Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ, ୮୯ ରନ୍‌ରେ ହାରିଲା ପାକିସ୍ତାନ

ମାଞ୍ଚେଷ୍ଟର: ସୁପରସଣ୍ଡେ ହାଇଭୋଲଟେଜ ମ୍ୟାଚରେ ଭାରତ ପାକିସ୍ତାନକୁ ୮୯ରନରେ ପରାସ୍ତ କରିଛି। ଡିଏଲଏସ୍‌ ମେଥଡ଼ରେ ପାକିସ୍ତାନକୁ ବୃହତ ୮୯ରନ୍ ବ୍ୟବଧାନରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ମାତ୍‌ ଦେଇଛି। ଦୁଇ ଅଲରାଉଣ୍ଡରଙ୍କ ଦମଦାର ବୋଲିଂ ବଳରେ ପାକିସ୍ତାନକୁ ଧୂଳି ଚଟେଇଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ ଶତକ ସାଙ୍ଗକୁ ବିରାଟ, ରାହୁଲଙ୍କ ଅର୍ଦ୍ଧଶତକୀୟ ପାରି ଏବଂ ଭଲ ବୋଲିଂ ବଳରେ ଭାରତ କ୍ରିକେଟ ମହାକୁମ୍ଭରେ ତାର ତୃତୀୟ ମ୍ୟାଚରେ ବିଜୟ ଲାଭ କରିଛି। ଖେଳ ମଝିରେ ବର୍ଷା ହେବାରୁ ଡିଏଲଏସ୍‌ ମେଥଡ଼ରେ ୪୦ ଓଭର ଖେଳ ହୋଇଥିଲା। ଡିଏଲଏସ୍‌ ମେଥଡ଼ ଦ୍ବାରା ପାକିସ୍ତାନକୁ ୩୦୨ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ସହଜରେ ମ୍ୟାଚ୍ ଜିତି ଯାଇଥିଲା ।

କ୍ରିକେଟ ବିଶ୍ବକପ୍‌ ୨୦୧୯ର ୨୨ତମ ମ୍ୟାଚରେ ପାକିସ୍ତାନ ଅଧିନାୟକ ସରଫରାଜ ପ୍ରଥମେ ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ଆମନ୍ତ୍ରଣକୁ ଭାରତର ଦୁଇ ଅପନିଙ୍ଗ୍‌ ଯୋଡ଼ି ନିଜ ନିୟନ୍ତ୍ରଣକୁ ନେଇଥିଲେ। ଭାରତ ପକ୍ଷରୁ ଆସିଥିବା ରୋହିତ-ରାହୁଲ ଯୋଡ଼ି ଭାରତକୁ ଦମଦାର ଆରମ୍ଭ ଦେଇଥିଲେ। ଟିମ୍‌ର ଓପନର ଯୋଡ଼ିଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଭାରତ ପ୍ରଥମ ଓ୍ଵିକେଟ୍‌ରେ ୧୩୬ ରନ୍‌ ସଂଗ୍ରହ ହୋଇଥିଲା। ଲୋକେଶ ରାହୁଲ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଅଧିନାୟକ ବିରାଟ କୋହଲି ପ୍ରବେଶ କରିଥିଲେ। ଭାରତ ୨୩୪ ରନ୍‌ରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ସ୍କୋର ୨୮୫ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ପାକସ୍ତାନର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି। ଧୋନି ଆଉଟ୍‌ ହେବା ସମୟରେ ଭାରତର ସ୍କୋର ୪୫.୧ ଓଭରରେ ୨୯୮ ରନ୍‌ ପହଂଚି ସାରିଥିଲା। ମ୍ୟାଚର ୪୬ତମ ଓଭରରେ ବର୍ଷା ହେବା ହେତୁ ଖେଳରେ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ ବିରାଟ ୭୭ରନ୍‌ କରି ପ୍ୟାଭିଲିଆନ୍‌ ଚାଲିଯାଇଥିଲେ। ବିଜୟ ଶଙ୍କରଙ୍କ ୧୫ ଏବଂ କେଦାର ଯାଦବଙ୍କ ୯ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୩୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପାକିସ୍ତାନ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଅମୀର ୩ଟି ଓ୍ବିକେଟ ନେଇଥିବା ବେଳେ ଓ୍ବହାବ ରିଆଜ ଏବଂ ହାସନ୍‌ ଅଲ୍ଲୀ ଗୋଟାଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।

