Odisha Link
Bridging the Missing Links in Odisha

ଭାରତ-ପାକିସ୍ତାନ ବିଭାଜନକୁ ବିରୋଧ କରିଥିଲେ ଗାନ୍ଧୀ

ବିରଜା ମହାପାତ୍ର:


ପଟେଲ ଓ ନେହରୁଙ୍କ ମତରେ ବିଭାଜନ ନ ହୋଇଥିଲେ ଭାରତ ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା
ଜିନା ଯେଉଁ ଜିଦ ଧରିଥିଲେ ଭାରତକୁ ହିନ୍ଦୁ ଓ ମୁସଲମାନ ରାଷ୍ଟ୍ର ଭାବରେ ଦୁଇଭାଗ କରିଦେବା


ଗତ କିଛି ବର୍ଷ ହେଲା ସୋସିଆଲ ମେଡିଆରେ ଅଡିଓ ଟେପ ଜରିଆରେ ନାଥୁରାମ ଗଡସେ କାହିଁକି ଗାନ୍ଧୀଜୀଙ୍କୁ ହତ୍ୟା କଲେ ବୋଲି ଭାଷଣ ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଗଡସେ ଅଦାଲତରେ ନିଜର ଅନ୍ତିମ ବକ୍ତବ୍ୟ ରଖିବା ବେଳେ ଗାନ୍ଧୀଜୀଙ୍କୁ ଭାରତର ବିଭାଜନ ପାଇଁ ଦାୟୀ କରିଥିଲେ ଏବଂ ତାହାକୁ ଟେପ ଜରିଆରେ ପ୍ରସାର କରାଯାଉଛି। ଭାରତର ବିଶେଷ ହିତକୁ ଆଖି ଆଗରେ ଗାନ୍ଧୀଜୀଙ୍କୁ ହତ୍ୟା କରିବା ଆବଶ୍ୟକ ପଡିଲା ବୋଲି ଗଡସେ ଏହି ଭାଷଣରେ ସଫେଇ ଦେଇଥିବା କଥା କୁହାଯାଉଛି।

ଏଣୁ ଅନେକ ବିଶ୍ଵାସ କରିବାରେ ଲାଗିଛନ୍ତି ଯେ ଗଡସେ ଜଣେ ମହାନ ଦେଶ ପ୍ରେମୀ ଥିଲେ ଏବଂ ଗାନ୍ଧୀଜୀଙ୍କୁ ହତ୍ୟା କରିବା ସେ ସମୟର ଆବଶ୍ୟକତା ଥିଲା। ଇତିହାସର ବିଡମ୍ବନା ଏହି ଯେ ଏଭଳି ଗୋଟିଏ ବିବାଦ ପୂର୍ଣ୍ଣ ଭାଷଣ ପ୍ରସାର ଚାଲିଛି। ଅଥଚ ଏହାର ସତ୍ୟାସତ୍ୟ ପରଖିବା ପାଇଁ କେଉଁ ପ୍ରୟାସ ଆମ ନଜରକୁ ଆସିନାହିଁ।

ଇତିହାସ ପ୍ରୁଷ୍ଠା ଓଲଟାଇଲେ ଆମେ ଦେଖିବା ଯେ ୧୯୪୬ ମସିହା ବେଳକୁ ଭାରତର ସ୍ଵାଧୀନତା ଘୋଷଣାକୁ ଦେଶର ତଦାନୀନ୍ତନ ନେତୃବର୍ଗ ଅପେକ୍ଷା କରି ରହିଥିଲେ। ଗାନ୍ଧୀଜୀଙ୍କ ଭୂମିକା କମି ଯାଇଥିଲା। ଗାନ୍ଧୀଜୀ, ଖାନ ଅବଦୁଲ ଗଫର ଖାନ ଓ ମୌଲାନା ଅବୁଲ କଲମ ଆଜାଦ ଭାରତ ପାକିସ୍ତାନ ବିଭାଜନକୁ ବିରୋଧ କରୁଥିଲେ। କିନ୍ତୁ ମୁସଲିମ ଲିଗ ନେତା ମହମ୍ମଦ ଅଲି ଜିନା ଯେଉଁ ଜିଦ ଧରିଥିଲେ ତାହା ହେଲା ଭାରତକୁ ହିନ୍ଦୁ ଓ ମୁସଲମାନ ରାଷ୍ଟ୍ର ଭାବରେ ଦୁଇଭାଗ କରିଦେବା।

