Odisha Link
Bridging the Missing Links in Odisha

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

ନୟାଗଡ଼: ବିଜୁ ଜନତା ଦଳ ଆଜି ଏହାର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୦ଟି ବିଧାନସଭା କ୍ଷେତ୍ର ଓ ୨ଟି ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ। ଖଣ୍ଡପଡ଼ା ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଅସମାହିତ ଥିବା ବେଳେ ଏଠାରୁ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୌମ୍ୟରଂଜନଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଯୋଜନା ରଖିଥିଲା। ତେବେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ପରାଜୟ ବରଣ କରିଥିବା ସୌମ୍ୟରଂଜନ ଏଥର ସେହି ସ୍ଥାନରୁ ବିଧାୟକ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ କଟକ ଲୋକସଭା ପାଇଁ ପୁଣିଥରେ ଭର୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୌମ୍ୟରଂଜନ ଖଣ୍ଡପଡ଼ାରୁ ଟିକେଟ୍‌ ପାଇବା ଆଶା ଉଜ୍ଜ୍ବଳ ହୋଇଛି।

ଖଣ୍ଡପଡ଼ାର ବର୍ତ୍ତମାନର ବିଧାୟକ ଅନୁଭବ ପଟ୍ଟନାୟକ ନିଜ ଲୋକପ୍ରିୟତା ଓ ଉନ୍ନୟନମୂଳକ କାର୍ଯ୍ୟ ଆଧାରରେ ଟିକେଟ୍‌ ପାଇବାକୁ ତାଙ୍କ ସମର୍ଥକ ଦାବି କରୁଥିବା ବେଳେ ସୌମ୍ୟରଂଜନ ଅଥବା ଅନୁଭବ କେହି ବି ଟିକେଟ୍‌ ନ ପାଆନ୍ତୁ ବୋଲି ଉଦ୍ୟମ କରୁଛନ୍ତି ଭାପୁର ବ୍ଲକର ବିଦ୍ରୋହୀ ବିଜେଡି ସଭାପତି ଗୟାଧର ପରିଡ଼ା। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ବେଶ୍‌ ଘନିଷ୍ଠ କୁହାଯାଉଥିବା ଗୟାଧର ସ୍ବାଧୀନ ଭାବେ ଲଢ଼େଇ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।

ଯଦି ଟିକେଟ୍‌ ନମିଳେ ଅନୁଭବ ମଧ୍ୟ ଛାମୁଆ ବିଜେଡି କର୍ମୀଙ୍କ ସହଯୋଗରେ ସ୍ବାଧୀନ ଭାବେ ଲଢ଼େଇ କରିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ଏଣେ ବିଜେଡିର ଟିକେଟ୍‌ ଦ୍ବନ୍ଦ୍ବର ଫାଇଦା ନେଇ ଏକଦା ଖଣ୍ଡପଡ଼ାରେ ବିଜେଡିର ବିଧାୟକ ଥିବା ସିଦ୍ଧାର୍ଥ ଶେଖର ସିଂହ ପୁଣିଥରେ ନିଜର ପୁରୁଣା ସହଯୋଗୀଙ୍କ ସମର୍ଥନ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସିଦ୍ଧାର୍ଥ ଏଥର ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି।

ଓଡ଼ିଶା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଖଣ୍ଡପଡ଼ାରେ ୨୦୧୪ ସାଧାରଣ ନିର୍ବାଚନ ବେଳେ ୧,୬୨,୭୪୭ ଭୋଟର ଥିବା ବେଳେ ବର୍ତ୍ତମାନ ଏହା ୧୭୯୯୪୨କୁ ବୃଦ୍ଧି ପାଇଛି। ୨୦୧୪ରେ ୧,୩୧,୯୪୦ ଜଣ ଭୋଟ ଦେଇଥିବା ବେଳେ ଏଥର ଏହା ପ୍ରାୟ ୧.୫ ଲକ୍ଷ ହେବ ବୋଲି ଆଶା କରାଯାଉଛି। ଆମର ରାଜନୈତିକ ଆକଳନ ଅନୁସାରେ ସ୍ଥିତାବସ୍ଥା ଜାରି ରହିଲେ ବିଜେପି ଓ ଅନ୍ୟାନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୨୦ ହଜାର ଭୋଟ ନେବେ। ଯଦି ସୌମ୍ୟରଂଜନ, ଅନୁଭବ ଓ ଗୟାଧର ତିନିହେଁ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି ତେବେ ୪୫-୫୦ ହଜାର ଭୋଟ ପାଇ ଜଣେ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି। ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ଅନୁଭବ ୬୨,୨୫୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସୌମ୍ୟରଂଜନ ୬୧,୬୫୬ ଭୋଟ ହାତେଇଥିଲେ। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଯଥାକ୍ରମେ ୩,୮୯୫ ଓ ୧,୮୭୭ ଭୋଟ ପାଇଥିଲେ।

Comments are closed.