Odisha Link
Bridging the Missing Links in Odisha

ସାହିତ୍ୟ ଏକାଡେମି ‘ବାଲ୍ ସାହିତ୍ୟ ପୁରସ୍କାର’ ପାଇବେ ବୀରେନ୍ଦ୍ର କୁମାର ସାମନ୍ତରାୟ

ଭୁବନେଶ୍ବର: ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ନିରବଛିନ୍ନ ସାଧନା କରୁଥିବା ବରିଷ୍ଠ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ତାଙ୍କର ସାମଗ୍ରୀକ କୃତି ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମିର ସମ୍ମାନଜନକ ବାଲ୍‌ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ।

୧୯୪୭ ମସିହା ଜୁଲାଇ ମାସ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଅନ୍ତର୍ଗତ ବାଲିସାହିରେ ଜନ୍ମିତ ଶ୍ରୀ ସାମନ୍ତରାୟ ପ୍ରାୟ ୫୦ ଖଣ୍ଡ ପୁସ୍ତକର ରଚୟିତା। ତେବେ ତାଙ୍କର ଅନ୍ୟ ବିଶେଷ କୃତିତ୍ୱ ହେଉଛି ‘ପିଲାଙ୍କ ବିଶ୍ବକୋଷ’ ଓ ‘ଉତ୍କଳ ପ୍ରଦୀପ’ ଜ୍ଞାନକୋଷ। ‘ରାଜାର ସ୍ବପ୍ନ’ ପାଇଁ ସେ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଅତୀତରେ ସେ ‘ଟୁଉକୁମୂଷି’ ନାମକ ଶିଶୁସାହିତ୍ୟ ପତ୍ରିକାର ସଂପାଦନା କରୁଥିଲେ।

ସେ ସ୍ବଗ୍ରାମରେ ବ୍ୟକ୍ତିଗତ ଉଦ୍ୟମରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି।

୨୦୧୯ ମସିହା ପାଇଁ ଶ୍ରୀ ସାମନ୍ତରାୟ ପୁରସ୍କାର ପାଉଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ଶ୍ରୀ ଅରବିନ୍ଦ ପଟ୍ଟନାୟକ, ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ଶ୍ରୀ ଦାଶ ବେନହୁର।

Comments are closed.