Odisha Link
Bridging the Missing Links in Odisha

ଆଜି ବିଶ୍ୱ ପିତୃ ଦିବସ

ଭୁବନେଶ୍ବର: ସାରା ବିଶ୍ବ ଆଜି ପାଳନ କରୁଛି ବିଶ୍ବ ପିତୃ ଦିବସ। କଥାରେ ଅଛି ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିକ୍ଷା କରେ। ତେବେ ସେ ସଂସ୍କାରକୁ ନେଇ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇ ପାରିନଥାନ୍ତି। ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାଏ । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ମୁହୁର୍ତ୍ତରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ବାପା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାର ପ୍ରେରକ ,ସୁରକ୍ଷା କବଚ,ଆତ୍ମବିଶ୍ୱାସର ବାହକ ହେଉଛନ୍ତି ବାପା। କିନ୍ତୁ ସମାଜରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି। କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । କିନ୍ତୁ ପିତା ନିଜ ମନରେ ନିଜ କୋହକୁ ଚାପିରଖି ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତ ହେବାର ପରିଚୟ ଦେଇଥାନ୍ତି।

ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ। ଚଳିତ ବର୍ଷ ୧୬ ଜୁନ୍ ଅର୍ଥାତ୍ ଆଜିର ଦିନରେ ସମ୍ପୁର୍ଣ୍ଣ ବିଶ୍ୱ ପିତୃ ଦିବସ ପାଳନ କରୁଛି । ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ଉପହାର ତ ଦେଇପାରିବେ। ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। ଆଜିର ଏହି ପବିତ୍ର ଦିବସରେ ସମସ୍ତ ପିତା ମାତା ଓ ଗୁରୁଜନଙ୍କୁ ଓଡ଼ିଆ ଲିଙ୍କ୍‌ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

Comments are closed.