Odisha Link
Bridging the Missing Links in Odisha

ଫୋନି କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାକୁ ମିଳିବ ୧୯୭ କୋଟି

ଭୁବନେଶ୍ୱର : ‘ଫୋନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଯାଇଥିବା ପୁରୀ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।
‘ଫୋନି’ ପ୍ରକୋପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର ଶହେ ଟଙ୍କା କ୍ଷତିପୂରଣ ଦିଆଯିବ। ଅଳ୍ପ ବା ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ ୫ ହଜାର ୨୦୦ ଓ ମାଟି ବା ଚାଳ ଛପର ଘର ପାଇଁ ୩ ହଜାର ୨୦୦ ଟଙ୍କା ଲେଖାଏ ମିଳିବ। ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୪୧୦୦ ଟଙ୍କା ଓ ଗୁହାଳ ପାଇଁ ୨୧୦୦ ଟଙ୍କା ଦିଆଯିବ। ଏହି ହିସାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା, ଏହାଠୁ କମ୍‌ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା, ଆଶିଂକ କ୍ଷତିଗ୍ରସ୍ତ ପକ୍କା ଘର ଲାଗି ପ୍ରଥମ କିସ୍ତିରେ ୫୨୦୦ ଟଙ୍କା ଓ କଚା ଘର ବା ମାଟି ଘର ଲାଗି ହିତାଧିକାରୀଙ୍କୁ ୩୨୦୦ଟଙ୍କା ଲେଖାଏ ଦିଆଯିବ।
ଏଣୁ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତି ଟଙ୍କା ଦେବା ଲାଗି ସରକାର ୧୯୭ କୋଟି ୫୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଟଙ୍କା କ୍ଷତିଗ୍ରସ୍ତଙ୍କୁ ଡିବିଟି ମାଧ୍ୟମରେ ବା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ। ପୁରୀ ଜିଲ୍ଲାରେ ୨ ଲକ୍ଷ ୮୭ ହଜାର ୭୬୨ ପରିବାର ଫୋନି ଦ୍ୱାରା ପ୍ରଭାବିତ ହୋଇଛନ୍ତି।

Comments are closed.