା ଗଲେ ଏବଂ ଦିନ ୧୧ଟା ବେଳେ ସେଠି ପହଞ୍ଚିଲେ। ସେହି ଉଦଘାଟନ ସମ୍ଭବ ହୋଇପାରିଲା। ଜାନକୀବଲ୍ଲଭ ପଟ୍ଟନାୟକ ବୋଧହୁଏ ସେଦିନ ସଭାର ମୁଖ୍ୟ ଅତିଥି ଥିଲେ।

ଅଖିଳ ମୋହନଙ୍କ ବିୟୋଗର ପାଞ୍ଚବର୍ଷ ପରେ, ତାଙ୍କର ପ୍ରଥମ ଜନ୍ମଦିନକୁ ‘ଅଖିଳଦିବସ’ ରୂପେ ଆମେ ପାଳନ କରିଥିଲୁ। ସେ ନାଟକକୁ ଭଲ ପାଉଥିଲେ। ସେଥିପାଇଁ ତାଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପୂର୍ବରୁ, ତାଙ୍କ ପ୍ରେରଣାରେ ‘କଚ୍ଛପ ନାଟ୍ୟ ଆନ୍ଦୋଳନ’ ଗଢା ହୋଇଥିଲା। ତେଣୁ ପ୍ରଥମ ‘ଅଖିଳ ଦିବସ’ରେ ‘ଛାଇ’ ନାମରେ ନାଟକଟିଏ ବି ମଞ୍ଚସ୍ଥ ହୋଇଥିଲା। କପିଳାସ ଭୂୟାଁ ସେଥିରେ ସକ୍ରିୟ ଭୂମିକା ନେଇଥିଲେ।ଏବେ ତାହା ବିସ୍ମୃତ ଇତିହାସ।

ସେତେବେଳେ ‘ଅଖିଳ ଦିବସ’ରେ କଲେଜ ସ୍ତରରେ ଗଳ୍ପ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ବିବେଚିତ ଗଳ୍ପ ଓ ଗାଳ୍ପିକଙ୍କୁ ପୁରସ୍କୃତ କରାଯାଉଥିଲା। ସେହି ଅବସରରେ ‘ଅଖିଳେଷୁ’ ନାମରେ ଗୋଟିଏ ଛୋଟ ସ୍ମରଣିକା ବି ପ୍ରକାଶ ପାଉଥିଲା। ସେଥିରେ ପୁରସ୍କୃତ ଗଳ୍ପ, ଅଖିଳବାବୁଙ୍କ ଅପ୍ରକାଶିତ ବା ଦୁଷ୍ପ୍ରାପ୍ୟ ଲେଖା ଏବଂ ଅଖିଳବାବୁଙ୍କ ସଂପର୍କରେ ଅନ୍ୟମାନଙ୍କ ଲେଖା ପ୍ରକାଶ ପାଉଥିଲା। ତାହାର ନାଆଁ କପିଳାସ ଭୂୟାଁ ଦେଇଥିଲେ। ପ୍ରଥମ ସଂଖ୍ୟାର ପ୍ରସ୍ତୁତି ଦାୟିତ୍ଵ ମୋ ଉପରେ ଥିଲା ଏବଂ ସେଇଟିକୁ ମୁଁ ଏବେବି ସାଇତି ରଖିଛି।

