Odisha Link
Bridging the Missing Links in Odisha

୨୦୧୯ ନିର୍ବାଚନକୁ ପ୍ରଭାବିତ କରିପାରେ ଏଇ ୮ ସିନେମା

ଭୁବନେଶ୍ବର: ଦେଶ ସାରା ଏବେ ନିର୍ବାଚନୀ ଉଷ୍ମତା ବେଶ୍‌ ବାରି ହୋଇ ପଡ଼ୁଥିବା ବେଳେ ଏଥିରେ ଘିଅ ଢାଳିବାକୁ ସଜବାଜ ହେଉଛି ସିନେମା ହଲ୍। ୨୦୧୯ରେ ଓଡ଼ିଆ ସିନେମା ଠାରୁ ଆରମ୍ଭ କରି ବଲିଉଡ୍‌ ଯାଏଁ ଏମିତି କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି, ଯାହା ଭୋଟରଙ୍କ ଭାବାବେଗକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ। ବିଭିନ୍ନ ଭାରତୀୟ ଭାଷାରେ ଏଇଭଳି ୧୦ଟି ସିନେମାକୁ ନେଇ ଆମର ଉପସ୍ଥାପନା। ଏଥି ମଧ୍ୟରୁ ୯ଟି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଜୀବନୀ-ଆଧାରିତ (ବାୟୋପିକ୍) ହୋଇଥିବା ବେଳେ ଓଡ଼ିଆ ସିନେମାଟି ଏକ କାଳ୍ପନିକ କାହାଣୀ ଆଧାରିତ ଯେଉଁଥିରେ କିଛି ସମସାମୟିକ ସତ୍ୟ ଓ ତଥ୍ୟ ମଧ୍ୟ ଉପସ୍ଥାପିତ ହୋଇଛି।

ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ମିନିଷ୍ଟର

୨୦୧୯ ଜାନୁଆରୀ ୧୧ ତାରିଖରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ମିନିଷ୍ଟର ଦେଶର ରାଜନୈତିକ ପ୍ରେକ୍ଷାପଟରେ ଏବେ ସବୁଠୁ ଚର୍ଚ୍ଚିତ ଚଳଚ୍ଚିତ୍ର। ଅବସରପ୍ରାପ୍ତ ପ୍ରଶାସକ ସଂଜୟ ବାରୁଙ୍କ ସମାନ ନାମରେ ପ୍ରକାଶିତ ସ୍ମୃତିପୁସ୍ତକର କାହାଣୀ ଆଧାରରେ ଏ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ଉଭୟ ଇଂରାଜ ଓ ହିନ୍ଦୀ ଭାଷାରେ ନିର୍ମିତ ଏ ସିନେମାରେ ମୁଖ୍ୟ ଭୂମିକାରେ ଅନୁପମ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦଶିତ ଏ ସିନେମାଟି କଂଗ୍ରେସ ଦଳ ଓ ମନମୋହନ ସିଂହଙ୍କୁ ଠିକ ଭାବରେ ଉପସ୍ଥାପନା କରାଯାଇନାହିଁ ବୋଲି ଦଳ ଅଭିଯୋଗ କରିଛି। ଏହି ସିନେମାରେ ସଂଜୟ ବାରୁ ଭୂମିକାରେ ଅକ୍ଷୟ ଖନ୍ନା, ସୋନିଆ ଗାନ୍ଧୀ ଭୂମିକାରେ ସୁଜାନେ ବଣ୍ଣଟ୍, ରାହୁଲ ଗାନ୍ଧୀ ଭୂମିକାରେ ଅର୍ଜୁନ ମାଥୁର, ପ୍ରିୟଙ୍କା ଗାନ୍ଧୀ ଭୂମିକାରେ ଆହନା କୁମ୍ରା, ଲାଲୁ ଯାଦବ ଭୂମିକାରେ ବିମଲ ବର୍ମା, ଲାଲକୃଷ୍ଣ ଆଡ଼ଭାନୀ ଭୂମିକାରେ ଅବତାର ସାଇନି, ନରସିଂହ ରାଓ ଭୂମିକାରେ ଅଜିତ ସାତଭାଇ ଓ ଶିବରାଜ ପାଟିଲ ଭୂମିକାରେ ଅନୀଲ ରସ୍ତୋଗୀଙ୍କୁ ଦେଖିବାକୁ ମିଳିବ।