କହିବା ବାହୁଲ୍ୟ ଯେ ଭାରତର ସ୍ଵାଧୀନତା ଆନ୍ଦୋଳନର ଦୃଢ ମୂଳଦୁଆ ଦ୍ଵିତୀୟ ଦଶକରୁ ପଡିସାରିଥିଲା। ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ କଂଗ୍ରେସ ତରଫରୁ ସଂପୂର୍ଣ୍ଣ ସ୍ୱାଧୀନତାର ଡାକରା ଦିଆଗଲା। ୧୯୩୫ ମସିହା ବେଳକୁ ସାଧାରଣ ଲୋକ ପ୍ରତିନିଧି ମାନଙ୍କୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

୧୯୩୯ରେ ବିଶ୍ଵଯୁଦ୍ଧ ହେଲା। ବ୍ରିଟିଶ ସରକାର କଂଗ୍ରେସର ବିନା ସହମତିରେ ଭାରତକୁ ବିଶ୍ଵ ଯୁଦ୍ଧର ଅଂଶୀଦାର ଘୋଷଣା କଲେ। କଂଗ୍ରେସ ବିରୋଧ କଲା। ପ୍ରତିବାଦ ଭାରତଛାଡ ଅନ୍ଦୋନର ରୂପ ନେଲା। ଗାନ୍ଧୀ , ନେହେରୁ ଓ ଶହ ଶହ ଆନ୍ଦୋଳନକାରୀ ଜେଲ ଗଲେ।

ମାର୍ଚ୍ଚ ୧୯୩୯ ରେ ମୁସ୍ଲିମଲିଗ ପାକିସ୍ତାନକୁ ଏକ ସ୍ଵତନ୍ତ୍ର ଦେଶ ଭାବେ ଘୋଷଣା କରିବାକୁ ଦାବି କଲା। ବ୍ରିଟିଶ ସରକାର ମୁସଲମାନ ମାନଙ୍କୁ ସଂଖ୍ୟାଲଘୁ ବୋଲି ଅବିହିତ କରି ସେମାନଙ୍କ ପାଇଁ ବିଧେୟକ ମଣ୍ଡଳରେ ସଂରକ୍ଷଣ ବ୍ୟବସ୍ଥା ରଖିଲେ। ବିଭାଜନ ଓ ପ୍ରଶାସନର ଉଦ୍ଦେଶ୍ୟ ରଖି ଚାଳିଶି ଦଶକରେ ବ୍ରିଟିଶ ସରକାର ମୁସ୍ଲିମ ଲିଗକୁ ଅଧିକ କ୍ଷମତାର ଲୋଭ ଦେଖାଇଲେ।

ବିଶ୍ଵ ଯୁଦ୍ଧ ସରିଲା ୧୯୪୫ ମସିହାରେ। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପରେ ମୁସଲମାନ ଅଧ୍ୟୁଷିତ ଅଞ୍ଚଳରେ ବିଧାନସଭା ନିର୍ବାଚନରେ ମହମଦ ଅଲି ଜିନାଙ୍କ ନେତୃତ୍ବରେ ଅଲ ଇଣ୍ଡିଆ ମୁସ୍ଲିମ ଲିଗକୁ ଜୋରଦାର ଜନ ସମର୍ଥନ ମିଳିଲା। ବିଭାଜନ ପାଇଁ ତଥା ଏକ ବୃହତ୍ତର ଅଞ୍ଚଳରେ ଆଧିପତ୍ୟ ପାଇଁ ଜିନ୍ନାଙ୍କ ସ୍ଵର ତେଜି ଉଠିଲା । ସେତେବେଳକୁ ଇଂଲଣ୍ଡର ଆର୍ଥିକ ଅବସ୍ଥା ବିପର୍ଯସ୍ତ। ଏଣୁ ଭାରତକୁ ସ୍ଵାଧୀନ କରିବା ପାଇଁ ଖସଡା କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଅଟ୍ଲି ୧୯୪୬ ମସିହାରେ କ୍ୟାବିନେଟ ମିଶନକୁ ଭାରତ ପଠେଇଲେ। କ୍ଯାବିନେଟ ମିଶନର ପ୍ରସ୍ତାବ ଥିଲା ଏକ କୋହଳ ସଙ୍ଘିୟ ବ୍ୟବସ୍ଥା।

