Odisha Link
Bridging the Missing Links in Odisha

ବାଜିଲା ରାଜ୍ୟସଭା ବିଗୁଲ: ୩ ରାଜ୍ୟସଭା ପଦବୀ ପାଇଁ ବିଜ୍ଞପ୍ତି ଜାରି, ଆଶାୟୀ ଦୌଡ଼ରେ କେଉଁ ମାନେ ଅଛନ୍ତି ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟର ଖାଲିଥିବା ତିନୋଟି ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ ହୋଇଛି। ଏ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରୁ କିଏ ରାଜ୍ୟସଭାକୁ ଯିବେ ସେଥିଲାଗି ଲବି ଆରମ୍ଭ ହୋଇଯାଇଛି। ରାଜ୍ୟସଭା ସଦସ୍ୟ ପଦରୁ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ ସାମନ୍ତ ଇସ୍ତଫା ଦେବା ପରେ ଏହି ତିନୋଟି ପଦ ଖାଲିି ପଡିଛି। ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରତାପ ଦେବ ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ା ଓ ଆଳି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଅଚ୍ୟୁତ ସାମନ୍ତ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଭୁବନେଶ୍ୱରର ପୂର୍ବତନ ଲୋକସଭା ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ପଠାଯିବ ବୋଲି ବିଜୁ ଜନତା ଦଳ ପ୍ରତିଶ୍ରୁତି ଦେଇଥିଲା। ଯଦି ପ୍ରତିଶ୍ରୁତି ମୁତାବକ ଏହି ଦୁଇ ନେତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ଟିକେଟ ଦିଆଯାଏ,ତେବେ ତୃତୀୟ ଆସନ ପାଇଁ ଟିକେଟ କିଏ ପାଇବେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଯୋର ଧରିଛି।ତୃତୀୟ ସ୍ଥାନ ପାଇଁ ପୂର୍ବତନ ଏଜି ଅମର ପଟ୍ଟନାୟକ, ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି।

ରାଜ୍ୟର ବିଧାୟକମାନେ ରାଜ୍ୟସଭା ପାଇଁ ଏହି ପରୋକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବେ। ରାଜ୍ୟ ବିଧାନସଭାର ମୋଟ ୧୪୭ଟି ଆସନ ମଧ୍ୟରୁ ଶାସକ ବିଜୁ ଜନତା ଦଳ ୧୧୨ଟି ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଭାରତୀୟ ଜନତା ପାର୍ଟି ୨୩, କଂଗ୍ରେସ ୯ ଏବଂ ଅନ୍ୟାନ୍ୟ ଦଳ ଦୁଇଟି ଆସନ ପାଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ଏହି ଦଳମାନେ ଏକା କୌଣସି ରାଜ୍ୟସଭା ଆସନ ଜିତିପାରିବେ ନାହିଁ। ତେଣୁ ତିନୋଟି ଯାକ ଆସନ ଶାସକ ବିଜୁ ଜନତା ଦଳ ହାତରେ ହିଁ ରହିବ। କେବଳ କିଏ କିଏ ରାଜ୍ୟସଭାକୁ ଯାଉଛନ୍ତି ତାହା ଦେଖିବା ବାକି ରହିଲା।

Comments are closed.