Odisha Link
Bridging the Missing Links in Odisha

୯ ଜିଲ୍ଲାରେ ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

ଭୁବନେଶ୍ବର: ଚଳିତବର୍ଷ ପ୍ରଥମଥର ଲାଗି ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ବଲାଙ୍ଗୀର ତାପମାତ୍ରା ବି ୪୩ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ଥିବା ବେଳେ ଝାରସୁଗୁଡ଼ା, ଭବାନୀପାଟଣା, ମାଲକାନଗିରି, ସୋନପୁର ୪୨ଡିଗ୍ରି ପାର୍‌ ହୋଇଛି।

ଚଳିତ ସପ୍ତାହରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା‌ ହୁ’ ହୁ’ ହୋଇ ବଢ଼ୁଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାରେ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ସୂଚନା ଦିଆଯାଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ବରଗଡ଼, ସୋନପୁର, ନୂଆପଡ଼ା ଓ ବୌଦ୍ଧ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ବୟସ୍କମାନେ ବିଭିନ୍ନ ରୋଗରେ ପଡ଼ିବାର ଆଶଙ୍କା ଥିବାରୁ ଯେତେଦୂର ସମ୍ଭବ ତାତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ମଧ୍ୟାହ୍ନ ସୁଦ୍ଧା ଅବପାତ ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବ। ଏହାର ୧୨ଘଣ୍ଟା ମଧ୍ୟରେ ବାତ୍ୟା(ଫନି)ର ରୂପ ନେଇ ଏପ୍ରିଲ ୩୦ ସନ୍ଧ୍ୟା ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ। ଏହାପରେ ବାତ୍ୟା ଦିଗ ପରିବର୍ତନ କରି ଉତ୍ତର ପୂର୍ବକୁ ଗତି କରିବ। ମେ’ ୨ରୁ ୫ ତାରିଖ ମଧ୍ୟରେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳର ମତ୍ସ୍ୟଜୀବୀଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। ୨୭ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୫ରୁ ୭୫କିମି ବେଗରେ ପବନ ବୋହିବ। ଏପ୍ରିଲ ୨୯ ଓ ୩୦ ବେଳକୁ ପବନର ବେଗ ୯୦ରୁ ୧୦୦ କିମି ହେବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଉପରୋକ୍ତ ଅଞ୍ଚଳକୁ ବାରଣ କରାଯାଇଛି।

Comments are closed.