Odisha Link
Bridging the Missing Links in Odisha

ଚନ୍ଦ୍ରଯାନ-୨: ଜୁଲାଇ ୧୫ରେ ଉତକ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠକୁ ପୁଣିଥରେ ଭାରତ ପଠାଇବ ମହାକାଶ ଯାନ। ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ ଚନ୍ଦ୍ରଯାନର ସଫଳ ପରୀକ୍ଷଣ ପରେ ପୁଣି ଥରେ ଆଉ ଏକ ଚନ୍ଦ୍ରଯାନ ପଠାଇବ ଭାରତ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ମିଶନ୍‌ର ତାରିଖ ଏବଂ ସମୟ ବାବଦରେ ଆଜି ଘୋଷଣା କରାଯାଇଛି। ଆଜି(ବୁଧବାର) ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି ଯେ, ଏହି ମିଶନ୍‌ରେ ବିଳମ୍ବ ହୋଇଛି, କିନ୍ତୁ ବର୍ତ୍ତମାନ ଭାରତ ଏହି ମିଶନ୍‌ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ସେ ଘୋଷଣା କରିଛନ୍ତି ଆସନ୍ତା ଜୁଲାଇ ୧୫ ତାରିଖରେ ଭୋର ୨.୫୧ ସମୟରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ହେବ। ଶ୍ରୀହରିକୋଟା ଲଞ୍ଚପ୍ୟାଡ୍‌ରୁ ଜିଏସ୍‌ଏଲଭି ଏମ୍‌କେ-୩ ଭେଇକିଲ୍‌ ଯୋଗେ ଏହାର ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହ ଚନ୍ଦ୍ରଯାନ-୨ ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସେ ଆହୁରି କହିଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ମିଶନ୍‌ ପ୍ରକାରାନ୍ତରେ ସାଧାରଣ ଲୋକଙ୍କୁ ହିଁ ଫାଇଦା ଦେବ। ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଏହି ମିଶନ୍‌ କାର୍ଯ୍ୟକାରୀ ହେବ ବୋଲି ପୂର୍ବରୁ ଇସ୍ରୋ ସୂଚନା ଦେଇଥିଲା। ଚନ୍ଦ୍ରଯାନ-୨ରେ ୩ଟି ଅଂଶ ରହିଛି। ଏଥିରେ ୧ ମିଟର ଲମ୍ବ ଏବଂ ୨୫ କେଜି ଓଜନର ଏକ ରୋଭର (ପ୍ରଜ୍ଞାନ) ରହିଛି। ଏତଦ୍‌ବ୍ୟତୀତ ଗୋଟିଏ ଅର୍ବିଟର ଏବଂ ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ରହିଛି। ଏହି ମହାକାଶ ଯାନର ମୋଟ ଓଜନ ୩.୮୮ ଟନ୍‌ ବୋଲି ଜଣାପଡ଼ିଛି। ଶିବନ୍‌ଙ୍କ କହିବା ଅନୁଯାୟୀ, ଚନ୍ଦ୍ରଯାନ-୨ ମିଶନ୍‌ରେ ସ୍ୟାଟେଲାଇଟ୍‌ ବାବଦକୁ ୬୦୩ କୋଟି ଖର୍ଚ୍ଚ ହୋଇଛି। ଲଞ୍ଚ ଭେଇକିଲ୍‌ ଜିଏସ୍‌ଏଲଭି ଏମ୍‌କେ-୩ ୩୭୫ର ମୂଲ୍ୟ କୋଟି ଟଙ୍କା। ଇସ୍ରୋ ସୂଚନା ଅନୁଯାୟୀ, ସାଇଣ୍ଟିଫିକ୍‌ ପେଲୋଡ୍‌ ସହିତ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବ। ଏହାପରେ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡର ରୋଭରକୁ ଅବସ୍ଥାପିତ କରିବ। ଏହାପରେ ରୋଭର ଚନ୍ଦ୍ରପୃଷ୍ଠରେ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିବ। ଲ୍ୟାଣ୍ଡର ଏବଂ ଅର୍ବିଟର ଉପରେ ମଧ୍ୟ କିଛି ବୈଜ୍ଞାନିକ ଇନ୍‌ଷ୍ଟ୍ରୁମେଣ୍ଟ ପରୀକ୍ଷଣ ଜାରି ରଖିବ। ଦୀର୍ଘ ୧୦ ବର୍ଷ ପରେ ଏହି ମିଶନ୍‌ ଇସ୍ରୋ ହାତକୁ ନେଇଛି।

Comments are closed.