ଅଖିଳବାବୁଙ୍କ ବିୟୋଗ ବେଳକୁ ତାଙ୍କର ଦୁଇଟି ଗଳ୍ପ ସଂକଳନ ପ୍ରକାଶ ପାଇଥିଲା। ପ୍ରଥମଟି ‘ଝଡର ଇଗଲ ଓ ଧରଣୀର କୃଷ୍ଣସାର’ ଏବଂ ଦ୍ବିତୀୟଟି ‘ଓ ଅନ୍ଧଗଳି’। ତୃତୀୟ ‘ନଦୀର ନାମ ଗଣତନ୍ତ୍ର’ ପରେ ପ୍ରକାଶ ପାଇଲା। ତାହା ତାଙ୍କ ମୃତ୍ୟୁ ପରେ କପିଳାସ ଭୂୟାଁ ‘ମ୍ୟୁଜ୍ ବୁକ୍ସ’ ପକ୍ଷରୁ ପ୍ରକାଶ କରିଥିଲେ। ଯେଉଁ ଦିନ ‘ସମ୍ବାଦ’ ପ୍ରଥମେ ପ୍ରକାଶ ପାଇଲା, ସେଦିନ (ଅକ୍ଟୋବର ୪, ୧୯୮୪) ଥିଲା ଗୁରୁବାର। ସେଦିନ ବି ଥିଲା ‘ସମ୍ବାଦ’ର ‘ସାହିତ୍ୟ’ ପୃଷ୍ଠାର ଦିନ। ସେହି ପ୍ରଥମ ଦିନର ପ୍ରଥମ ‘ସାହିତ୍ୟ’ ପୃଷ୍ଠାରେ ମୁଁ ‘ନଦୀର ନାମ ଗଣତନ୍ତ୍ର’ର ଏକ ସମୀକ୍ଷା ଲେଖିଥିଲି।

ତାହାର କିଛି ବର୍ଷ ପରେ ପ୍ରକାଶ ପାଇଥିଲା ଅଖିଳବାବୁଙ୍କର ଚତୁର୍ଥ ଓ ଶେଷ ଗଳ୍ପ ସଂକଳନ, ‘ପ୍ରଥମ ଓ ଶେଷ’ । ସେତେବେଳକୁ ମୁଁ ‘ସମାବେଶ’ରୁ ଆସି ‘ପ୍ରଜାତନ୍ତ୍ର’ରେ। ଦିନେ ହଠାତ୍ ଆସି ସେଠି ପହଞ୍ଚିଲେ ବିଭୂତି ପଟ୍ଟନାୟକ।ତାଙ୍କ ସାଙ୍ଗରେ ଥିଲେ କଣ୍ଡୁରୀ ଚରଣ ଦାସ। ସେମାନେ ତାହା ଛାପିବାକୁ ଚାହିଁଲେ। ସେଥିରେ ‘ଶଙ୍ଖ’ରେ ପ୍ରକାଶିତ ଅଖିଳ ବାବୁଙ୍କ ପ୍ରଥମ ଗଳ୍ପ ‘ସପନ’ ଓ ‘ସୁଚରିତା’ରେ ପ୍ରକାଶିତ ଶେଷଗଳ୍ପ ‘ସ୍ପାର୍ଟାକସ୍’ ଥିଲା। ତେଣୁ ତାହାର ନାଆଁ ‘ପ୍ରଥମ ଓ ଶେଷ’ ରଖାଗଲା।

ଅଖିଳବାବୁଙ୍କ ବିୟୋଗ ବେଳକୁ ସେ ‘ସମାବେଶ’ରେ ଲେଖୁଥିବା ‘ବାଘରାଣୀ ଖଇରୀ’ ଅସମାପ୍ତ ଥିଲା। ତାହାର ଶେଷ ଅଧ୍ୟାୟ ‘ଖଇରୀର ଶେଷ ଦିନଗୁଡିକ’ ମୁଁ ଲେଖି ତାହାକୁ ସଂପୂର୍ଣ୍ଣ କରିଥିଲି। ତାହାର ଆଧାର ଥିଲା ଖଇରୀକୁ ଝିଅ ପରି ପାଳିଥିବା ସରୋଜ ରାୟ ଚୈଧୁରୀଙ୍କ ଡାଏରି। ତାହାର ଅବଲମ୍ବନରେ ହିଁ ଅଖିଳବାବୁ ‘ବାଘରାଣୀ ଖଇରୀ’ ଲେଖୁଥିଲେ। ଅଖିଳବାବୁଙ୍କ ଭାଷା, ଭାବ ଓ ଶୈଳୀ ଅକ୍ଷୁଣ୍ଣ ରଖି ମୁଁ ତାହା ଲେଖିବାକୁ ଚେଷ୍ଟା କରିଥିଲି। ଯେଉଁମାନେ ମୁଖବନ୍ଧ ନପଡ଼ି ତାହା ପଢ଼ିଛନ୍ତି, ସେମାନେ ତାହା ଅଖିଳବାବୁ ଲେଖିନାହାନ୍ତି ବୋଲି ଜାଣି ପାରି ନାହାଁନ୍ତି।

