Wed. Jul 24th, 2019

Odisha Link

bridging the missing links in odisha

ଧୂମକେତୁ

1 min read
  •  
  •  
  •  
  •  
  •  
  •  
  •  

ସୁଷମା ଦାଶଙ୍କ ଗଳ୍ପ

ଧୂମକେତୁ

ଏ ଗଳ୍ପଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ସୁଷମା ଦାଶଙ୍କ ସଦ୍ୟତମ ସଂକଳନ ସାରା ରାତି ବର୍ଷାରୁ ଅ‍ାସିଛି

ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉


ମୋ ବଡ଼ ଭଉଣୀ ଯେତେବେଳେ ପନ୍ଦର ବର୍ଷର ମୁଁ ସେତେବେଳେ ବାର ବର୍ଷର। ତାର ପ୍ରତ୍ୟେକଟି ଜିନିଷ, ଚାଲିଚଳନ, କଥାବାର୍ତ୍ତ। ମୋତେ ଭାରି ଭଲ ଲାଗୁଥିଲା ତ ମୁଁ ତାକୁ ଅନୁସରଣ କରୁଥିଲି। ମୋ’ ବଡ଼ ଭଉଣୀ ହାତରେ ରଙ୍ଗବେରଙ୍ଗର ଚୁଡ଼ି, ଗଳାରେ ମୋତି ମାଳା ପକାଇବାକୁ ଭଲ ପାଉଥିଲା। ଆଉ ତା’ ମୁଣ୍ଡରେ ନାଲି ରିବନର ଛନ୍ଦା ବେଣୀ, ମୋତେ ଖୁବ୍ ଭଲ ଲାଗୁଥିଲା। ସେ ସବୁକୁ ସେ ସାଇତି କରି ତାର ବଡ଼ ବାକ୍ସ ଭିତରେ ରଖୁଥିଲା। ଅନେକ ବେଳେ ମୁଁ ତାର ଅନୁମତିରେ ନିଜେ ସେଗୁଡ଼ିକୁ ପିନ୍ଧୁଥିଲି ଓ ଆଇନାରେ ନିଜର ପ୍ରତିଛବିକୁ ଦେଖି ତା ଭଳି ମୁଖଭଙ୍ଗୀ କରୁଥିଲି। ମୋ’ ମାଆ ଯେତେବେଳେ ଏଇ କଥା ଦେଖୁ ଥିଲେ, ସେ ଚୁପ୍ କି ଯାଇ ଜେଜେମା’ଙ୍କୁ ମଧ୍ୟ ଡାକି ଆଣି ଦେଖାଇ ଦେଉଥିଲେ। ସେମାନେ ମୋତେ ଦେଖି ଖୁବ୍ ଜୋରରେ ହସି ଉଠୁଥିଲେ।

ମିତୁର ବର ଆସିଲେ ତାକୁ ଛାଡ଼ି ତତେ ହିଁ ବାହା ହେଇ ଯିବ ଲୋ ଫୁଲେଇ। ମଜାରେ ମୋ’ ଜେଜେମା’ ମୁହଁ ମୋଡ଼ି ହସି ହସି ଏ କଥା ଯେବେ କହୁଥିଲେ ସେତେବେଳେ ମୁଁ ଗୋଡ଼ କଚାଡ଼ି କାନ୍ଦି ଉଠୁଥିଲି। ମାଆ କହୁଥିଲେ ଥାଉ ଥାଉ ଆଉ କାନ୍ଦେନା, ସେ ମଜା ହିଁ କରୁଥିଲେ। ମୁଁ କାନ୍ଦ ବନ୍ଦ କରି କହେ, ମୁଁ କାହିଁକି ବୁଢ଼ା ବରକୁ ବାହା ହେବି କି? ସମସ୍ତେ ହସି ଉଠନ୍ତି ତ ମୁଁ ବି ହସିଦିଏ।

