Odisha Link
Bridging the Missing Links in Odisha

ପୁଣି ରାଜ୍ୟରେ ସ୍ବାଇନ୍ ଫ୍ଲୁ ଅ‍ାତଙ୍କ

ଭୁବନେଶ୍ବର: ରାଜ୍ୟରେ ସ୍ବାଇନ୍ ଫ୍ଲୁ ଧୀରେ ଧୀରେ ୨୦୧୭ ମସିହା ଆଡ଼କୁ ଗତି କରୁଛି। ଚଳିତବର୍ଷ ଆରମ୍ଭରୁ ସ୍ବାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହେବା ଆରମ୍ଭ ହୋଇଥିବା ବେଳେ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୫୬ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ଗତ ୭ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ, ୨୦୧୭ ମସିହାରେ ହିଁ ଓଡ଼ିଶାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୨ରେ ରାଜ୍ୟରେ ମାତ୍ର ୨ଜଣ ଚିହ୍ନଟ ହୋଇଥିଲେ। ତେବେ ୨୦୧୩/୧୪ରେ ରାଜ୍ୟରେ ଜଣେ ହେଳେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନ ଥିଲା। ୨୦୧୫ରେ ସ୍ବାଇନ୍ ଫ୍ଲୁ ଫେରିଥିଲା। ଏହି ବର୍ଷ ୭୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ପ୍ରାଣ ହରାଇଥିଲେ। ୨୦୧୬ରେ ଜଣେ ଓ ୨୦୧୭ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ବର୍ଷ ୪୧୪ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ଏଥିରେ ପ୍ରାଣ ହରାଇଥିଲେ। ଏହା ପରଠାରୁ ରାଜ୍ୟରେ ପ୍ରତ୍ୟେକ ବର୍ଷ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗତବର୍ଷ ୩୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ପ୍ରାଣ ହରାଇଥିଲେ। ତେବେ ଚଳିତବର୍ଷ ଗତ ୪ମାସ ମଧ୍ୟରେ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ପ୍ରତ୍ୟେକ ଦିନ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରାୟତଃ ଥଣ୍ଡା ସମୟରେ ସ୍ବାଇନ୍ ଫ୍ଲୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହାକି ସ୍ବାସ୍ଥ୍ୟ ବିଭାଗ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଆଗକୁ ଥଣ୍ଡା ଦିନ ଆସୁଥିବା ବେଳେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିଏସ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ, ଦେଶରେ ଚଳିତବର୍ଷ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି। ଚଳିତମାସ ୭ତାରିଖ ସୁଦ୍ଧା ଦେଶରେ ୨୩ହଜାର ୨୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୧ଜଣ ଏଥିରେ ପ୍ରାଣ ହରାଇଛନ୍ତି। ରାଜସ୍ଥାନ ଓ ଗୁଜୁରାଟ ଆକ୍ରାନ୍ତ ଏହି ତାଲିକାରେ ଆଗରେ ରହିଛନ୍ତି।

Comments are closed.