Odisha Link
Bridging the Missing Links in Odisha

ସ୍ବାର୍ଥ ନୁହେଁ, ଦଳୀୟ ଶୃଙ୍ଖଳା ଆଗ: ଅନୁଭବ ପଟ୍ଟନାୟକ

ଗୋଦ୍ରେଜ କମ୍ପାନୀରେ ସହକାରୀ ମହା ପ୍ରବନ୍ଧକ (ଏଜିଏମ୍) ଭାବେ କାର୍ଯ୍ୟ କରୁଥିଲେ ଅନୁଭବ ପଟ୍ଟନାୟକ ଚାକିରି ଛାଡ଼ି ୨୦୧୪ ମସିହାରେ ରାଜନୀତିରେ ପାଦଦେଲେ। ଖଣ୍ଡପଡ଼ାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଯୁବ ବିଧାୟକ ଅନୁଭବ ପଟ୍ଟନାୟକ ଏଥର ବିଜେଡି ଟିକେରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ବିଜେଡି ଟିକେଟ ପାଇଥିବା ତାଙ୍କର ଏକଦା ପ୍ରତିଦ୍ବନ୍ଦ୍ବୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନିସର୍ତ୍ତ ସମର୍ଥନ ଦେଇଛନ୍ତି ଅନୁଭବ। ଏପରିକି ସୌମ୍ୟରଂଜନ ନାମାଙ୍କନ ଦାଖଲ କଲାବେଳେ ଉପସ୍ଥିତ ରହି ଅନୁଭବ ତାଙ୍କର ପ୍ରସ୍ତାବକ ସାଜିଛନ୍ତି। ହୁଏତ ଅନେକେ ଜାଣି ନଥିବେ, ୨୦୧୮ ଜାନୁଆରୀ ମାସରେ ପୁଣେ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନ ମିଳିଥିବା ବେଳେ ସେହି ସମାନ ମଞ୍ଚରେ ୨୦୧୭ ମସିହାରେ ଶ୍ରେଷ୍ଠ ଯୁବ ବିଧାୟକ ସମ୍ମାନ ପାଇଥିଲେ ଅନୁଭବ ପଟ୍ଟନାୟକ। ନିଜର ପ୍ରଭାବୀ ବ୍ୟକ୍ତିତ୍ବ ଓ ନେତୃତ୍ବ ପାଇଁ ସେ ଦେଶର ବିଭିନ୍ନ ଅନୁଷ୍ଠାନ ଦ୍ବାରା, ଏପରିକି ବିଦେଶରେ ମଧ୍ୟ ପ୍ରଶଂସିତ ଓ ସମ୍ମାନିତ। ସେ ୟୁରୋପରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ବ କରିବା ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂପାନରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି। ଅନୁଭବଙ୍କ ଉଦ୍ୟମରେ ଖଣ୍ଡପଡ଼ାକୁ ଶିଶୁ-ଅନୁକୂଳ ନିର୍ବାଚନ ମଣ୍ଡଳୀର ପରିଚୟ ଦେଇଛି ୟୁନିସେଫ।

ତେବେ ଟିକେଟ୍‌ ନ ମିଳିବା ପରେ ସେ ବିଦ୍ରୋହ କରିବେ ବା ସ୍ବାଧୀନ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଥିବା ବେଳେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ସେ ଦଳର ଜଣେ ଶୃଙ୍ଖଳିତ ନେତାର ପରିଚୟ ଦେଇଛନ୍ତି। ନିଜର ରାଜନୈତିକ ଭବିଷ୍ୟତ ବାବଦରେ ଆମ ପ୍ରତିନିଧିଙ୍କ ସହ ଏକ ସଂକ୍ଷିକ୍ତ ଆଳାପ ବେଳେ ମନର କଥା ବଖାଣିଛନ୍ତି ଅନୁଭବ…