ଜୁନ ୧୯୪୮ ମସିହାରେ ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଘୋଷଣା ହେଲା। ଏହି ପ୍ରସ୍ତାବକୁ ଉଭୟ କଂଗ୍ରେସ ଓ ମୁସ୍ଲିମ ଲିଗ ପ୍ରତ୍ୟାଖ୍ୟାନ କଲେ। ଏହି ସମୟରେ ପାକିସ୍ତାନ ଦେଶ ଗଠନ ଆନ୍ଦୋଳନ ବଢିଲା। ହିଂସା କାଣ୍ଡ ବଢିଲା। କଲିକତାରେ ୪000 ରୁ ଊର୍ଦ୍ଧ୍ଵ ଲୋକ ପ୍ରାଣ ହରେଇଲେ। ଲକ୍ଷାଧିକ ଲୋକ ବାସହୀନ ହେଲେ।

ମାର୍ଚ୍ଚ ୧୯୪୭ ବେଳକୁ ମାଉଣ୍ଟବ୍ୟାଟେନ ବ୍ରିଟିଶ ଶାସନର ଅବସାନ ଘଟେଇବାକୁ ଚାହିଁଲେ। ସେତେବେଳକୁ ସେ ବିଭାଜନ ସୁନିଶ୍ଚିତ ବୋଲି ଘୋଷଣା କରିସାରିଥିଲେ। ରାଜନୈତିକ ନେତୃବର୍ଗ ବିଭାଜନ ବିଷୟରେ ଶେଷ ନିଷ୍ପତ୍ତି ନେବାକୁ ସେ ଚରମବାଣୀ ଶୁଣେଇସାରିଥିଲେ।

ଗତ ୨୦୦୯ ମସିହାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିଂହ “ଜିନା, ଇଣ୍ଡିଆ, ପାର୍ଟିସନ, ଇଣ୍ଡିପେଣ୍ଡେନ୍ସ” ନାମରେ ଏକ ପୁସ୍ତକ ଲେଖି ବିବାଦ ଘେରକୁ ଆସିଥିଲେ। ପୁସ୍ତକ ଅନୁଯାୟୀ ମୁସ୍ଲିମ ଲିଗର ଦାବିଥିଲା ଏହି ଯେ ମୁସଲମାନ ବହୁଳ ୬ଟି ଅଞ୍ଚଳକୁ ନେଇ ମୁସଲମାନ ରାଜ୍ୟ ଘୋଷଣା କରାଯାଉ ଏବଂ ସେଥିରେ କେବଳ ମୁସଲମାନ ଶାସନ କରନ୍ତୁ। ଆଲୋଚନାରେ ଏପରିକି ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଏକ ସ୍ଵତନ୍ତ୍ର କରିଡର ଅବା ଖୋଲା ରାସ୍ତା ରଖିବାକୁ ଜିନା ଦାବି କଲେ। ଏଥିରେ ଲର୍ଡ ମାଉଣ୍ଟବଟେନ ରାଜି ହୋଇଥିଲେ।

ମାତ୍ର ଏହାକୁ ନେହରୂ ଖୁବ ବିରୋଧ କରିଥିଲେ। ନେହେରୁ କେନ୍ଦ୍ରୀଭୂତ ସଙ୍ଘିୟ ବ୍ୟବସ୍ଥା ପାଇଁ ପ୍ରୟାସ ଆରମ୍ଭ କରିସାରିଥିଲେ ଏବଂ ଭାରତ ମଧ୍ୟରେ ସ୍ଵତନ୍ତ୍ର ମୁସଲମାନ ରାଜ୍ୟ ପ୍ରତିଷ୍ଠାର ଘୋର ବିରୋଧ କରିଥିଲେ । ହିନ୍ଦୁ- ମୁସଲମାନ ବାଦ ବିବାଦ ବଢି ଚାଲିଲା।

