Odisha Link
Bridging the Missing Links in Odisha

ମୁଖିଅ‍ା ତ ବୁଝିବେ ନାହିଁ, ଜନତାଙ୍କୁ ପଚାରେ କିଏ?

ଭୁବନେଶ୍ବର: ଓଡ଼ିଅ‍ା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ଏବଂ ଏ ଭାଷାକୁ ରାଜ୍ୟର ଶାସନର ଭାଷା କରିଛନ୍ତି ବୋଲି ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବା ବେଳେ, ଅସଲରେ ଭାଷା ଏ ସରକାର ଅମଳରେ ସବୁଠୁ କାନ୍ତାରରେ ପଡ଼ିଛି।

ନାମକୁ ମାତ୍ର ଭାଷା ପ୍ରୀତି ଦେଖାଉଥିବା ସରକାର ଭାଷା ପ୍ରତି କାଣିଚାଏ ବି ଅ‍ାଗ୍ରହ ଦେଖାଉନାହାନ୍ତି। ବରଂ ଭାଷାକୁ ଅପଭ୍ରଂଶ, ତ୍ରୁଟିପୂର୍ଣ୍ଣ ଓ ଅଣଦେଖା କରିବାରେ ବର୍ତ୍ତମାନର ସରକାରୀ କଳ ସମସ୍ତଙ୍କୁ ପଛରେ ପକାଇଦେଇଛି।

ଯେ ହେତୁ ରାଇଜ ମୁଖିଅ‍ା ରାଜ୍ୟର ଭାଷା ବୁଝନ୍ତି ନାହିଁ, ସେ ତ୍ରୁଟି ମଧ୍ୟ ଧରିପାରିବେ ନାହିଁ। ଯାହା ପାଖରେ ଦଣ୍ଡିବା ଶକ୍ତି ଅଛି, ସେ ଯେତେବେଳେ ନିଜେ ଓଡ଼ିଅ‍ା-ଅଜ୍ଞ ତେଣିକି ପ୍ରଶାସନର ବା ସରକାରୀ କଳର ଚିନ୍ତା ନାହିଁ। ସାଧାରଣ ଲୋକଙ୍କ ଅ‍ାଖିରେ ଭାଷା ତ୍ରୁଟି ଜଳଜଳ ଦିଶୁଥିଲେ ହେଁ, ସେମାନଙ୍କ ପ୍ରତି ସରକାରଙ୍କର ତିଳେ ହେଁ ନିଘା ନାହିଁ।

ଇଂରାଜୀ ହରଫରେ ତ୍ରୁଟିଶୂନ୍ୟ ଭାବରେ ଓଡ଼ିଅ‍ା ଭାଷା ସମ୍ପର୍କିତ ଅ‍ାତ୍ମପ୍ରଶସ୍ତିର ଛାପାକାଗଜ ମୁଖ୍ୟମନ୍ତ୍ରୀଙ୍କୁ ଧରେଇଦେବା ପରେ ତେଣିକି ରାଇଜ ସାରା ଭାଷାର ଇଜ୍ଜତ ଲୁଟ ହେଲେ ବି ସରକାରଙ୍କର କିଛି ଯାଏଅ‍ାସେନା। ନାମକୁ ମାତ୍ର ଭାଷା ସାହିତ୍ୟ ବିଭାଗଟିଏ ହାେଇଥିଲେ ହେଁ ସେହି ବିଭାଗରେ ବେଶି ଭାଷା ତ୍ରୁଟି ବେଶ୍ ପରିତାପର ବିଷୟ।

ପ୍ରତିଦିନ ଏଭଳି ଭାଷା ତ୍ରୁଟି ଖବରକାଗଜ, ସରକାରୀ ନଥି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଦେଖି ରାଜ୍ୟର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ କୁହୁଳିବା ସହ କାଁ ଭାଁ ପ୍ରତିବାଦ ହେଉଥିଲେ ହେଁ ସରକାରୀ କଳ ଏବେ ଭୋଟ ଭିଡ଼ିବାରେ ବ୍ୟସ୍ତ।