ଆପଣ ଏଥର ବି ଟିକେଟ ଆଶାୟୀ ଥିଲେ। ଟିକେଟ ନ ମିଳିବା ପରେ ପ୍ରଥମେ କଣ ଭାବନା ଆସିଥିଲା?
ସତ କହିବି- ଦୁଃଖ ତ ଲାଗିଥିଲା ନିଶ୍ଚୟ। ଶୁଭେଚ୍ଛୁ ଓ ସମର୍ଥକମାନେ ବି ସ୍ବାଧୀନ ଭାବେ ଠିଆ ହେବାକୁ ଉତ୍ସାହିତ କରିଥିଲେ। ତେବେ ମୁଁ ତରବରିଆ ଭାବେ କୌଣସି ଭୁଲ ନିଷ୍ପତ୍ତି ନେବାକୁ ଚାହୁଁନଥିଲି। ତେଣୁ ଦଳର ନିଷ୍ପତ୍ତିକୁ ସମର୍ଥନ କଲି।

ସ୍ବାଧୀନ ଭାବେ ଲଢ଼ିବାକୁ ଆପଣ ଭୁଲ ନିଷ୍ପତ୍ତି ବୋଲି କାହିଁକି ଭାବୁଛନ୍ତି?
ଦେଖନ୍ତୁ, ଗୋଟିଏ ଦଳ ଭିତରେ ରହି ଦଳର ସର୍ବୋଚ୍ଚ ନେତୃତ୍ବଙ୍କ ନିଷ୍ପତ୍ତିକୁ ବିରୋଧ କରିବା ବା ଅବମାନନା କରିବା ଭଳି ଭୁଲ ମୁଁ କରିପାରିବି ନାହିଁ। ମୋ ପାଇଁ ନିଜ ସ୍ବାର୍ଥ ଅପେକ୍ଷା ଦଳୀୟ ଶୃଙ୍ଖଳା ବଡ଼କଥା। ମୁଁ ଜାଣେ ମୋ ନିଷ୍ପତ୍ତି ବହୁ ସମର୍ଥକଙ୍କୁ ବ୍ୟଥିତ କରିଥିବ। କିନ୍ତୁ ପରେ ମୁଁ ସେମାନଙ୍କୁ ବୁଝାଇଦେଇଛି।

ଆପଣଙ୍କ ପଛରେ ଖଣ୍ଡପଡ଼ାର ସାଧାରଣ ଜନତାଙ୍କର ସମର୍ଥନ ରହିଛି। ଆପଣ ରାଜନୀତିରୁ ଓହରିଯାଇ ସେମାନଙ୍କୁ କଷ୍ଟ ଦେଇନାହାନ୍ତି ତ?
ରାଜନୀତିରୁ ଓହରିଗଲି କେତେବେଳେ? ରାଜନୀତି ଅର୍ଥ କ’ଣ କେବଳ ନିର୍ବାଚନ ଲଢ଼ିବା। ଆମ ଦଳରେ ଏଭଳି ବହୁ ନେତା ଅଛନ୍ତି, ଯେଉଁମାନେ ଜୀବନରେ ଥରେ ବି ନିର୍ବାଚନ ଲଢ଼ିନାହାନ୍ତି, କିନ୍ତୁ ସଂଗଠନରେ ଦୃଢ଼ ଭାବେ କାର୍ଯ୍ୟ କରୁଛନ୍ତି। ଆଉ ବାକି ରହିଲା ଖଣ୍ଡପଡ଼ା ସାଧାରଣ ଜନତାଙ୍କ କଥା। ମୁଁ ବିଧାୟକ ନ ରହିଲେ ନାହିଁ, କିନ୍ତୁ ସେମାନଙ୍କ ସହ ମୋର ଶେଷନିଶ୍ବାସ ଥିବା ଯାଏଁ ରହିବି। ଗତ ପାଞ୍ଚ ବର୍ଷ ଭିତରେ ମୋତେ ସେମାନେ ଯେଉଁ ଶ୍ରଦ୍ଧା, ଭଲପାଇବା ଓ ବିଶ୍ବାସ ଦେଇଛନ୍ତି ତାହା ଏବେ ମୋର ବଡ଼ ପୁଞ୍ଜି। ମୁଁ ଘୋଷଣା କରିସାରିଛି, ପୂର୍ବଭଳି ମୋତେ ଖଣ୍ଡପଡ଼ାବାସୀ ଯେତେବେଳେ ଯେଉଁଠି ଲୋଡ଼ିବେ ମୁଁ ପହଞ୍ଚିବି। ଖଣ୍ଡପଡ଼ା ମୋର ଛାଡ଼ିବାର ନାହିଁ।

