Odisha Link
Bridging the Missing Links in Odisha

ପାକିସ୍ତାନ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’

ଅହମଦାବାଦ: ଆଜି ଗୁଜୁରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍ କରିବାର ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ସାମୁଦ୍ରିକ ଝଡ଼ ‘ବାୟୁ’ର ଗତିପଥ ବଦଳି ଯାଇଥିବା ସୂଚନା ରହିଛି। ଏହା ଏବେ ପାକିସ୍ତାନ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି। ‘ବାୟୁ’ ଗୁଜରାଟର ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ମୁହାଁଇଛି। ଏହା ଗୁଜରାଟରେ ଲ୍ୟାଣ୍ଡଫଲ୍ ନକଲେ ବି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆରବ ସାଗରରେ ସୃଷ୍ଟ ‘ବାୟୁ’ ଏବେ ଗୁଜରାଟର ଦକ୍ଷିଣପଶ୍ଚିମ ସ୍ଥିତ ଭେରଭାଲରୁ ୧୩୦ କିଲୋମିଟର ଦୂର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ସୌରାଷ୍ଟ୍ର ଉପକୂଳ ଦେଇ ଏହି ସାମୁଦ୍ରିକ ଝଡ଼ ପଳାଇବ ବୋଲି ସୂଚନା ରହିଛି। ଏହି ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଆଡ଼କୁ ଯିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟର ରହିପାରେ।

ଅନ୍ୟପକ୍ଷରେ ‘ବାୟୁ’ ପ୍ରଭାବରେ ଗୁଜରାଟ ଉପକୂଳ ଅଶାନ୍ତ ହୋଇପଡ଼ୁଛି। ପୋରବନ୍ଦରରେ ଥିବା ଚୌପଟ୍ଟି ସମୁଦ୍ର ତଟ ଅଶାନ୍ତ ହୋଇ ପଡ଼ିଛି। ଆଜି ପୋରବନ୍ଦର ଏବଂ ମହୁଭରେ ଭିତରେ ଏହି ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ ସୂଚନା ଥିଲା।‘ବାୟୁ’ ଗୁଜରାଟ ଉପକୂଳ ଛୁଇଁ ନଥିବା ବେଳେ ଏହାର ପ୍ରଭାବରେ ହେଉଥିବା ପବନରେ ଗିର ସୋମନାଥ ଜିଲ୍ଲାରେ ଥିବା ସୋମନାଥ ମନ୍ଦିରର ପ୍ରବେଶ ପଥ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହୁଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ‘ବାୟୁ’କୁ ଦୃଷ୍ଟିରେ ରଖି ୫୦୦ଟି ଗାଁର ୨ ଲକ୍ଷ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୦ ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସେହିପରି ୧୧୦ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ସୂଚନା ରହିଛି। ପ୍ରବଳ ବେଗରେ ପବନ ବହୁଥିବାରୁ ଗତକାଲି ରାତିରୁ ବିମାନବନ୍ଦର ବନ୍ଦ ରଖାଯାଇଛି। ପୋରବନ୍ଦର, ଦୀବ, ଭାବାନଗର, କେଶୋଦ ଆମ୍ବା କାଣ୍ଡଲାରେ ବିମାନ ସେବା ବନ୍ଦ ରହିଛି। ଏଥିସହ ଆଜି ଏବଂ କାଲି ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

Comments are closed.