Odisha Link
Bridging the Missing Links in Odisha

ଆଜି ଦିଲ୍ଲୀରେ ମୋଦି-ନବୀନଙ୍କ ସାକ୍ଷାତକାର: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ସାକ୍ଷାତରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ନେଇ ସୂଚନା ମିଳିଛି। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ, କେନ୍ଦ୍ରୀୟ ବଜେଟ୍‌ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍‌ଟି ସଂଶୋଧନ ଆଦି ଦାବି ସ୍ମାରକପତ୍ର ଜରିଆରେ ଦୋହରାଇ ପାରନ୍ତି ନବୀନ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍‌ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ ତା’ର ପ୍ରଭାବୀ ପ୍ରତିକାର, ଜଳସେଚନ ଓ ପିଇବା ପାଣି ପ୍ରକଳ୍ପ ବାବଦରେ ଅଧିକ ଅନୁଦାନ ପାଇଁ ଦାବି କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ। ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗ ବୈଠକ ହେଉଛି। ୧୫ ତାରିଖରେ ହେବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉସିଲ୍ ବୈଠକରେ ନବୀନ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Comments are closed.