ନରେନ୍ଦ୍ର ମୋଦି

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ମଧ୍ୟ ଏକ ବଲିଉଡ୍‌ ସିନେମା ୨୦୧୯ରେ ମୁକ୍ତିଲାଭ କରିବାର ସୂଚନା ରହିଛି। ପରେଶ ରାଓ୍ବଲଙ୍କୁ ଏଥିରେ ମୋଦୀ ଭୂମିକାରେ ଦେଖିବାକୁ ମିଳିବ। ସିନେମାଟି ବାବଦରେ ବେଶି କିଛି ତଥ୍ୟ ନଥିଲେ ହେଁ କିଛି ମାସ ତଳେ ନିଜେ ପରେଶ ଏ ନେଇ ଦର୍ଶକଙ୍କୁ ନିଶ୍ଚିତ କରିଥିଲେ। ଏପରିକି ଅଭିନୟକୁ ଅଧିକ ଜୀବନ୍ତ କରିବା ପାଇଁ ସେ ମୋଦୀଙ୍କୁ ବାରମ୍ବାର ଭେଟି ତାଙ୍କ ଠାଣିମାଣି ନକଲ କରିବାକୁ ଚେଷ୍ଟା କରୁଥିବା ସୂଚନା ଦେଇଥିଲେ। ୧୯୯୪ରେ ସର୍ଦ୍ଦାର ଚଳଚ୍ଚିତ୍ରରେ ପରେଶ ସର୍ଦ୍ଦାର ବଲ୍ଲଭ ଭାଇ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ଇନ୍ଦିରା ଗାନ୍ଧୀ

ଲୌହମାନବୀ ଭାବେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ ଆଧାରରେ ମଧ୍ୟ ଏକ ହିନ୍ଦୀ-ଇଂରାଜୀ ଭାଷାର ସିନେମା ନିର୍ମିତ ହେଉଛି। ଏଥିରେ ବିଦ୍ୟା ବାଲାନ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ସାଗରୀକା ଘୋଷଙ୍କ ଲିଖିତ ଇନ୍ଦିରା: ଇଣ୍ଡିଆସ୍‌ ମୋଷ୍ଟ ପାଓ୍ବରଫୁଲ ପ୍ରାଇମ୍‌ମିନିଷ୍ଟର ପୁସ୍ତକ ଆଧାରରେ ନିର୍ମିତ ଏ ଚଳଚ୍ଚିତ୍ରଟି ସୋନୀ ସ୍କ୍ରିଉବାଲାଙ୍କ ଦ୍ବାରା ନିର୍ମିତ ହେଉଛି। ତେବେ ଅନ୍ୟ ସିନେମା ଭଳି ଏହା ପ୍ରେକ୍ଷାଳୟ ପରଦାକୁ ଆସିବ ନାହିଁ, ବରଂ ଏକ ଓ୍ବେବ୍‌ ସିରିଜ୍‌ ଭାବରେ ମୁକ୍ତିଲାଭ କରିବ।

ଠାକରେ

ମରାଠୀ ନେତା ଓ ଶିବସେନା ରାଜନୈତିକ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜୀବନୀକୁ ନେଇ ନିର୍ମିତ ଏ ଚଳଚ୍ଚିତ୍ରରେ ନଓ୍ବାଜୁଦ୍ଦିନ ସିଦ୍ଦିକ୍‌ଙ୍କୁ ଠାକରେଙ୍କ ଭୂମିକାରେ ଦେଖିବାକୁ ମିଳିବ। ଅଭିଜିତ ପାନ‌ସେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଠାକରେଙ୍କ ୯୩ ତମ ଜନ୍ମତିଥି ୨୦୧୯ ଜାନୁଆରୀ ୨୫ ତାରିଖରେ ମୁକ୍ତିଲାଭ କରିବ। ସିଦ୍ଦିକ୍‌ଙ୍କ ଅଭିନୟକୁ ନେଇ ସିନେମାଟି ମୁକ୍ତିଲାଭ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଛି।