ମୋ’ ଭାଇଙ୍କର ଅନେକ ସାଙ୍ଗ ଥିଲେ। ସେମାନେ ଅନେକ ବେଳେ ସାଙ୍ଗ ହୋଇ ଭାଇର ପଢ଼ାଘରେ ଖେଳ, ଗପସପ, ଆଉ କଲେଜ ବିଷୟରେ ଆଲୋଚନା କରୁଥିଲେ। ଛୁଟିଦିନରେ ସେମାନେ କ୍ୟାରମ୍ ଖେଳୁଥିଲେ ତ କେବେ କେବେ ଢେର ରାତି ଯାଏଁ ପଢ଼ାପଢ଼ି ବି ସାଙ୍ଗ ହୋଇ କରୁଥିଲେ। ପୂଜାପର୍ବ।ଣିରେ ମୋ’ ମା’ ଭାଇଙ୍କ ସାଙ୍ଗମାନଙ୍କୁ ପିଠା, ଖିରୀ ଖୁଆଉଥିଲେ। ସେମାନଙ୍କ ମଧ୍ୟରୁ ସୌମ୍ୟଜିତ ଭାଇ ବାରି ହୋଇପଡ଼ନ୍ତି। ସେ ଦେଖିବାକୁ ଖୁବ୍ ଡେଙ୍ଗା ଓ ଗୋରା ଥିଲେ। ଗୋଲାପି ଓଠକୁ କୁଞ୍ଚକୁଞ୍ଚତ୍ଆ ବାଳ ତାଙ୍କୁ ଖୁବ୍ ମାନୁଥାଏ। ଅନେକ ଝିଅ ତାଙ୍କ ସହିତ ସାଙ୍ଗ ହବାକୁ ଚାହିଁ ବସିଥାନ୍ତି। ମୋ’ ଭାଇଙ୍କର ସେହି ସବୁଠୁ ଅନ୍ତରଙ୍ଗ ସାଙ୍ଗ ଥିଲେ।

ମୋ’ ମା’ ଜିତ୍ ଭାଇଙ୍କୁ ଅଧିକ ପସନ୍ଦ କରୁଥିଲେ। ତାଙ୍କୁ ବଳେଇ ବଳେଇ ଖିରୀ, ପିଠା ଖାଇବାକୁ ଦଉଥିଲେ। ଜେଜେମା’ ଓ ମା’ ଅନେକ ସମୟରେ ତାଙ୍କୁ ଘର କଥା, ପାଠପଢ଼ା କଥା, ଚାକିରି ବାକିରି କରିବା, ଏଣୁ ତେଣୁ ଅନେକ କଥା ପ୍ରୂରି ବୁଝୁଥିଲେ। ଜିତ୍ ଭାଇଙ୍କ ବ୍ୟବହାରରେ ମା’ଙ୍କ ଆଖି ଦୁଇଟା ତୃପ୍ତିରେ ଉଚ୍ଛୁଳି ଉଠୁଥିବାର ମୁଁ ଅନେକ ବେଳେ ଲକ୍ଷ୍ୟ କରିଛି। ବଡ଼ ଭଉଣୀ ଆଗରେ କେତେଥର ଜେଜେମା’ ଜୀତ୍ ଭାଇଙ୍କୁ ନେଇ ଇଙ୍ଗିତ କରି ଟାପରା କରିବାର ମୁଁ ଶୁଣିଛି। ମୋ’ ବଡ଼ ଭଉଣୀ ଜେଜେମା’ର କୌଣସି ପ୍ରତ୍ୟୁତ୍ତର ନ ଦେଇ ଲାଜରେ ମୁଣ୍ଡ ପୋତି ସେ ଜାଗା ଛାଡ଼ି ଚାଲିଯାଉଥିବାର ଦୃଶ୍ୟ ବେଳେବେଳେ ମୋ’ ନଜରରୁ ବି ବାଦ୍ ଯାଇନି।

ପୁଅମାନଙ୍କୁ ନେଇ ଏଇ କିଛି ଦିନ ହେବ ମୋ’ ମନରେ କିଛିଟା ଭାବ ପ୍ରବଣତା ଆସିଯାଉଥାଏ। ସେଇ କିଶୋରୀ ଅବସ୍ଥାରେ ଖୁବ୍ ସଚେତନ ହେଇପଡ଼ିଥାଏ କି ମୁଁ ଝିଅଟିଏ, ମୋର ଚାଳିଚଳନ ତଥା ସାଙ୍ଗସାଥୀମାନଙ୍କୁ ନେଇ ମୁଁ ଖୁବ୍ ସଚେତନ ହେଇପଡ଼ିଥାଏ। କୌଣସି ପୁଅ ପିଲାଙ୍କ ସହ ମୁଁ ବି ଆଗପରି ଆଉ ଖୋଲାଖୋଲି କଥାବାର୍ତ୍ତ। କି ଖେଳାଖେଳି କରିପାରେନା।

