Odisha Link
Bridging the Missing Links in Odisha

ଆଜି ପଞ୍ଚମ ନୀତି ଆୟୋଗ ବୈଠକ: ମମତା ଏବଂ କେସି ରାଓ ଯୋଗଦେବେ ନାହିଁ

ନୂଆଦିଲ୍ଲୀ: ଆଜି ନୀତି ଆୟୋଗର ପଞ୍ଚମ ସାଧାରଣ ପରିଷଦ ବୈଠକ। ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆଜି ଏହି ବୈଠକ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପଞ୍ଚମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଦେଶର ପ୍ରମୁଖ ପ୍ରସଙ୍ଗ ଯଥା ମରୁଡ଼ି, ଚାଷ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା, ବର୍ଷା ଜଳ ସଂରକ୍ଷଣ ଏବଂ ଖରିଫ ଚାଷ ଆଦି ଏହି ବୈଠକରେ ଆଲୋଚନା ହେବ। ଏଥିସହ ଏହି ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ବାବଦରେ ଆଲୋଚନା ହେବ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ରାଜ୍ୟର ଉପ-ରାଜ୍ୟପାଳ, କିଛି କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ଭାଗ ନେବେ। ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟ ଗୁଡ଼ିକୁ ସହଯୋଗ କରିବା ପାଇଁ ନୀତି ଆୟୋଗ ପାଖରେ ଅର୍ଥନୀତିକ କ୍ଷମତା ନାହିଁ, ତେଣୁ ଏହି ବୈଠକରେ ଯୋଗ ଦେଲେ କିଛି ଲାଭ ହେବ ନାହିଁ ବୋଲି ସେ କହିବା ସହ ଏହି ବୈଠକକୁ ବୟକଟ୍ କରିଛନ୍ତି।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ମଧ୍ୟ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି। ସେ ରାଜ୍ୟର କେତେକ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ। ତେଣୁ ଏହି ବୈଠକକୁ ଆସିପାରିନଥିବା ଜଣାପଡ଼ିଛି। କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକା ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଫେବୃଆରୀ ୮, ୨୦୧୫ରେ ନୀତି ଆୟୋଗର ପ୍ରଥମ ବୈଠକ ବସିଥିଲା। ଦ୍ୱିତୀୟ ବୈଠକ ଜୁଲାଇ ୧୫, ୨୦୧୫, ତୃତୀୟ ବୈଠକ ଏପ୍ରିଲ ୨୩, ୨୦୧୭ ଏବଂ ଗତବର୍ଷ ଜୁନ ୧୭ରେ ନୀତି ଆୟୋଗର ଚତୁର୍ଥ ବୈଠକ ବସିଥିଲା। ଦ୍ୱିତୀୟ ଥର ପାଇଁ ମୋଦି ସରକାର ନିର୍ବାଚିତ ହୋଇଆସିବା ପରେ ଏହା ପ୍ରଥମ ବୈଠକ ହେବ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ପରେ ପୂର୍ବରୁ ଥିବା ଯୋଜନା କମିଶନକୁ ନବୀକରଣ କରାଯାଇ ନୀତି ଆୟୋଗ ଗଠନ କରାଯାଇଛି।

Comments are closed.