ସେତେବେଳେ The Heritage ପତ୍ରିକାର ସଂପାଦନା କରୁଥିଲେ ମନୋଜ ଦାସ । ସେ ମୋ ଶେଷଲେଖା ସମେତ ଖଇରୀର ସବୁ ଲେଖାତକ ମଗାଇ ନେଇ ‘ହେରିଟେଜ୍’ ରେ ତାହାର ଏକ ଇଂରାଜୀ ସାରାନୁବାଦ ପ୍ରକାଶ କରିଥିଲେ। ପ୍ରଥମେ ‘ଇଷ୍ଟର୍ନ ମିଡିଆ’ରୁ ଏବଂ ପରେ ‘ଆମ ଓଡିଶା’ରୁ ତାହା ବହିରୂପେ ପ୍ରକାଶ ପାଇ ଖୁବ୍ ଆଦୃତ ହୋଇଛି।
ଯେଉଁ ଦିନ ‘ବାଘରାଣୀ ଖଇରୀ’ ‘କନକ ଟିଭି’ ରେ ଉନ୍ମୋଚିତ ହେଲା, ସେଦିନ ଖଇରୀ ପାଇଁ ନିଜକୁ ଉଜେଇଁ ଦେଇଥିବା ନୀହାର ନଳିନୀ ଦେବୀଙ୍କ ସାକ୍ଷାତକାର ଆମେ ତା’ ସହ ପ୍ରସ୍ତୁତ କରିଥିଲୁ। ତାହା ପ୍ରସ୍ତୁତ କରିଥିଲେ ନୀଳାମ୍ବର ରଥ। ନୀହାର ନଳିନୀ ଦେବୀ ଆଜି ବି ଭୁବନେଶ୍ବରରେ ଅଛନ୍ତି, କିନ୍ତୁ ତାଙ୍କୁ କେହି ଚିହ୍ନନ୍ତି ନାହିଁ।

ଅଖିଳବାବୁ ଯେଉଁଦିନ ନିଜେ ଗାଡ଼ି ଚଳାଇ ଅପରେସନ ପାଇଁ କଟକ ଗଲେ, ଏବଂ ଅପରେସନ ଟେବୁଲ୍ ଉପରେ ମରିଗଲେ, ସେଦିନ ତାଙ୍କ ସବୁଜ ତାରୁଣ୍ୟର ପ୍ରେମପତ୍ରର ସଂକଳନ ‘ଅନାଗତ ଫାଲଗୁନ’ର ହାତଲେଖା ମୁଖବନ୍ଧ ମୋ ହାତରେ ଦେଇ ଯାଇଥିଲେ। ସେଇ ହାତଲେଖା ମୁଖବନ୍ଧକୁ ନେଇ ସେ ବହି ତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଥିଲା।

‘ବାଘରାଣୀ ଖଇରୀ’ର ରେଖାଚିତ୍ର ସବୁ ସେଦିନ ଛନ୍ଦା ଆଚାର୍ଯ୍ୟ ଓ ‘ଅନାଗତ ଫାଲଗୁନ’ର ରେଖାଚିତ୍ର ସବୁ ଅସୀମ ବସୁ ଆଙ୍କିଥିଲେ।

‘ବାଘରାଣୀ ଖଇରୀ’ର ପ୍ରକାଶ ବେଳକୁ ଜ୍ଞାନଦା ପଟ୍ଟନାୟକ(ମାଉସୀ) ଜୀବିତ ଥିଲେ। ସେ ତାହାର ମୁଖବନ୍ଧରେ ଲେଖିଛନ୍ତି, ମୋ ଉପରେ ଓ ମୋର ସେଦିନର ବନ୍ଧୁ ପ୍ରଦୀପ୍ତଙ୍କ ଉପରେ ସେ ପୁତ୍ରବତ୍ ସମସ୍ତ ଅଧିକାର ସେତେବେଳେ ନ୍ୟସ୍ତ କରୁଥିଲେ।