ଆମ ଗାଁ ତଳ ସାଇର ଓମ୍ପ୍ରକାଶ ମୋରି ଶ୍ରେଣୀରେ ପଢୁଥାଏ। ସେ ମୋତେ ଦେଖିଲେ ଲାଜରେ ତଳକୁ ମୁହଁ ପୋତି କଥାବାର୍ତ୍ତ। କରେ। ମୁଁ ବି ଲାଜରେ ତଳକୁ ମୁହଁ କରିଦିଏ, ଆଦୌ ସହଜ ହେଇପାରେନା। ଦିନେ ସେ ମୋଠୁ ମୋର ହିନ୍ଦ କପିଟିକୁ ମାଗିନେଲା। ତା ପରଦିନ ସନ୍ଧ୍ୟା ବେଳେ ସେଇ କପି ଉପରେ ସୁନ୍ଦର ମଲାଟଟିଏ ମଡ଼ାଇ ମୋ’ ପାଖକୁ ତା’ ସାଙ୍ଗ ହାତରେ ପଠାଇଲା। ଯାହା ଉପରେ ମୋ’ ନାଁ, ସେକସନ୍ ରୋଲ୍ ନମ୍ବର ସୁନ୍ଦର ଗୋଲ ଗୋଲ ଅକ୍ଷରରେ ଲେଖାଥିଲା। ତାର ସବୁଠୁ ଘନିଷ୍ଠ ବନ୍ଧୁ ଚଇତା ସେଇ କପିଟିକୁ ଧରି ମୋ’ ପାଖକୁ ଆସିଥିଲା। କପିଟିକୁ ତା’ ହାତରୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ତା’ ଉପରେ ମଲାଟ ଥିଲା ଓ ତା’ ଭିତରୁ ଅନ୍ତରର ବାସ୍ନା ଭାସି ଆସୁଥିଲା। କୌତୂହଳରେ ଭିତର ପୃଷ୍ଠାଗୁଡ଼ିକ ଖେଳାଇ ଦେଖିଲି ତା’ ଭିତରେ ଗୋଲାପି ରଙ୍ଗର ଲଫାପାଟିଏ ଥିଲା। ଏଥର କୌତୂହଳ ଭୟର ରୂପ ନେଇଥିଲା। ମୁଁ ଡରି ଡରି ଲଫାପାଟିକୁ ଖୋଲିଲି। ଦୀପା ଆଉ ଲଭ୍ ୟୁ।

ମୋ’ କାନମୁଣ୍ଡାଟା ଝିମ୍ ଝିମ୍ କରି ଉଠିଲା। ଛାତି ଧଡ଼ପଡ଼ ହେଲା। ମୁଁ ଚଇତାକୁ କହିଲି ତୁ ଯାଆ। ଏଥର ସେ ହସି ଦେଇ ହଉ କହି ଚାଲିଗଲା। କେହି ମୋତେ ଦେଖିବା ପୂର୍ବରୁ ଅଣନିଶ୍ବାସୀ ହୋଇ ଧାଇଁ ଆସି ମୋ’ ପଢ଼ା ଘରେ ପଶିଗଲି ଓ ଲମ୍ବା ନିଶ୍ବାସ ନେଇ କହିଲି, ଓଃ, ରକ୍ଷା ମିଳିଗଲା।