ଭାରତର ବିଭାଜନ ପାଇଁ ତଦାନୀନ୍ତନ ଭାଇସରୟ ଲର୍ଡ ମାଉଣ୍ଟବ୍ୟାଟେନ ଯୋଜନା ବନାଇ ସାରିଥିଲେ। ଭାଇସରୟଙ୍କ ରାଷ୍ଟ୍ର ସଚିବ ଥିଲେ ଭି ପି ମେନନ। ଶ୍ରୀ ମେନନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହିତ ବାର୍ତ୍ତାଳାପ କରି ବିଭାଜନର ଅପରିହାର୍ଯ୍ୟତା ବିଷୟ ବୁଝାଇଲେ।

ଭାରତ ସରକାରଙ୍କ ତରଫରୁ ପ୍ରକାଶିତ ପୁସ୍ତକ “ଫର ୟୁନାଇଟେଡ ଇଣ୍ଡିଆ : ସ୍ପିଚେସ ଅଫ ସରଦାର ପଟେଲ” ର ପ୍ରୁଷ୍ଠା ୨୫ରେ ସରଦାର ପଟେଲଙ୍କ ଏକ ବକ୍ତବ୍ୟ ଉଦ୍ଧାର କରାଯାଇଛି। ତାହା ହେଉଛି “ I would make no efforts to explain away the responsibility of Congress to divide the country. We took these extreme steps after great deliberation. In spite of my previous strong opposition to partition I agreed to it because I felt I was convinced that in order to keep India united, it must be divided”. ( ମୁଁ ଅନାୟାସରେ କହିବି ଯେ କଂଗ୍ରେସହିଁ ଭାରତକୁ ବିଭାଜନ କରିବାର ନିଷ୍ପତ୍ତି ନେଇଛି। ବହୁ ଚର୍ଚ୍ଚା ପରେ ଏହିପରି ଏକ ଚରମ ପଦକ୍ଷେପ ଆମେ ନେଲୁ। ମୋର ପୂର୍ବବର୍ତ୍ତୀ ବିଭାଜନ ବିରୋଧୀ ମନ୍ତବ୍ୟ ସତ୍ତ୍ୱେ , ମୁଁ ବିଭାଜନରେ ରାଜି ହେଲି କାରଣ ମୁଁ ଭାବିଲି ଯେ ମୁଁ ବୁଝିସାରିଛି ଭାରତକୁ ଏକାଠି ରଖିବାକୁ ହେଲେ ଏହାର ବିଭାଜନ ଅପରିହାର୍ଯ”।

ଗତ ବର୍ଷ ନଭେମ୍ବର ୨୩ ତାରିଖ ଦିନ ଦୈନିକ ଇଂରାଜୀ ଖବର କାଗଜ “ଦ ହିନ୍ଦୁ” ରେ ଏହି ସଙ୍କ୍ରାନ୍ତରେ ଏକ ବିବରଣୀ ଛପିଥିଲା। ଲେଖାଟିର ଶୀର୍ଷକ ଥିଲା, “Gandhiji opposed partition”. ( ଗାନ୍ଧୀଜୀ ବିଭାଜନକୁ ବିରୋଧ କରିଥିଲେ)। ସେହି ବିବରଣୀ ରେ କୁହାଯାଇଛି ଯେ “it is a matter of record that Patel on the advice of States Secretary V P Menon had accepted the inevitability of partition by December 1946 and had signaled this to Nehru”. (ନଥିପତ୍ର ଅନୁଯାୟୀ ୧୯୪୬ ଡିସେମ୍ବରରେ ପଟେଲ ବିଭାଜନର ଅପରିହାର୍ଜ୍ୟତା ନେଇ ରାଷ୍ଟ୍ର ସଚିବ ଵି ପି ମେନନଙ୍କ ପରାମର୍ଶକୁ ସ୍ଵୀକାର କରିଥିଲେ ଏବଂ ଏହି ସୂଚନା ସେ ନେହରୁଙ୍କୁ ଦେଇଥିଲେ “ଜୁନ ୩, ୧୯୪୭ରେ ଭାରତ ବିଭାଜନ ଘୋଷଣା କରାଗଲା।

