Odisha Link
Bridging the Missing Links in Odisha

ବିଜେପି ଜିତିଲେ ଛବି ବର୍ଦ୍ଦନ ହତ୍ୟାକାରୀ ନୟାଗଡ଼ ଜେଲ ଯିବେ: ଧର୍ମେନ୍ଦ୍ର

ନୟାଗଡ଼: ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ। ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଦନର ହତ୍ୟାକାରୀଙ୍କୁ ନୟାଗଡ଼ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ।

ନୟାଗଡ଼ରେ ଅ‍ାଜି ଅପରାହ୍ନରେ ବିଶାଳ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଧର୍ମେନ୍ଦ୍ର ବିଜେଡି ଉପରେ ବର୍ଷିଛନ୍ତି। ଛବି ବର୍ଦ୍ଧନ ହତ୍ୟାକାଣ୍ଡରେ ନୟାଗଡ଼ର ବିଧାୟକ ଅରୁଣ ସାହୁଙ୍କ ହାତ ଥିବା ନେଇ ଅଭିଯୋଗ ଉଠୁଥିବା ବେଳେ ତାଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର କହିଛନ୍ତି,

ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡକୁ ଆସି ଓଡିଶାରେ ମହିଳାଙ୍କୁ ସଶକ୍ତ କରିଥିବା କହିଲେ । ମାତ୍ର ନୟାଗଡର ରାଣୀ ପ୍ରତ୍ୟୁଷା ଦେବୀଙ୍କ ସ୍ୱାମୀ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପ୍ରତିମୂର୍ତିକୁ ଅନାବରଣ ନକରିବା କଣ ନାରୀ ସଶକ୍ତିକରଣ କି ? ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ। ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଦନର ହତ୍ୟାକାରୀଙ୍କୁ ନୟାଗଡ ଜେଲ ପଠାଯିବ।

ଧର୍ମେନ୍ଦ୍ର କହିଥିଲେ ଯେ ରାଜ୍ୟର ପ୍ରଗତିରେ କେନ୍ଦ୍ର ନୁହେଁ, ବରଂ ନିଜେ ରାଜ୍ୟ ବାଧକ ସାଜିଛି। ନବୀନ ବାବୁ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବେଳେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର ପ୍ରକଳ୍ପରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ନୟାଗଡର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମରେ ଓଡିଶା ସରକାର ସହଯୋଗ କରୁନାହାଁନ୍ତି । କିନ୍ତୁ ନବୀନ ବାବୁ ମିଛ ବିଜ୍ଞାପନ କରି ବାହାବା ନେବାରେ ଧୂରନ୍ଧର ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଥିଲେ।

ସଭା ପୂର୍ବରୁ ନୟାଗଡ଼ରେ କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ଼ର ଦିବଂଗତ ଟାଣୁଅ‍ା ନେତା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ଧର୍ମେନ୍ଦ୍ର।

ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘଦିନ ଧରି ଅନାବରଣ ହାେଇପାରୁ ନଥିବା ସ୍ବର୍ଗତ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ନୟାଗଡ଼ ସହରର ସିନ୍ଦୁରିଅ‍ା ଠାରେ ଉନ୍ମୋଚନ ବେଳେ ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ନୟାଗଡ଼ ବିଧାନସଭା କ୍ଷେତ୍ର ବିଜେପି ପ୍ରାର୍ଥିନୀ ଇରାନୀ ରା଼ୟ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ସେମାନେ ସଭାସ୍ଥଳ ନୟାଗଡ଼ ଖେଳପଡ଼ିଅ‍ାରେ ପହଞ୍ଚିଥିଲେ।

Comments are closed.