Odisha Link
Bridging the Missing Links in Odisha

ଶିଶିର ବେହେରାଙ୍କୁ ୨୦୧୯ ପାଇଁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ଓଡ଼ିଆ ଭାଷା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଯୁବ ଆଲୋଚକ ଓ ଅନୁବାଦକ ଶିଶିର ବେହେରା। ୧୯୮୭ ମସିହାରେ ଜନ୍ମିତ ଶିଶିର ନିଜର ଆଲୋଚନା ଗ୍ରନ୍ଥ ବିମୁଗ୍ଧ ଉଚ୍ଚାରଣ (ପ୍ରକାଶକ- ଓଡ଼ିଶା ବୁକ୍‌ ଏମ୍ପୋରିଅମ) ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଶିଶରଙ୍କୁ ୫ଟି ଅନୁବାଦ ପୁସ୍ତକ, ୪ଟି ଅଆଲୋଚନା ଗ୍ରନ୍ଥ ଓ ୪ଟି ସମ୍ପାଦିତ ପୁସ୍ତକ; ଏହିପରି ମୋଟ ୧୩ଟି ପୁସ୍ତକ ପ୍ରକାଶ ପାଇ ସାରିଛି। ସେ ସମ୍ପ୍ରତି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଛନ୍ତି।

ଭବିଷ୍ୟତରେ ଏକାଡେମି ଦ୍ବାରା ହେବାକୁ ଥିବା ଏକ ସ୍ବତନ୍ତ୍ର ସମ୍ମାନ ପ୍ରଦାନ ଉତ୍ସବରେ ଶିଶରଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା, ମାନପତ୍ର, ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯିବ ବୋଲି ଏକାଡେମି ସଚିବ ଶ୍ରୀନିବାସ ରାଓ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ପୂର୍ବରୁ ଓଡ଼ିଆ ଭାଷାର ଲେଖକ ଗାୟତ୍ରୀବାଳା ପଣ୍ଡା (୨୦୧୧), ସୃଷ୍ଟିଶ୍ରୀ ନାଏକ (୨୦୧୨), କ୍ଷେତ୍ରବାସୀ ନାଏକ (୨୦୧୩), ନରେନ୍ଦ୍ର କୁମାର ଭୋଇ (୨୦୧୪), ସୁଜିତ କୁମାର ପଣ୍ଡା (୨୦୧୫), ଜ୍ଞାନୀ ଦେବାଶିଷ ମିଶ୍ର (୨୦୧୬), ସୂର୍ଯ୍ୟସ୍ନାତ ତ୍ରିପାଠୀ (୨୦୧୭) ଓ ଜୟଦ୍ରଥ ସୁନା (୨୦୧୮) ଏହି ପୁରସ୍କାର ପାଇ ସାରିଛନ୍ତି।

ଚଳିତ ବର୍ଷର ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ବିଚାରକ ରହିଥିଲେ କଥାଶିଳ୍ପୀ ପାରମିତା ଶତପଥୀ, କଥାଶିଳ୍ପୀ ଜୟନ୍ତୀ ରଥ ଓ ସମାଲୋଚକ କ୍ଷୀରୋଦ ଚନ୍ଦ୍ର ବେହେରା।

ଶିଶରଙ୍କୁ ଓଡ଼ିଶା ଲିଙ୍କ୍‌ ଖବର ପୋର୍ଟାଲ ପକ୍ଷରୁ ଅଭିନନ୍ଦନ।

Comments are closed.