Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ମମତା-ଡାକ୍ତର ବିିବାଦ: ୩୦୦ରୁ ଉର୍ଦ୍ଧ୍ବ ଡାକ୍ତର ଦେଲେ ଇସ୍ତଫା

କୋଲକାତା: ବିବାଦ ମମତାଙ୍କ ପିଛା ଛାଡ଼ିବା ଜମା ନାଁ ଧରୁନି। ପୂର୍ବରୁ ପୋଷ୍ଟକାର୍ଡ, ସ୍ଲୋଗାନ୍‌ ଭଳି ବିବାଦ ଘେରେ ଥିବା ମମତା ଏବେ ଡାକ୍ତରଙ୍କ ବିବାଦରେ ଛନ୍ଦି ହୋଇଯାିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ଆଜି ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ।

ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୩୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ ତଥା ପଶ୍ଚିମବଙ୍ଗର ବଡ଼ ବଡ଼ ଡାକ୍ତରାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘ ପଶ୍ଚିମବଙ୍ଗ ସରକାରକୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ଉଲ୍ଲେଖ କରିଛି ଡାକ୍ତର ସଂଘ। ଏହି ସମୟ ମଧ୍ୟରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି। ଅନ୍ୟପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏଭଳି ସମୟରେ ନିଜ ସମ୍ମାନକୁ ନ ଦେଖି ସମସ୍ୟାର ସମାଧାନ କରିବା ପାଇଁ ମମତାଙ୍କୁ ଆହ୍ୱାନ କରିଛନ୍ତି ହର୍ଷବର୍ଦ୍ଧନ। ସୂଚନାଯୋଗ୍ୟ, ଚଳିତ ସପ୍ତାହର ସୋମବାର ଦିନ କୋଲକାତା ସ୍ଥିତ ଏନଆରଏସ ମେଡିକାଲ କଲେଜରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାରେ ନିୟୋଜିତ ଥିବା ଦୁଇ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏବେ ଗୁରୁତର ଅବସ୍ଥାରେ ଦୁଇ ଜୁନିୟର ଡାକ୍ତର ଚିକିତ୍ସାଧୀନ ଅଛନ୍ତି।

Comments are closed.