ସୌମ୍ୟରଂଜନ ପଟ୍ଟନାୟକ ଆପଣଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ; ୨୦୧୪ରେ ବିଧାୟକ ପଦ ଦୌଡ଼ରେ ଓ ୨୦୧୯ରେ ଟିକେଟ ଦୌଡ଼ରେ। ଆପଣ ଏବେ ତାଙ୍କୁ କିଭଳି ଦେଖୁଛନ୍ତି?
ସୌମ୍ୟବାବୁ ମୋର ପ୍ରତିଦ୍ବନ୍ଦ୍ବୀ ଥିଲେ, ଶତ୍ରୁ ନୁହନ୍ତି। ମୋ ଦଳର ମୁଖିଆ ଆମ ସମସ୍ତଙ୍କର ପ୍ରିୟ ନେତା ନବୀନ ପଟ୍ଟନାୟକ ତାଙ୍କୁ ଖଣ୍ଡପଡ଼ାର ପ୍ରତିନିଧି ଭାବେ ପଠାଇଛନ୍ତି। ତାଙ୍କର ନିଷ୍ପତ୍ତିକୁ ସାଦରେ ଗ୍ରହଣ କରି ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ମୋର କର୍ତ୍ତବ୍ୟ ସଂପାଦନ କରୁଛି ଓ ସୌମ୍ୟବାବୁଙ୍କୁ ବିଜୟୀ କରିବା ପାଇଁ ସାଧ୍ୟମତେ ଉଦ୍ୟମ କରୁଛି।

ଆପଣଙ୍କ ଦଳରେ ବହୁ ନେତା ଟିକେଟ ନ ପାଇ ଅନ୍ୟଦଳକୁ ଡେଇଁଛନ୍ତି ଓ ନବୀନ ପଟ୍ଟନାୟକ ତଥା ଦଳ ବିରୋଧରେ ବିଷୋଦଗାର କରିଛନ୍ତି। ଆପଣ ବି ଅନ୍ୟଦଳକୁ ଯାଇ ପାରିଥାନ୍ତେ।
ମୁଁ ପ୍ରଥମରୁ ଆପଣଙ୍କୁ କହିରଖିଛି, ମୁଁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ। ଦଳଡିଆଁ ସୁବିଧାବଦରେ ମୋର ବିଶ୍ବାସ ନାହିଁ। ମୁଁ ଗୋଟିଏ ଦଳର ନୀତି ଆଦର୍ଶକୁ ବିଶ୍ବାସ କରି, ଭଲପାଇ ସେ ଦଳରେ ରହିଛି। ଟିକେଟ ମିଳିବା ବା କ୍ଷମତା ମିଳିବା ଲୋଭରେ ନୁହେଁ। ଯେଉଁମାନେ ଟିକିଏ ଟିକିଏ କଥାରେ ନେତୃତ୍ବର ଅବମାନନା କରନ୍ତି, ବିଦ୍ରୋହୀ ପାଲଟିଯାଆନ୍ତି ବା ଦଳ ପରିବର୍ତ୍ତନ କରନ୍ତି – ସେମାନଙ୍କ ରାଜନୈତିକ ପତନ ଅବଶ୍ୟମ୍ଭାବୀ। ରାଜନୀତିରେ ଧୈର୍ଯ୍ୟ ଆଉ ନିଷ୍ଠା ସବୁଠୁ ଅଧିକ ଜରୁରୀ।

