Odisha Link
Bridging the Missing Links in Odisha

ଫେବ୍ରୁଆରୀ ୧୪ରେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ବିତରଣ ଉତ୍ସବ

୧୨ ଜଣ ପାଇବେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୮
ପ୍ରଥମ ଥର ପାଇଁ ହିନ୍ଦୀ ଓ ଇଂରାଜୀ ଭାଷାର ଲେଖକ ସାମିଲ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାର ୨୦୧୮ ସଂସ୍କରଣ ଲାଗି ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି। ୧୦ ଜଣ ଯୁବ ଓଡ଼ିଆ ଲେଖକଙ୍କ ସମେତ ପ୍ରଥମ ଥର ପାଇଁ ଯଥାକ୍ରମେ ହିନ୍ଦୀ ଓ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରୁଥିବା ଦୁଇଜଣ ଲେଖକଙ୍କୁ ପୁରସ୍କାର ତାଲିକାରେ ସାମିଲ କରାଯାଇଛି ବୋଲି ପେନ୍ ଇନ୍ ବୁକ୍ସର ନିଦେ୍ର୍ଦଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

ଓଡ଼ିଆ ଭାଷା ନିମନ୍ତେ ୨୦୧୮ ମସିହା ପାଇଁ ପେନ୍ ଇନ୍ ଯୁବ ଲେଖକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଲେଖକମାନେ ହେଲେ ‘ଗୁଡ଼ାଏ ପ୍ରଶ୍ନ’ କବିତା ସଂକଳନ ପାଇଁ ନରେଶ କୁମାର ବେହେରା, ‘ଜୀବନର ସନ୍ଧାନରେ’ କବିତା ସଂକଳନ ପାଇଁ ଆଶୁତୋଷ ଆଚାର୍ଯ୍ୟ, ‘ପାନପତ୍ର ଓ ସମୁଦ୍ର ମୁହାଣ’ କବିତା ସଂକଳନ ପାଇଁ ଶ୍ରୀ ଗୋବିନ୍ଦ, ‘ପ୍ରାୟଶ୍ଚିତ’ ଗଳ୍ପ ସଂକଳନ ପାଇଁ ଗୀତାଞ୍ଜଳି ମହାରଣା, ‘କୁହୁଡ଼ିର ହାତଧରି’ କବିତା ସଂକଳନ ପାଇଁ ଚକ୍ରଧର ପାତ୍ର, ‘ସୁମୁଦ୍ରେ ଶୋଷ’ କବିତା ସଂକଳନ ପାଇଁ ଡାକ୍ତର ପ୍ରତୁ୍ୟଷ ମିଶ୍ର, ‘ବ୍ୟଙ୍ଗ ବାରୁଦ’ ହାସ୍ୟବ୍ୟଙ୍ଗ କବିତା ସଂକଳନ ପାଇଁ ‘ଗିରୀଶ ରଂଜନ’, ‘ଦୃଶ୍ୟପଟ୍ଟ’ ପ୍ରବନ୍ଧ ସଂକଳନ ପାଇଁ ସାର୍ଥକ ପ୍ରଧାନ, ‘ସ୍ୱପ୍ନ ଯେଉଁଠି ହାରିଯାଏ’ କବିତା ସଂକଳନ ପାଇଁ ସିପୁନୁ ଜେନା ଏବଂ ‘ଆଜି ଓ ଆଉକିଛି କବିତା’ କବିତା ସଂକଳନ ପାଇଁ ଦେବଦତ୍ତ ମିଶ୍ର।

ଚଳିତ ବର୍ଷ ହିନ୍ଦୀ ଓ ଇଂରାଜୀ ଭାଷାର ଦୁଇଟି ପାଣ୍ଡୁଲିପି ମଧ୍ୟ ପୁରସ୍କାର ତାଲିକାରେ ସାମିଲ ହୋଇଛି। ହିନ୍ଦୀ କବିତା ସଂକଳନ ‘ଜିଗୀଷା’ ପାଇଁ ରିଙ୍କୁ ଟଙ୍କ୍ ଏବଂ ଇଂରାଜୀ କବିତା ସଂକଳନ ‘ଟି ଅଫ୍’ ପାଇଁ ଶୁଭଲକ୍ଷ୍ମୀ ସେନାପତି ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୮ ପାଇବେ।

ପୁରସ୍କାର ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ୨୦୧୭ ମସିହା ଠାରୁ ଏହି ପୁରସ୍କାର ୪୦ ବର୍ଷରୁ କମ୍ ବୟସର ଦଶ ଜଣ ଓଡ଼ିଆ ଲେଖକଙ୍କୁ ଦିଆଯାଉଛି। ୨୦୧୮ ଠାରୁ ହିନ୍ଦୀ ଓ ଓଡ଼ିଆ ଭାଷାର ଲେଖକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଚଳିତ ସଂସ୍କରଣ ପାଇଁ ଗତ ବର୍ଷ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା। ମୋଟ ୭୬ଟି ପାଣ୍ଡୁଲିପି ମଧ୍ୟରୁ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ଉପରୋକ୍ତ ୧୨ଟି ଚୟନ କରାଯାଇଛି। ନୂଆ ଓ ପ୍ରତିଶ୍ରୁତିସମ୍ପନ୍ନ ଲେଖକମାନଙ୍କୁ ପ୍ରୋତ୍ସାହନ ଦେବା ସହ ଆମର ବିଶାଳ ପାଠକ ଗୋଷ୍ଠୀ ପାଖରେ ପରିଚିତ କରାଇବା ଲକ୍ଷ୍ୟରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଆସନ୍ତା ଫେବ୍ରୁଆରୀ ୧୪ ତାରିଖରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ପରେ ଏ ସମସ୍ତ ପାଣ୍ଡୁଲିପି ପେନ୍ ଇନ୍ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Comments are closed.