କାଗଜଟିକୁ ଟିକ୍ ଟିକ୍ କରି ଚିରି ଦେଇ ସୁନାପିଲା ଭଳି ମୁଁ ପଢ଼ିବସିଲି। ହେଲେ ପଢ଼ାରେ ଜମା ମନା ଲାଗୁନଥାଏ। ଅନେକ ପ୍ରଶ୍ନ ମୋତେ ଆନ୍ଦୋଳିତ କରିଦେଉଥାଏ। ତା ସହ ଏକ ଅଜଣା ଭୟ ଓ ଲଜ୍ଜା… ଅନ୍ୟମାନେ ଜାଣିଲେ କ’ଣ କହିବେ? ତା ପରଦିନ ସ୍କୁଲ୍ ଯିବାକୁ ଇଚ୍ଛା ହେଉନଥାଏ, ତା’ ମୁହଁକୁ ଚାହିଁ ପାରିବି ତ? ଲାଜ ଲାଗୁଥାଏ, ତା ସହ ଡର ବି କିନ୍ତୁ ଯିବାକୁ ତ ପଡ଼ିବ। ଆଗକୁ ପରୀକ୍ଷା ଅଛି। ପ୍ରାର୍ଥନା କ୍ଲାସ୍ ସାରି ମୋ’ ସିଟ୍ ଆଡ଼କୁ ଯାଉ ଯାଉ ଦେଖିଲି ପିଲାମାନେ ମୋତେ ଚାହିଁ ଠରାଠରି ହେଇ ହସୁଛନ୍ତି, କିଛି ବୁଝି ପାରିଲିନି, କଥା କ’ଣ? କଳାପଟା ଆଡ଼କୁ ଇଙ୍ଗିତ କରି ମୋ’ ପ୍ରିୟ ସାଙ୍ଗ ଠାରି ଦେଲା ତ ମୁହୂର୍ତ୍ତକ ପାଇଁ ସେଇଠି ଯେପରି ଜଡ଼ ପାଲଟି ଗଲି!!

ଦୀପା+ପ୍ରକାଶ, ସ୍କୁଲ କଳାପଟାରେ ମୋ’ ନାଁ ସହିତ ତା’ ନାଁ ଯୋଡ଼ି ହୋଇ ଲେଖା ହୋଇଥିଲା। ମୁଁ ଲାଜ ଅପମାନ ଆଉ ଭୟରେ ସଙ୍କୁଚିତ ହୋଇ କାନ୍ଦି ପକାଇଲି। ତଳକୁ ମୁହଁ ପୋତି ଚୁପ୍ ହୋଇ ବସିରହିଲି। ପ୍ରଥମ ପିରିୟଡ଼ ଚାଲିଥାଏ, କ୍ଲାସକୁ ପଶିଆସିଲେ ଦୀନବନ୍ଧୁ ସାର୍, ଭାରି ରାଗୀ। କଳାପଟାରେ ଏସବୁ ଦେଖି ସମସ୍ତଙ୍କୁ ଠିଆ କରେଇଦେଲେ ଆଉ ପଚାରିଲେ- କିଏ ଏସବୁ ଲେଖିଛି, ସତ ସତ ମାନିଯାଅ, ମାନିଗଲେ କିଛି କହିବିନି ଛାଡ଼ି ଦେବି, ନହେଲେ ତୁମର ଆଉ ନିସ୍ତାର ନାହିଁ ଜାଣ। ପାଠ ପଢ଼ିବାକୁ ଆସିଛ ନା ତାମସା ଚାଲିଛି ଏଠି?

ଜଣ ଜଣଙ୍କ ନାଁ ଧରି ପଚାରିଲେ ହେଲେ କେହି ମାନିଲେନି ସବୁ ପିଲା କାନଧରି ବେଞ୍ଚ୍ ଉପରେ ଠିଆ ହେଲେ। ଓମ୍ ପ୍ରକାଶ କାନ୍ଦ ପକାଇ କହିଲା ସାର୍ ମୋ’ ବିଦ୍ୟା ରାଣ ମୁଁ ଲେଖିନି ଏସବୁ।

ସାର୍ ରାଗ ଶାନ୍ତ କରି ଡଷ୍ଟରରେ କଳାପଟାରୁ ସେତକ ଲିଭାଇ ଦେଲେ ହେଲେ ମୋ’ ମନର କଳାପଟାରେ ସେତକ ଅଲିଭା ହୋଇ ସବୁଦିନ ପାଇଁ ରହିଗଲା। ତାପର ଠାରୁ ତା ସହ କଥାବାର୍ତ୍ତ। ବନ୍ଦ, ବହି ଦେବାନେବା ବନ୍ଦ, ସାଙ୍ଗ ହେବା ତ ଦୂରର କଥା ତା’ ମୁହଁକୁ ଚାହିଁବା ବି ବନ୍ଦ ହୋଇଯାଇଥିଲା। ସେଇ ଘଟଣା ପରଠାରୁ ଦୀନବନ୍ଧୁ ସାର୍ ପୁଅମାନଙ୍କ ସହ ଝିଅ ମାନଙ୍କୁ କଥାବାର୍ତ୍ତ। କରିବାକୁ ମନା କରି ଦେଲେ। ଆମେ ସବୁ ଝିଅମାନେ ବି ସପ୍ତମରୁ ଦଶମ ଯାଏଁ ଆଉ ପୁଅମାନଙ୍କ ସହ କଥାବାର୍ତ୍ତ। ହୋଇନଥିଲୁ।