କିନ୍ତୁ ଆପଣଙ୍କ ବାପା କଂଗ୍ରେସରେ ଥିଲେ ପରେ ଜନତା ଦଳରୁ ବିଧାୟକ ହେଲେ। ଆପଣଙ୍କ ମା’ ବିଜେଡି ବିଧାୟିକା ଥିଲେ, ପରେ ସ୍ବାଧୀନ ଭାବେ ମଧ୍ୟ ବିଜୟୀ ହେଲେ। ପୁନଶ୍ଚ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହେଲେ। ଆପଣ କଣ ସେମାନଙ୍କ ଦଳବଦଳ ପଦକ୍ଷେପକୁ ବି ବିରୋଧ କରୁଛନ୍ତି?
ଦେଖନ୍ତୁ, ଭିନ୍ନ ଭିନ୍ନ ସ୍ଥାନ-କାଳ-ପାତ୍ରରେ ସମାନ ଲାଗୁଥିବା ସବୁ ପରିସ୍ଥିତିକୁ ଆପଣ ଗୋଟିଏ ତରାଜୁରେ ତଉଲି ପାରିବେ ନାହିଁ। ବାପା ଛାତ୍ର ରାଜନୀତି ବେଳେ କଂଗ୍ରେସରେ ଥିଲେ। ପରେ କଟକର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ମଧ୍ୟ ପରିଚିତ ଥିଲେ। ବିଜୁ ପଟ୍ଟନାୟକଙ୍କ ଡାକରାରେ ନିଜର କଟକ ସଂଗଠନ ଛାଡ଼ି ସେ ମାଟିକୁ ଫେରିଥିଲେ। ଅଶୀ ଦଶକରେ ଜନତା ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ପରାଜୟ ପରେ ବି ଦଳୀୟ ଶୃଙ୍ଖଳା ଭାଙ୍ଗିନଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ବିଜୁବାବୁଙ୍କ ନୀତିଆଦର୍ଶରେ ଅନୁପ୍ରାଣୀତ ଥିଲେ ସେ। ୧୯୯୦ରୁ ୧୯୯୫ ସେ ଖଣ୍ଡପଡ଼ାରୁ ବିଧାୟକ ହେଲେ। ବାପାଙ୍କ ଅକଳା ବିୟୋଗ ପରେ ଦଳ ଓ ଖଣ୍ଡପଡ଼ାବାସୀଙ୍କ ଅନୁରୋଧରେ ମା’ ରାଜନୀତିକୁ ଆସିଲେ। ତେବେ ତାଙ୍କୁ ୨୦୦୪ରେ ଟିକେଟ ନ ମିଳିବାରୁ ସମର୍ଥକମାନଙ୍କ ପ୍ରବଳ ଚାପ ଫଳରେ ସେ ସ୍ବାଧୀନ ଭାବେ ଲଢ଼ିଲେ ଓ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଦଳୀୟ ଶାସନ ଥିବା ବେଳେ ଜଣେ ସ୍ବାଧୀନ ବିଧାୟିକା ଭାବରେ ଖଣ୍ଡପଡ଼ାର ବିକାଶ କରିବା ତାଙ୍କ ପାଇଁ କାଠିକର ଥିଲା। ଦଳୀୟ ସହଯୋଗ ଥିଲେ ବିକାଶ ସୁଗମ ହେବ ଆଶା କରି ସମର୍ଥକଙ୍କ ଅନୁରୋଧ କ୍ରମେ ପରେ ସେ ଅନ୍ୟ ଦଳରେ ଯୋଗ ଦେଇଥିଲେ। ତେବେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଦଳୀୟ ଶୃଙ୍ଖଳାରେ ରହି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବା ପାଇଁ ନିଜେ ମା’ ମୋତେ ପରାମର୍ଶ ଦେଇଛନ୍ତି।

ସୌମ୍ୟବାବୁ ଯଦି ଖଣ୍ଡପଡ଼ାରୁ ବିଜୟୀ ହୁଅନ୍ତି, ରାଜ୍ୟସଭା ପଦ ଛାଡ଼ିବେ। ସଂସଦରେ ତାଙ୍କର ଶୂନ୍ୟସ୍ଥାନ ଆପଣ ପୂରଣ କରିବେ କି?
ଏଥର ଖଣ୍ଡପଡ଼ାରେ ଯଦିର ପ୍ରଶ୍ନ ନାହିଁ। ସୌମ୍ୟବାବୁ ନିଶ୍ଚୟ ବିଜୟୀ ହେବେ, ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ। ବାକି ରହିଲା ସାଂସଦ ହେବା କଥା। ମୋର କୌଣସି ପଦବୀର ଲାଳସା ନାହିଁ। ଦଳ ସଭାପତି ଯାହା ନିର୍ଦ୍ଦେଶ ଦେବେ ତାହା କରିବି।

Comments are closed.