Odisha Link
Bridging the Missing Links in Odisha

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସହ ନରହି, ନୟାଗଡ଼ର ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅରୁଣ କୁମାର ସାହୁ ମହୋଦୟ ରାଜନୀତିରେ ମାତିଛନ୍ତି। ଗତକାଲି ଭୁବନେଶ୍ବରରେ ଶ୍ରୀ ସାହୁ ନିଜର ଦଳୀୟ ସହଯୋଗୀଙ୍କ ସହ ପାଟକୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି।

ମହାବାତ୍ୟା ଫନିରେ ପୁରୀ ଓ ଭୁବନେଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ୧୪ଟି ଜିଲ୍ଲାର ୧ କୋଟି ୪୦ ଲକ୍ଷ ୬୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସରକାର ଗତକାଲି ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ୧୪ ଜିଲ୍ଲା ମଧ୍ୟରେ ଶ୍ରୀ ସାହୁଙ୍କ ନିଜ ଜିଲ୍ଲା ନୟାଗଡ଼ ବି ରହିଛି।

ଲୋକମାନେ ପାଣି, ଖାଦ୍ୟ, ବିଦ୍ୟୁତ ଓ ବାସଗୃହ ଭଳି ଅତ୍ୟାବଶ୍ୟକୀୟ ସେବା ପାଇଁ ଡହଳ ବିକଳ ହେଉଥିବା ବେଳେ ଦଳରେ ନିଜର ପତିଆରା ବୃଦ୍ଧି ପାଇଁ ଓ ଅତି ଦଳଭକ୍ତିର ପ୍ରମାଣ ଦେବା ପାଇଁ ଅରୁଣ ବାବୁ ସବୁ ଛାଡ଼ି ନିର୍ବାଚନ ବିଜୟ ଚିନ୍ତାରେ ବାଇ ହୋଇଛନ୍ତି। ନୟାଗଡ଼ରେ ନିର୍ବାଚନ ଶେଷ ହୋଇଯାଇଥିବାରୁ ଆଉ ନିଜ ଅଞ୍ଚଳକୁ ଯିବାକୁ ଆବଶ୍ୟକ ମଣୁନାହାନ୍ତି ନିଜର ଚାଟୁକାରଙ୍କ ଦ୍ବାରା ବିଶିଷ୍ଟ ଦାର୍ଶନିକ ଭାବେ ଘୋଷିତ ଶ୍ରୀ ସାହୁ।

ରାଜ୍ୟର ହାହାକର ସମୟରେ ଦଳର ବିଜୟ ଆଶା ପୂରଣ ପାଇଁ ଅଣ୍ଟା ଭିଡ଼ିବା ବିଜେଡିର ଦର୍ଶନ ନା ଦାର୍ଶନିକ ଶ୍ରୀ ସାହୁଙ୍କର ଉଦଭାବିତ ଦର୍ଶନ ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ, ଫନି ବିତ୍ପାତକୁ ଦୃଷ୍ଟିରେ ରଖି ଦୁଇମାସ ପରେ ପାଟକୁରାରେ ନିର୍ବାଚନ ହେବ ବୋଲି ଗତକାଲି ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି।

Comments are closed.