ଅଖିଳବାବୁଙ୍କ ମୃତ୍ୟୁ ପରେ ଏବଂ ‘ସମାବେଶ’ ଛାଡ଼ିବା ଆଗରୁ, ମୁଁ ‘ସମାବେଶ’ର ସଂପାଦକୀୟ, ସେଥିରେ ସେ ଲେଖୁଥିବା ‘କଚ୍ଛପୀୟ’, ଅଧା ରହିଯାଇଥିବା ଡିଟେକ୍ଟିଭ୍ ଉପନ୍ୟାସ ‘ସୁନ୍ଦରବନରେ ହତ୍ୟାର ବିଭୀଷିକା’ ଓ ‘ବାଲ୍ମିକୀ ରାମାୟଣର ସାରାନୁବାଦ’ ଆଦି ସବୁ ଲେଖାକୁ ଏକାଠି କରି ଜ୍ଞାନଦା ମାଉସୀଙ୍କୁ ଦେଇଆସିଥିଲି। ଏ ସମ୍ପର୍କରେ ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ସେତେବେଳେ ଭୁବନେଶ୍ବରରେ ରହୁଥିବା ନାଟ୍ୟକାର ଗୋପାଳ ଛୋଟରାୟ ‘ବାଘରାଣୀ ଖଇରୀ’ ପରି, ‘ବାଲ୍ମିକୀ ରାମାୟଣର ସାରାନୁବାଦ’କୁ ପୂର୍ଣ୍ଣାଙ୍ଗ କରିବାକୁ ଚାହିଁଥିଲେ ଓ ସେଥିପାଇଁ ମୋର ସହଯୋଗ ଲୋଡିଥିଲେ। କିନ୍ତୁ ଶେଷ ସୁଦ୍ଧା ତାହା ସମ୍ଭବ ହୋଇପାରିନଥିଲା।

ସେତେବେଳେ ସଂକଳିତ ହୋଇନଥିବା ଅଖିଳବାବୁଙ୍କ ଲେଖାଗୁଡ଼ିକ ସହିତ, ବହୁବର୍ଷ ତଳେ ସେ ‘ଝଙ୍କାର’ରେ ଲେଖିଥିବା ଦୁଇଟି ଆତ୍ମଜୀବନୀମୂଳକ ଲେଖା, ଏଯାଏ ଅସଂକଳିତ କେତୋଟି ଗପ (ଯଥା ହାତଲେଖା ‘କୁଙ୍କୁମ’ ରେ ପ୍ରକାଶିତ ଗଳ୍ପ) ଏବଂ ତାଙ୍କର ଟିପାଖାତା ଆଦିକୁ ନେଇ ଗୋଟିଏ ଶେଷ ବହି ପ୍ରସ୍ତୁତ କରିବାର ଇଚ୍ଛା ମୋର ଥିଲା। ତାହାର ନାଆଁ ରହିଥାଆନ୍ତା ‘ଅବଶିଷ୍ଟ ଅଖିଳମୋହନ’। ସେକଥା ତାଙ୍କ ଘର ଓ ଫାଉଣ୍ଡେସନ ସହ ସଂପୃକ୍ତ ପ୍ରାୟ ସମସ୍ତଙ୍କୁ ବହୁବାର କହିଛି । ପ୍ରତିବର୍ଷ ଜନ୍ମଦିନରେ ବି କହିଆସୁଛି। କିନ୍ତୁ କିଛି ଫଳ ହେଉନାହିଁ। କୋର୍ଟ କାଗଜପତ୍ର ପରି ନାଲି ସାଲୁକନାରେ ବନ୍ଧା ଥିବା ସେଇ ଲେଖାଗୁଡ଼ିକ ଆଜି କି ଅବସ୍ଥାରେ ଅଛି ମୁଁ ଜାଣେ ନାହିଁ।

