Odisha Link
Bridging the Missing Links in Odisha

ଜେଡ୍‌ ଇଷ୍ଟେଟ କ୍ରେନ୍‌ ଖସି ୭ ଘର ଛାରଖାର, ଦେଖନ୍ତୁ ଲୋମଟାଙ୍କୁରା ଫଟୋ ଆଉ ଭିଡିଓ

ଭୁବନେଶ୍ବର:ପ୍ରକୃତିର ତାଣ୍ଡବ ମହାବାତ୍ୟା ଫନିର ପ୍ରକୋପରୁ ସିନା ଆମେ ନିସ୍ତାର ପାଇଗଲୁ। ହେଲେ ମାନବକୃତ ଧ୍ବଂସଲୀଳା ଆମ ଘରସଂସାର ଛାରଖାର କରିଦେଇଛି। ଜେଡ୍‌ ଇଷ୍ଟେଟ୍‌ କନଷ୍ଟ୍ରକ୍ସନ୍‌ ସଂସ୍ଥାର ଅବହେଳା ଯୋଗୁଁ ଆମେ କଲୋନିବାସୀ ଏବେ ଆତଙ୍କିତ।

ଭୁବନେଶ୍ବର ଉପକଣ୍ଠରେ ଥିବା ନିର୍ମାଣାଧୀନ ଜେଡ୍‌ ଓ୍ବାନ୍‌ ଟାଓ୍ବାର ପାଖରେ ଥିବା ସୋମୁ ଭିଲ୍ଲାର ବାସିନ୍ଦା ଏଭଳି ମତ ଦେଇଛନ୍ତି। ମେ ୩ ତାରିଖ ଫନି ମହାବାତ୍ୟା ପ୍ରଭାବରେ ଜେଡ୍‌ ଇଷ୍ଟେଟର ପ୍ରାୟ ୭୦ ମିଟର ଦୀର୍ଘ ବିଶାଳକାୟ ଏକ କ୍ରେନ୍‌ ଖସିପଡ଼ି ସୋମୁ ଭିଲ୍ଲା ଛାରଖାର ହୋଇଯାଇଛି। ୬ଟା ଘରର ଛାତ ଫାଟି ଯାଇଥିବା ବେଳେ ଘର, କାନ୍ଥ ଓ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଧ୍ବଂସ ହୋଇଛି। ସବୁଠୁ ବିଡ଼ମ୍ବନାର ବିଷୟ ହେଲା, ୩ ତାରିଖ ଠାରୁ ଓଡ଼ିଶାର ଗଣମାଧ୍ୟମରେ ଫନି ସମ୍ପର୍କିତ ଖବର ପ୍ରମୁଖ ସ୍ଥାନ ଅକ୍ତିଆର କରିଥିଲେ ବି ବାରମ୍ବାର ଅନୁରୋଧ ସତ୍ତ୍ବେ କୌଣସି ଗଣମାଧ୍ୟମ ସୋମୁ ଭିଲ୍ଲାର କରୁଣ କାହାଣୀକୁ ଗୁରୁତ୍ବ ଦେଉନାହାନ୍ତି।

ମେ ୩ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଜେଡ୍‌ ଇଷ୍ଟେଟର କ୍ରେନଟି ସୋମୁ ଭିଲ୍ଲା ଉପରେ ଖସି ପଡ଼ିଥିଲା। ପାଖରେ ଥିବା ଅନ୍ୟ ଏକ ଉଚ୍ଚ ଅଟ୍ଟାଳିକାର ଜନୈକ ବାସିନ୍ଦା କ୍ରେନ୍‌ ଖସିବାର ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ, ଯାହା କି ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ତେବେ ଏ ନେଇ ଜେଡ୍‌ ଇଷ୍ଟେଟ୍‌ କର୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ ୫ ତାରିଖ ପର୍ଯ୍ୟନ୍ତ କମ୍ପାନିର କୌଣସି ଅଧିକାରୀ, ସରକାରଙ୍କ ପ୍ରତିନିଧି ବା ଗଣମାଧ୍ୟମର ଦେଖା ନଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

କ୍ରେନ୍‌ ଖସିବା ସମୟର ଲୋମଟାଙ୍କୁରା ଦୃଶ୍ୟ ବର୍ଣ୍ଣନା କରି ସୋମୁ ଭିଲ୍ଲାର ଜଣେ ବାସିନ୍ଦା ପୁଷ୍ପଲତା ଆମକୁ କହିଛନ୍ତି ଯେ,

ଫନି ଭୟରେ ଘର ଭିତରେ ଥିଲୁ। ଯେତେବେଳେ କ୍ରନ୍‌ ଖସିପଡ଼ିଲା ଭୂମିକମ୍ପ ହେବାଭଳି ଅନୁଭବ ହେଲା। ଘର ଥରି ଉଠିଲା। ଛାତରୁ ଛେଲା ଖସିଆସି କଣା ହୋଇଗଲା। କାନ୍ଥ ହଲିଲା। ଥାକରୁ ଜିନିଷପତ୍ର ତଳକୁ ଖସିଗଲା। ଏଠାରେ ମୋଟ ୩୫ଟି ଦ୍ବିତଳ (ଡୁପ୍ଲେକ୍ସ) ଘର ଥିବା ବେଳେ ୭ଟି ଘର କ୍ରେନ୍‌ ପଡ଼ି ଭାଙ୍ଗିଯାଇଛି।

ଏ ସମ୍ପର୍କରେ ଆମେ ଓଡ଼ିଶା ଷ୍ଟୋରୀଓଡ଼ିଶା ଲିଙ୍କ ପକ୍ଷରୁ ଜେଡ୍‌ ଇଷ୍ଟେଟର ପ୍ରତିକ୍ରିୟା ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲେ ହେଁ ମୋବାଇଲ ନେଟଓ୍ବର୍କ ସମସ୍ୟା ଯୋଗୁଁ ବିଫଳ ହୋଇଥିଲୁ

Comments are closed.