Odisha Link
Bridging the Missing Links in Odisha

୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନ ଆଜି, ପ୍ରଥମେ ଶପଥ ନେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି(ସୋମବାର) ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଶପଥ ନେବେ ବୋଲି ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଦୁଇ ଦିନ ବ୍ୟାପୀ ଚାଲିବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ନେବା ପାଇଁ ୟୁନାଇଡେଟ୍‌ ପ୍ରୋଗ୍ରେସିଭ୍‌ ଆଲିଆନ୍ସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସ୍ୱତନ୍ତ୍ର ସମୟ ମିଳିପାରେ। ସଦସ୍ୟମାନଙ୍କ ଶପଥ ଗ୍ରହଣ ସହ ଆଜି ଆରମ୍ଭ ହେବ ୧୭ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନ। ଗୃହକୁ ନିର୍ବାଚିତ ହେବା ପରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ପୂର୍ବରୁ ସଦସ୍ୟମାନେ ଶପଥ ନେବାର ବିଧି ରହିଛି। ଏହାପରେ ଲୋକସଭାରେ ବାଚସ୍ପତି ନିର୍ବାଚନ କରାଯାଏ।
ନିୟମ ଅନୁସାରେ ଗୃହର ନେତା ହିସାବରେ ପ୍ରଧାନମନ୍ତ୍ରୀ ପ୍ରଥମେ ଶପଥ ନିଅନ୍ତି। ଏହା ପରେ ଶପଥ ନିଅନ୍ତି ମନ୍ତ୍ରୀ ପରିଷଦ୍‌। ଶପଥ ନ ନେଲା ଯାଏଁ କୌଣସି ସଦସ୍ୟ ଗୃହର କୌଣସି କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି ନାହିଁ। ରାଜ୍ୟଗୁଡ଼ିର ବର୍ଣ୍ଣମାଳା କ୍ରମରେ ସମ୍ପୃକ୍ତ ରାଜ୍ୟରୁ ଆସିଥିବା ପାର୍ଲାମେଣ୍ଟର୍‌ ଅନ୍ୟ ସଦସ୍ୟମାନେ ଶପଥ ନିଅନ୍ତି। ଏକା ରାଜ୍ୟରୁ ନିର୍ବାଚିତ ହୋଇଥିବା ବିଭିନ୍ନ ସଦସ୍ୟମାନେ ମଧ୍ୟ ସେମାନଙ୍କ ନାମର ବର୍ଣ୍ଣମାଳା କ୍ରମରେ ଶପଥ ନିଅନ୍ତି। ଉଦାହରଣସ୍ୱରୂପ,ପ୍ରଥମେ ଆସିବ ଆଣ୍ଡାମାନ ଓ ନିକୋବର, ତା’ପଛକୁ ଆନ୍ଧ୍ରପ୍ରଦେଶ ଏବଂ ଅରୁଣାଚଳ ପ୍ରଦେଶ।ଏଥର ପ୍ରଥମ କରି ଲୋକସଭା ସଚିବାଳୟ ଶପଥ ନେବାକୁ ଥିବା ସଦସ୍ୟମାନଙ୍କ ଲାଗି ୨୨ଟି ଭାଷାର ଅନ୍‌ଲାଇନ୍‌ ଫର୍ମା ଯୋଗାଇ ଦେବେ। ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ଯେ କୌଣସି ଭାଷାରେ ଶପଥ ନେଇ ପାରନ୍ତି। ଯଦି ତାହା ହିନ୍ଦୀ କିମ୍ବା ଇଂରାଜୀ ଭାଷା ହୋଇ ନ ଥାଏ, ତେବେ ସେମାନେ ଆଗତୁରା ଲୋକସଭା ସଚିବାଳୟକୁ ନୋଟିସ୍‌ ଦେବେ। ଏହାସହ ସାଂସଦମାନେ ଈଶ୍ୱର କିମ୍ବା ସମ୍ବିଧାନ ନାମରେ ଶପଥ ନେଇ ପାରିବେ।

Comments are closed.