ନିମ୍‌କି

ଓଡ଼ିଆ ଚଳଚ୍ଚିତ୍ର ନିମ୍‌କି ଏକ କାଳ୍ପନିକ କାହାଣୀ ହେଲେ ହେଁ ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ଝଲକ ଦେଖିବାକୁ ମିଳିବ। ସୁଶାନ୍ତ ମଣିଙ୍କ ଲିଖିତ-ନିର୍ଦ୍ଦେଶିତ ଏହି ସିନେମାଟିର ଉପନାମ (ଟ୍ୟାଗ୍‌ ଲାଇନ୍) ରହିଛି ନିମପୁରରୁ ନବୀନ ନିବାସ। ଜଗତସିଂହପୁର ଜିଲ୍ଲାର ଏକ ଅଖ୍ୟାତ କାଳ୍ପନିକ ଗ୍ରାମ ନିମପୁର ହୋଇଥିବା ବେଳେ ନବୀନ ନିବାସ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନ। ଜଣେ ସାଧାରଣ ମହିଳା ମୁଖ୍ୟମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଉଦ୍‌ବୁଦ୍ଧ ହୋଇ ତାଙ୍କୁ ଭେଟିବା ଲାଗି ଗାଁରୁ ଭୁବନେଶ୍ବର ଆସିବାର କାହାଣୀ ହେଉଛି ନିମ୍‌କି। ଏଥିରେ ମୁଖ୍ୟ ଚରିତ୍ର ନିମ୍‌କି ଭଳମିକାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିବ।

ଯାତ୍ରା

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ଜୀବନୀ ଆଧାରିତ ତେଲୁଗୁ ଚଳଚ୍ଚିତ୍ର ଯାତ୍ରା ୨୦୧୯ ଫେବ୍ରୁଆରୀ ୮ ତାରିଖରେ ମୁକ୍ତିଲାଭ କରୁଛି। ମାହି ରାଘବ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରସିଦ୍ଧ ତେଲୁଗୁ ଅଭିନେତା ମାମୁଥି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସିନେମା ମୁକ୍ତିଲାଭ ପୂର୍ବରୁ ଏହାର ଥିମ୍‌ ସଂଗୀତ ସମର ଶଙ୍ଖମ୍‌ ତେଲୁଗୁ ଶ୍ରୋତାଙ୍କୁ ମତୁଆଲା କରି ସାରିଲାଣି।

ଉଦ୍ୟମ ସିଂହମ୍

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କଲଭାକୁନ୍ତଳ ଚନ୍ଦ୍ରଶେଖର ରାଓ ବା କେସିଆରଙ୍କ ଜୀବନ ଆଧାରିତ ଉଦ୍ୟମ ସିଂହମ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଆଲୁରି କୃଷ୍ଣମ୍‌ ରାଜୁ। ଗତ ମାସରେ ଏହାର ପ୍ରଥମ ଟିଜର ରିଲିଜ୍‌ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପରଦାକୁ ଆସିବ ବୋଲି ଆଶା କରାଯାଉଛି।

ଦ ଆଇରନ୍‌ ଲେଡି

ଏ ପ୍ରିୟଦର୍ଶିନୀଙ୍କ ନିର୍ଦ୍ଦେଶିତ ଦ ଆଇରନ୍‌ ଲେଡି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ। ତେବେ ଖବର ଅନୁସାରେ ଜୟଲଳିତାଙ୍କ ଉପରେ ବର୍ତ୍ତମାନ ଏକକାଳୀନ ତିନୋଟି ସିନେମା ପ୍ରସ୍ତୁତ ହେଉଛି।

Comments are closed.