୩୩୭ ରନର ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ପକ୍ଷରୁ ଇମାମ୍‌ ଉଲ ହକ୍‌ ଏବଂ ଫକର ଜମନ ପାଳି ଆରମ୍ଭ କରିଥିଲେ। ପାକିସ୍ତାନ ଇନିଂସର ଚତୁର୍ଥ ଓଭରର ଚତୁର୍ଥ ବଲ ପକାଇବା ପରେ ଭୁବନେଶ୍ୱର ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ଯୋଗୁ ପ୍ୟାଭିଲିୟନ୍ ଫେରିଥିଲେ। ଯାହା ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର ଥିଲା। କିନ୍ତୁ ତା ପର ବଲରେ ପାକିସ୍ତାନକୁ ଲାଗିଲା ପ୍ରଥମ ଝଟକା। ଓଭରର ବଳକା ଦୁଇ ବଲ ପକାଇବାକୁ ଅଲରାଉଣ୍ଡର ବିଜୟ ଶଙ୍କର ଆସିଥିଲେ। ପାକିସ୍ତାନ ସ୍କୋର ୧୩ ଥିବା ବେଳେ ଓପ୍ନର ଇମାମ୍-ଉଲ୍-ହକ (୭)ଙ୍କୁ ବିଜୟ ଶଙ୍କର ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଶଙ୍କର ବିଶ୍ୱକପରେ ନିଜର ପ୍ରଥମ ବଲରେ ହିଁ ଇମାମଙ୍କୁ ଆଉଟ୍ କରି ବିଶ୍ବକପରେ ଦମଦାର ଶୁଭାରମ୍ଭ କରିବା ସହ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ। ତାପରେ କ୍ରିଜକୁ ଆସିଥିଲେ ଅନୁଭବି ଖେଳାଳୀ ବାବର ଆଜାମ। ସେ ଫକର ଜମନଙ୍କ ସହ ମିଶି ଦଳୀୟ ସ୍କୋରକୁ ଦୃଢ ସ୍ଥିତିକୁ ଆଣିଥିଲେ। ପାକିସ୍ତାନ ଇନିଂସର ୨୩ ଓଭରରେ ଚାଇନା ମ୍ୟାନ୍‌ କୁଲଦୀପ ଯାଦବ ବାବର ଆଜମଙ୍କୁ କ୍ଲିନ୍‌ ବୋଲ୍ଡ କରି ଟିମ୍‌ ଇଣ୍ଡିଆକୁ ଦ୍ବିତୀୟ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୧୨୬ ଥିବାବେଳେ କୁଲଦୀପଙ୍କ ବଲରେ ଆଉଟ ହୋଇଯାିଥିଲେ। ତାପରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ହାଫିଜ ଏବଂ ସୋହେବ ମଲ୍ଲିକଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ ହାର୍ଦିକ ପାଣ୍ଡିଆ। ସେହିପରି ଦଳୀୟ ସ୍କୋର ୧୬୫ ହୋଇଥିବାବେଳେ ପାକିସ୍ତାନ ଦଳକୁ ଲାଗିଲା ଆଉ ଏକ ଝଟକା। ଅଧିନାୟକ ସରଫରାଜ ଖାନ ବ୍ୟକ୍ତିଗତ ୧୨ ରନ୍‌ କରି ପ୍ୟାଭିଲିଆନ୍‌ ମୁହାଁ ହୋଇଥିଲେ। ନିର୍ଦ୍ଧାରିତ  ୪୦  ଓଭରରେ ପାକିସ୍ତାନ ଟିମ୍ ୬ ଓ୍ବିକେଟ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବିଜୟ ଶଙ୍କର, ହାର୍ଦିକ୍‌ ପାଣ୍ଡିଆ, କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି। ଏହାସହ ଭାରତ ବିଶ୍ବକପରେ ପାକିସ୍ତାନ ବିପକ୍ଷ ସମସ୍ତ ମ୍ୟାଚରେ କେବେ ହେଲେ ହାରିନାହିଁ। ମ୍ୟାଚର ଶ୍ରେଷ୍ଠ ଖେଳାଳୀ ରୋହିତ ଶର୍ମା ହୋଇଛନ୍ତି।

Comments are closed.