ସେତେବେଳେ ଗାନ୍ଧୀଜୀ କଲିକତାରେ ଥିଲେ। ରାଜେନ୍ଦ୍ର ପ୍ରସାଦ ଏହି ଘୋଷଣା ବିଷୟରେ ଗାନ୍ଧୀଙ୍କୁ ସୂଚନା ଦେଲେ । ଗାନ୍ଧୀ ଦୁଃଖ ପ୍ରକାଶ କରି କହିଲେ “ I can see only evil in the plan”. (ମୁଁ ଏହି ମସୁଧା ଭିତରେ କେବଳ ଧୂଷ୍ଟତା ଦେଖୁଛି ) “If the congress commits to an act of madness, does it mean that I should die?” Gandhi told Rajendra Prasad. (ଗାନ୍ଧୀଜୀ ରାଜେନ୍ଦ୍ର ପ୍ରସାଦଙ୍କୁ କହିଥିଲେ ଯଦି କଂଗ୍ରେସ ପାଗଳାମି କରେ ତାହା ହେଲେ କଣ ମୁଁ ମରିଯିବା ଦରକାର)।

ହୁଏତ ବିଭାଜନକୁ ନେଇ ବ୍ରିଟିଶ ସରକାର, କଂଗ୍ରେସ ଓ ମୁସ୍ଲିମ ଲିଗ ମଧ୍ୟରେ ଚାଲିଥିବା ଟଣାଓଟରାକୁ ନେଇ ଗାନ୍ଧୀଜୀ ଅଜ୍ଞ ଥିଲେ। କାରଣ ପଟେଲ ଓ ନେହରୁଙ୍କ ମତରେ ବିଭାଜନ ନ ହୋଇଥିଲେ ଭାରତ ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା।

ଏବେ ନିକଟରେ “ମ୍ୟାନ ହୁ ସେଭଡ ଇଣ୍ଡିଆ” ନାମରେ ହିନ୍ଦୋଳ ସେନଗୁପ୍ତାଙ୍କର ଗୋଟିଏ ପୁସ୍ତକ ପ୍ରକାଶ ପାଇଛି। ସେଥିରେ ପଟେଲଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଲେଖାଯାଇଛି , “if we had not accepted partition, India would have fallen into bits. Now that we have been able to salvage a major part of India and have been able to build it up in to an extensive single unit, let us make it powerful”. ( ଆମେ ଯଦି ବିଭାଜନ ସ୍ଵୀକାର କରିନଥାନ୍ତୁ ତେବେ ଭାରତ ଖଣ୍ଡ ବିଖଣ୍ଡିତ ହୋଇଥାନ୍ତା । ଆମେ ଯେହେତୁ ଏ ଅଞ୍ଚଳର ଏକ ବଡ ଅଂଶ ଭାରତରେ ଏକ କରି ରଖିପାରିଛୁ, ଆସନ୍ତୁ ଆମେ ଏହାକୁ ଶକ୍ତିଶାଳୀ କରି ଗଢି ତୋଳିବା “)

ଏଥୁରୁ ସ୍ପଷ୍ଟ ଯେ ସରଦାର ପଟେଲ ଦେଶର ବୃହତ୍ତର ହିତ ଦୃଷ୍ଟିରୁ ବିଭାଜନରେ ନିଜର ସହମତି ଜଣେଇଥିଲେ। ନେହରୂ ବିଭାଜନର ଅପରିହାର୍ଜ୍ୟତା ବୁଝିସାରିଥିଲେ। ଅଥଚ ଗାନ୍ଧିଙ୍କୁ ହତ୍ୟା ମୁଖକୁ ଠେଲିଦେଇଥିବା ଏକ ଆତତାୟୀକୁ ମହାପୁରୁଷ ବୋଲି ବ୍ୟାଖ୍ୟା ଓ ବୟାନ କରିବାରେ ସୋସିଆଲ ମେଡିଆକୁ ଖୁବ ବ୍ୟବହାର କରାଚାଲିଛି ଏବଂ ମିଛର ଅପପ୍ରଚାର ଜୋରସୋର ଚାଲିଛି।

Comments are closed.