Odisha Link
Bridging the Missing Links in Odisha

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ, ପ୍ରସ୍ତାବକ ରହିଲେ ଅନୁଭବ

ନୟାଗଡ଼: ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମର୍ଥକ କରିବାରେ ସଫଳ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡି ଟିକେଟରେ ସେ ଆଜି ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା।

ବର୍ତ୍ତମାନର ବିଧାୟକ ତଥା ଏଥର ଖଣ୍ଡପଡ଼ାରୁ ଟିକେଟ ପାଇଁ ଅନ୍ୟତମ ଦାବିଦାର ଥିବା ଅନୁଭବ ପଟ୍ଟନାୟକ ନାମାଙ୍କନ ବେଳେ ସୌମ୍ୟରଂଜନଙ୍କ ପ୍ରସ୍ତାବକ ରହିଛନ୍ତି। ସେହିପରି ଭାପୁର ବ୍ଲକ ବିଜେଡି ସଭାପତି ତଥା ଅନ୍ୟତମ ଟିକେଟ ଦାବିଦାର ଗୟାଧର ପରିଡ଼ା ମଧ୍ୟ ଆଜି ନାମାଙ୍କନ ବେଳେ ସୌମ୍ୟରଂଜନଙ୍କ ସହ ଉପସ୍ଥିତ ଥିଲେ। ଏମାନଙ୍କ ସହଯୋଗ ଫଳରେ ଏବେ ଖଣ୍ଡପଡ଼ା ସମ୍ପୂର୍ଣ୍ଣ ବିଜେଡି ମୟ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

୨୦୧୪ ନିର୍ବାଚନକୁ ଅନୁଶୀଳନ କଲେ ଜଣାଯାଏ ଯେ ଖଣ୍ଡପଡ଼ାରେ ପ୍ରାୟ ୫୦ ପ୍ରତିଶତ ଭୋଟ ସୌମ୍ୟରଂଜନଙ୍କ ପାଖରେ ଥିବା ବେଳେ ବାକି ୫୦ ପ୍ରତିଶତ ଅନୁଭବଙ୍କୁ ମିଳିଥିଲା। ତେବେ ବିଗତ ପାଞ୍ଚ ବର୍ଷରେ ଅନୁଭବ ଓ ଗୟାଧରଙ୍କ ମଧ୍ୟରେ ତିକ୍ତତା ହେତୁ ଭାପୁର ବ୍ଲକ ବିଜେଡି ଅନୁଭବଙ୍କ ହାତରୁ ଖସି ଗୟାଙ୍କ କବଜାରେ ରହିଥିଲା। ତିନି ଜଣ ଦାବିଦାର ବିଜେଡି ଟିକେଟ ପାଇଁ ଉଦ୍ୟମ କରୁଥିବା ବେଳେ ଭୋଟ ବିଭାଜନର ଫାଇଦା ନେବାକୁ ବିଜେପି ଉଦ୍ୟମ ଆରମ୍ଭ କରି ଦେଇଥିଲା। ତେବେ ସୌମ୍ୟରଂଜନ, ଅନୁଭବ ଓ ଗୟାଧରଙ୍କ ମଧ୍ୟରେ ବୁଝାମଣା ପରେ ଏବେ ବିଜେଡି ପୁଣି ଏକଯୁଟ ହୋଇଛି।

ବହୁ ଭୋଟ ବ୍ୟବଧାନରେ ବିଜେଡିର ବିଜୟ ହେବ ବୋଲି ସୌମ୍ୟରଂଜନ ଗଣମାଧ୍ୟମକୁ କହିଥିବା ବେଳେ ଖଣ୍ଡପଡ଼ାରେ ବିଜେପି ଧୂଳି ଚାଟିବ ଓ କଂଗ୍ରେସ ଅମାନତ ହରାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Comments are closed.