Odisha Link
Bridging the Missing Links in Odisha

ଅ‍ାରମ୍ଭ ହେଲା ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ବର: ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶାଳୟ ଜରିଆରେ ସ୍ବତନ୍ତ୍ର ପ୍ରଦର୍ଶନୀୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି।

ରାଜ୍ୟ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ୫୦ଟି ହସ୍ତଶିଳ୍ପକୁ ଆଧାର କରି ରାଜ୍ୟର କାରିଗରମାନେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କରୁଛନ୍ତି।

ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ୭୦ଟି ଷ୍ଟଲ ସ୍ଥାନ ପାଇଥିବା ବେଳେ ୧୦୦ଜଣ କାରିଗର/ସ୍ବୟଂ ସହାୟକ ଗୋଷ୍ଠୀ/ସମବାୟ ସମିତିମାନେ ଅଂଶଗ୍ରହଣ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଗଞ୍ଜାମ, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଜଗତସିଂହପୁର, ଖୋର୍ଧା, ବାଲେଶ୍ବର, ନବରଙ୍ଗପୁର, ସମ୍ବଲପୁର, କଟକ, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର କାରିଗରମାନେ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।

ପ୍ରାକୃତିକ ତନ୍ତୁ ହସ୍ତଶିଳ୍ପ ଯଥା କତା, ହସ୍ତଶିଳ୍ପ, ଝୋଟ ନିର୍ମିତ ହସ୍ତଶିଳ୍ପ, ସବାଇ ଘାସ କାମ, କାଇଁଚ କାମ, ଛଣରୁ ତିଆରି ହସ୍ତଶିଳ୍ପ, ବେତ ଓ ବାଉଁଶ କାମ, ଗଛମୂଳରୁ ତିଆରି ହସ୍ତଶିଳ୍ପ, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ଟସର ନିର୍ମିତ ହସ୍ତଶିଳ୍ପ ଓ ଅନ୍ୟାନ୍ୟ ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପ ଏଥିରେ ପ୍ରଦର୍ଶନ କରାଯାଇଛି। ସେହିପରି ଲୁପ୍ତପ୍ରାୟ ହସ୍ତଶିଳ୍ପ ମଧ୍ୟରେ ଚମଡ଼ା କାମ, ଗୁଆ କାମ, ପିତ୍ତଳ ମାଛ, ଗୋପା କାମ, ଶିଂଘ କାମ, ଜୟଖାଡ଼ି କାମ, କିଆପତ୍ର କାମ, ଲାଖ କାମ, ଧାନରୁ ତିଆରି ହସ୍ତଶିଳ୍ପ, ସୋଲ କାମ, ଚିତ୍ରିତ କାଠ କଣ୍ଢେଇ, ଗଞ୍ଜପା, ଡଙ୍ଗରିଆ ସାଲ, ସଉରା ଚିତ୍ର ପ୍ରଭୃତି ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇଛି।

ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ବିଭାଗ ସଚିବ ଶୁଭା ଶର୍ମା, ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶକ ବି.କେ ଦାସ, ବୟନିକାର ପରିଚାଳନା ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ଉତ୍କଳିକାର ପରିଚାଳନା ନିର୍ଦେଶକ ସତ୍ୟରଂଜନ ସାହୁ, ସିଡାକର ସଦସ୍ୟ ସଚିବ ଶିତିକାନ୍ତ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ଯାଏଁ ଚାଲିବ। ଅପରାହ୍‌ଣ ୨ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ ଓ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ।

Comments are closed.