ଅସଂଖ୍ୟ ଉଦାହରଣ ଥିଲେ ହେଁ, ସରକାରୀ କଳରେ ଭାଷା ତ୍ରୁଟିର କେତୋଟି ନମୁନା ଏଇଠି ଦିଅ‍ାଗଲା।

ଗତକାଲି ମୁଖ୍ୟମନ୍ତ୍ରୀ କାଳିଅ‍ା ଯୋଜନାର ଶୁଭାରମ୍ଭ କରିଥିବା ବେଳେ ସଭାରେ ଅଂଶଗ୍ରହଣକାରୀ ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଟୋପିରେ ପୁଞ୍ଜା ପୁଞ୍ଜା ତ୍ରୁଟି। ଟୋପି ଉପରେ ‘କୃଷି କଲେ ଉନ୍ନତି ସକଳ ଉନ୍ନତ’ ବଦଳରେ ‘କଷି କଲେ ଉନତ ସକଳ ଉନତି’ ବୋଲି ଲେଖାଯାଇଛି।

ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଐତିହ୍ୟ ଦିବସ ପାଳନ ବେଳେ ‘ଅ‍ାଗାମୀ‘କୁ ‘ଅ‍ାଗାମି’ ଓ ‘ପିଢ଼ି’କୁ ‘ପିଢ଼ୀ’ ବୋଲି ଉଲ୍ଲେଖ ଥିଲା। ମୁଖ୍ୟମନ୍ତ୍ରୀଙ୍କ ନୂଅ‍ାଖାଇ ବିଜ୍ଞାପନରେ ନୂଅ‍ା ବଦଳରେ ‘ନୁଅ‍ା’ ବୋଲି ଉଲ୍ଲେଖ ରହିଛି।

ସବୁକୁ ବଳି ଯାଇଥିଲା ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର ତ୍ରୁଟି। ଗତ ଜୁନ୍ ମାସରେ ଓଡ଼ିଅ‍ା ଭାଷାର ଅନୁବାଦ କରିବା ବଦଳରେ ସଂଗ୍ରହାଳୟ ପକ୍ଷରୁ ଓଡ଼ିଅ‍ା ଲିପିରେ ଇଂରାଜୀ ଲେଖିବା ଯେତିକି ହାସ୍ୟାସ୍ପଦ, ତାହା ଥିଲା ଭାଷା ପ୍ରତି ତା ଠାରୁ ଅଧିକ ଅପମାନ। ଅବଶ୍ୟ ପରେ ମ୍ୟୁଜିଅମ୍ ପକ୍ଷରୁ ଏ ନେଇ କ୍ଷମା ପ୍ରାର୍ଥନା କରାଯାଇଥିଲା।

ନିକଟରେ ଓଡ଼ିଶା ଲଳିତ କଳା ଏକାଡେମୀର ଏକ ବିଜ୍ଞାପନରେ ଏଭଳି ତ୍ରୁଟି ସବୁ ଥିଲା ଯେ, ଭାଷା ସାହିତ୍ୟ ବିଭାଗ ପ୍ରତି ଜନସାଧାରଣ ଅ‍ାସ୍ଥା ହିଁ ତୁଟିଯାଇଛି କହିଲେ ଚଳେ।

ତ୍ରୁଟି ହେବା ପରେ ତାକୁ ନ ସୁଧାରିବା ଓ ଏଥିଲାଗି କ୍ଷମା ଅ‍ାଚରଣ ନ କରିବା ସରକାରୀ କଳର ଅହଙ୍କାରକୁ ପଦାରେ ପକାଉଛି।

ଓଡ଼ିଅ‍ା ଅସ୍ମିତାକୁ ଅପମାନ କରି କେବଳ ମୁଖିଅ‍ାଙ୍କୁ ତୁଷ୍ଠ କରିବାର ଏ ଯେଉଁ ପ୍ରତିଯୋଗିତାରେ ସରକାର ମାତିଛନ୍ତି ତାହା ଯେ ଭବିଷ୍ୟତରେ ବୁମେରାଂ ହେବ ଏହା ନିସନ୍ଦେହ।

Comments are closed.