Odisha Link
Bridging the Missing Links in Odisha

ମାଓବାଦୀଙ୍କ ଗଡ଼ରେ ଆଇଏଏସ୍‌ ଅଫିସର୍‌: ବୁଲି ବୁଲି ଆଦିବାସୀଙ୍କ ସମସ୍ୟା କଥା ବୁଝିଲେ

ରାୟଗଡ଼ା: ମାଓବାଦୀମାନଙ୍କ ଗଡ଼ ହେଉଛି ରାୟଗଡ଼ା ଜିଲ୍ଲା। ରାୟଗଡ଼ା ଅଞ୍ଚଳରେ ରହିଛି ଅନେକ ସମସ୍ୟା। ରାୟଗଡ଼ା ଜିଲ୍ଲାରେ ଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧିନସ୍ଥ ଗ୍ରାମଗୁଡ଼ିକର ଆଦିବାସୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗାଁରେ ପହଞ୍ଚିଥିଲେ ରାୟଗଡ଼ାରେ ଡିଆର୍‌ଡିଏ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ। ୨୭ ବର୍ଷିଅ ଏହି ଆଇଏଏସ୍‌ ଅଫିସର୍‌ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମଟରସାଇକେଲ୍‌ରେ ଗାଁ ଗାଁ ବୁଲିବା ସହ ଗ୍ରାମବାସୀଙ୍କ ସହ ୩ ଦିନ ୨ ରାତି ବିତାଇଛନ୍ତି। ଅମ୍ରିତ ଋତୁରାଜ ଏବେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ପାଇଁ ଏକ ଆଶାର କିରଣ ପାଲଟିଛନ୍ତି।

ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଡିଆର୍‌ଡିଏର ପ୍ରୋଜେକ୍ଟ ଡାଇରେକ୍ଟର ଅମ୍ରିତ ଋତୁରାଜ କହନ୍ତି ଯେ, ‘ଏବେ ବି ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଏକ ଦୁର୍ଗମ ଅଞ୍ଚଳ । ଏଠାକାର ବାସିନ୍ଦା ପ୍ରଶାସନ ଉପରେ ସେତେଟା ବିଶ୍ୱାସ ମଧ୍ୟ କରନ୍ତି ନାହିଁ। ଆମ ଟିମ୍‌ ୪ଟି ପଞ୍ଚାୟତରେ ଥିବା ୬୦ଟି ଗାଁ ବୁଲିଛନ୍ତି। ଆମେ ଏହି ଅଞ୍ଚଳର ଲୋକଙ୍କ ସହ ୩ ଦିନ ଓ ୨ ରାତି ବିତାଇଛୁ।’ମଟରସାଇକେଲ୍‌ରେ ବୁଲି ବୁଲି ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସି ଋତୁରାଜ ସେମାନଙ୍କ ଲାଗି ରାସ୍ତା ଓ ପାଣି ପରି କିଛି ସାଧାରଣ ସମସ୍ୟାର ସମାଧାନ କାଢ଼ିବାକୁ ତତ୍ପରତା ଦେଖାଇଛନ୍ତି। ନବରଙ୍ଗପୁର ଉମରକୋଟରେ ଜନ୍ମଲାଭ କରିଥିବା ଋତୁରାଜ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌। ଏକ ଦୁର୍ଗମ ଗାଁରେ ଅତିସାଧାରଣ ଭାବେ ୩ ଦିନ ୨ ରାତି ବିତାଇଥିବା ଋତୁରାଜଙ୍କୁ କୌଣସି ପ୍ରକାର ଅସୁବିଧା ଅନୁଭୂତ ହୋଇନାହିଁ ବୋଲି ସେ କହିଛନ୍ତି। ଏନେଇ ଅମ୍ରିତ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କର ଏଭଳି କାର୍ଯ୍ୟପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି।

Comments are closed.