ହଁ, ମଝିରେ ଥରେ ମୋଠୁ କିଛି ଲେଖା ନେଇ ଏମିତି ଏକ ଜନ୍ମଦିନ ଅବସରରେ କେଦାର ମିଶ୍ର ‘ଅନୁପମ ଭାରତ’ରେ ଏକ ପୂରା ପୃଷ୍ଠା ପ୍ରକାଶ କରିଥିଲେ। ସେଇ ପୃଷ୍ଠାଟି ସେଦିନ ଖୁବ୍ ଆଦୃତ ହୋଇଥିଲା।

ଦୀର୍ଘ ବର୍ଷର ବିରତି ପରେ, ଏବେ ଅଖିଳମୋହନଙ୍କ ସମଗ୍ର ଗଳ୍ପ ‘ଅଖିଳାୟନ’ ମୋ ଆଗ୍ରହ ଫଳରେ ‘ଆମ ଓଡିଶା’ ପକ୍ଷରୁ ସୁଦୃଶ୍ୟ ଭାବେ ପ୍ରକାଶ ପାଇଛି। କିନ୍ତୁ ତାଙ୍କ ପ୍ୟାରିସ୍ ଭ୍ରମଣ ବୃତ୍ତାନ୍ତ ‘ଅନ୍ୟ ଦେଶ’ ଓ ‘ଅନାଗତ ଫାଲଗୁନ’ ଏବେ ଦୁଷ୍ପ୍ରାପ୍ୟ। ସେଦିଗରେ କିନ୍ତୁ କାହାରି ଧ୍ୟାନ ନାହିଁ। ଫଳରେ ଅଖିଳବାବୁ ଆଜି କେବଳ ଜଣେ ଗାଳ୍ପିକର ପରିଚୟ ଭିତରେ ସୀମିତ ହୋଇ ରହିଯାଇଛନ୍ତି।

ଅଖିଳବାବୁ କେବଳ ଜଣେ ଗାଳ୍ପିକ ନଥିଲେ। ସେ ବିଭିନ୍ନ ସମୟରେ ବିଭିନ୍ନ ସୃଜନଶୀଳ ବିଭାଵରେ ନିଜର ଶକ୍ତି ଓ ସିଦ୍ଧିର ପରୀକ୍ଷା କରୁଥିଲେ। ଯେତେବେଳେ ଯାହା ହେବାକୁ ଚାହୁଁଥିଲେ, ସେ ବାବଦରେ ପ୍ରଚୁର ପଢ଼ାପଢ଼ି ଓ ନୋଟ୍ କରୁଥିଲେ। ତାହାର ବହୁ ବିବରଣୀ ତାଙ୍କ ନୋଟ୍ ଖାତା ଗୁଡିକରେ ଅଛି। ତାହା ଦର୍ଶାଏ, ଗାଳ୍ପିକ ଅଖିଳ ମୋହନଙ୍କ ତଳେ ଆହୁରି ଅନେକ ଅଖିଳମୋହନ ପୋତି ହୋଇ ରହିଛନ୍ତି। ତାହାର ନିଦର୍ଶନ ତାଙ୍କ ଟିପାଖାତାରୁ ଉଦ୍ଧାର କରିବାର ଗୁରୁତ୍ବପୂର୍ଣ୍ଣ ପ୍ରୟୋଜନ ରହିଛି। କିନ୍ତୁ ମନେହେଉଛି, ତାହା ଶେଷଯାଏ ଅନୁଦଘାଟିତ ହୋଇ ରହିଯିବ।

ଅଖିଳମୋହନଙ୍କ ୯୦ତମ ଜନ୍ମଦିନ ଅବସରରେ ଏହା ହିଁ ମୋର ସବୁଠୁ ବଡ଼ ଦୁଃଖ।

(୨୦୧୮ ମସିହା ଡିସେମ୍ବର ୧୮ ତାରିଖରେ ଅଖିଳ ମୋହନ ପଟ୍ଟନାୟକଙ୍କ ୯୦ତମ ଜୟନ୍ତୀ ତିଥିରେ ଏ ଅ‍ାଲେଖଟି ଲେଖାଯାଇଛି। ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ‘ଅଖିଳ ଉତ୍ସବ’ ଭାବରେ ପାଳନ କରାଯାଏ।)

Comments are closed.