Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆୟୋଜନକୁ ନେଇ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବର୍ଷା। କାରଣ ଏଯାବତ୍‌ ୧୯ଟି ମ୍ୟାଚରୁ ୩ଟି ମ୍ୟାଚ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏପର୍ଯ୍ୟନ୍ତ ୧୨ଟି ବିଶ୍ବକପ୍‌ ଆୟୋଜନ ହୋଇଛି, ସେଥିରୁ ୧୧ଟି ବିଶ୍ବକପରେ ମାତ୍ର ୨ଟି ମ୍ୟାଚ୍ ବର୍ଷା କାରଣରୁ ବାତିଲ୍ ହୋଇଥିଲା। କିନ୍ତୁ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍ ରଦ୍ଦ ହୋଇସାରିଛି। ଚଳିତ ବିଶ୍ୱକପ୍ ପାଇଁ ପ୍ରସ୍ତୁତିକୁ ନେଇ ଏବେ ଚାରିଆଡ଼ୁ ପ୍ରଶ୍ନ ଉଠିବାରେ ଲାଗିଛି। କ୍ରିକେଟ ଜଗତରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏପରିକି ଆୟୋଜନର ବଡ଼ ଷ୍ଟେକହୋଲ୍ଡର ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ଜାହିର କରିସାରିଛି।ଆୟୋଜକ ବିଶେଷକରି ବିଶ୍ୱକପର ସମୟକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୁନରେ ବିଶ୍ୱକପ୍ ଆରମ୍ଭ କରିବାର ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏଥିସହ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ବର୍ଷା ସମୟରେ ପିଚକୁ ଢ଼ାଙ୍କିବା ପାଇଁ ପର୍ଯ୍ୟାପ୍ତ ଗ୍ରାଉଣ୍ଡ କଭରର ବ୍ୟବସ୍ଥା କରାଯାଇନାହିଁ। ଏକ ବଡ଼ ଷ୍ଟେକହୋଲ୍ଡର ନିଜର ଅସନ୍ତୋଷ ପ୍ରକାଶ କରି କହିଛି ଯେ, ଯେତେବେଳେ ଜଣେ ଇଂଲଣ୍ଡ ଆସେ, ସେ ସର୍ବପ୍ରଥମେ ନିଜକୁ ବର୍ଷାରୁ ରକ୍ଷା କରିବା ପାଇଁ ରେନ୍ କଭରର ବ୍ୟବସ୍ଥା କରିଥାଏ। ଏହା ଏକ ସାଧାରଣ କଥା। ତେଣୁ ଗ୍ରାଉଣ୍ଡ ପାଇଁ କାହିଁକି ରେନ୍ କଭରର ବ୍ୟବସ୍ଥା କରାଗଲା ନାହିଁ ତାହା ଏବେ ପ୍ରଶ୍ନ ଉଠୁଛି।

ଟ୍ରେଣ୍ଟ ବ୍ରିଜର ଗ୍ରାଉଣ୍ଡ ଆଧୁନିକ ସୁବିଧାରେ ଭରପୂର ଅଛି। ଏହାର ସ୍କୋୟାର ସମ୍ପୂର୍ଣ୍ଣ ଭାବେ ଢ଼ାଙ୍କି ହୋଇ ସାରିଛି। ଡ୍ରେନେଜ୍ ସିଷ୍ଟମ୍ ମଧ୍ୟ ଜବରଦସ୍ତ ରହିଛି। କିନ୍ତୁ ପୂରା ଗ୍ରାଉଣ୍ଡକୁ ଢ଼ାଙ୍କିବା ପାଇଁ ଗ୍ରାଉଣ୍ଡ୍ କଭରର ବ୍ୟବସ୍ଥା କାହିଁକି କରାଯାଇ ନାହିଁ? ସୂଚନାଯୋଗ୍ୟ, ଆଉଟଫିଲ୍ଡ ଶୁଖି ନପାରିବାରୁ ନଟ୍ଟିଂହାମରେ ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ୍ କରିବାକୁ ପଡ଼ିଥିଲା। ସୀମିତ ଓଭରର ମ୍ୟାଚ୍ ଗତକାଲି କରାଯାଇପାରି ଥାନ୍ତା, କିନ୍ତୁ ଆଉଟ୍ ଫିଲ୍ଡ ଓଦା ଯୋଗୁ ଏହା ସମ୍ଭବ ହୋଇନଥିଲା। ନଟ୍ଟିଂହାମରେ ଗତ ୪୮ ଘଣ୍ଟା ହେବ ବର୍ଷାର ଲୁଚକାଳି ଖେଳ ଜାରି ରହିଥିଲା ଏବଂ ଆଉଟ୍ ଫିଲ୍ଡ ନ ଢ଼ାଙ୍କିବା ଯୋଗୁ ଓଦା ହୋଇଥିଲା ବୋଲି କ୍ରିକେଟ ବିଶେଷଜ୍ଞ ମାନେ କହିଛନ୍ତି। ବିଭିନ୍ନ ମହଲରେ ଏହି ମାମଲାକୁ ନେଇ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଓ ଆଇସିସି ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ବର୍ତ୍ତମାନ ସେ ଇଂଲଣ୍ଡରେ ବିଶ୍ୱକପ୍ କମେଣ୍ଟ୍ରି କରୁଛନ୍ତି। ସେ ପ୍ରସ୍ତୁତିକୁ ନେଇ ନିରାଶା ପ୍ରକାଶ କରି କହିଛନ୍ତି ଯେ, “ଇଡେନ୍ ଗାର୍ଡେନ୍ସ ପାଖରେ ଫୁଲ୍ ଗ୍ରାଉଣ୍ଡ୍ କଭର ଉପଲବ୍ଧ ଅଛି।ହାସ୍ୟାସ୍ପଦ କଥା ହେଉଛି, ଆମେ ଏହି କଭର ଇଂଲଣ୍ଡରୁ ହିଁ ମଗାଇଥିଲୁ ଏବଂ ଏହାକୁ ଆମେ ବ୍ୟବହାର କରୁଛୁ। ତେବେ ମୁଁ ଆଶ୍ଚର୍ଯ୍ୟ ଯେ, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କ’ଣ ପାଇଁ ନିଜ ଗ୍ରାଉଣ୍ଡରେ ଏହି କଭରର ବ୍ୟବହାର କରୁନାହିଁ।” ବୋଲି ସେ କହିଛନ୍ତି।ଏହାସହ ଇଂଲଣ୍ଡରେ ଜୁନ୍-ଜୁଲାଇ ସବୁଠାରୁ କଷ୍ଟକର ସମୟ। ଏହି ସମୟରେ ବର୍ଷା ହେବାର ଅଧିକ ସମ୍ଭାବନା ଥାଏ। ତେବେ ଆଇସିସି କ’ଣ ପାଇଁ ଏମିତି କାର୍ଯ୍ୟସୂଚୀ ପ୍ରସ୍ତୁତି କରିଛି ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି।

Comments are closed.