ଆମ ଗାଁ ଦେଇ ବୈତରଣୀ ନଈ ବହି ଯାଉଛି। ଖରାଦିନେ ଆମେ ସବୁ ନଈ ବାଲିରେ ଖେଳକୁଦ କରୁ। ଓମ୍ ବି ତା’ ସାଙ୍ଗମାନଙ୍କ ସହିତ ଯାଏ। ସେଇଠି ଗିଲିଦଣ୍ଡା, ବାଗୁଡ଼ି, ଘିରିଡ଼ି ପଛେ ପଛେ ଧାଇଁବା ଏମିତି କେତେ ଖେଳ ହୁଏ। ସନ୍ଧ୍ୟା ହେବା ପୂର୍ବରୁ ଘରକୁ ଫେରି ଆସୁ ହେଲେ ଚଇତା ସହ ଓମ୍ ରହିଯାଏ ମୁହଁ ସଞ୍ଜ ଯାଏଁ। ନଈ ପାଣି ଧାର କୂଳର ଓଦା ବାଲି ଉପରେ ମୋ’ ନାଁ ଲେଖି, ଆକାଶକୁ ଚାହିଁ ତାରାକୁ ସାକ୍ଷୀ କରେ। ଆମ ଗାଁର ମେଳଣ ପଡ଼ିଆରେ ଗୁଡ଼ି ଉପରେ ମୋ’ ନାଁ ଲେଖି ଉଡ଼ାଏ। ଆମ ଘର ଦେଇ ମୁଖ୍ୟ ରାସ୍ତା ଯାଇଥାଏ। ସେ ଆମ ଘର ଆଡ଼େ ଚାହିଁ ରାସ୍ତା ପାରି ହୁଏ ହେଲେ ମୁଁ ତାକୁ ଆଦୌ ଭଲ ପାଉନଥିଲି।

ପ୍ରଥମରୁ ପଢ଼ି ଆସୁଥିବା ମୋର ସେଇ ପିଲା ଦିନର ସହପାଠୀମାନେ ଯେ ହଠାତ୍ ବଡ଼ ହୋଇଯାଉଥିଲେ ତାହା ସହିତ ମୋତେ ଖୁବ୍ ଆଶ୍ଚର୍ଯ୍ୟ ଚକିତ କରି ଦେଉଥିଲା। ତଥାପି ବି ସେଇ ପିଲାମାନଙ୍କ ପ୍ରତି ମୋ’ ମନରେ କୌଣସି ଭାବନା ନଥିଲା ବରଞ୍ଚ ମୋ’ ବଡ଼ ଭାଇର ସାଙ୍ଗମାନଙ୍କୁ ମୋତେ ଭାରି ଭଲ ଲାଗୁଥିଲା। ସେମାନେ କେହି ଲାଜ କରୁନଥିଲେ, ଡେଙ୍ଗା ଆଉ ଭଦ୍ର ଥିଲେ। ମଜାଳିଆ କଥାବାର୍ତ୍ତ। ହୋଇ ହସ ଖୁସିରେ ଖୁବ୍ ସହଜରେ ମିଶି ପାରୁଥିଲେ।

ମୋ’ ବାପା ଭାରି ରକ୍ଷଣଶୀଳ ସ୍ବଭାବର ଥିଲେ। ମାଆ ଆମକୁ ଅନୁଶାସନ ଭିତରେ ରଖିଥିଲେ ମଧ୍ୟ ବଡ଼ଭାଇକୁ ଆସୁଥିବା ସାଙ୍ଗମାନଙ୍କ ସହ ଆମେ କଥାବାର୍ତ୍ତ। ହେଉଥିଲୁ, ମାଆ ଜେଜେମା ସହ ଭାଇ ସାଙ୍ଗମାନେ ଯେମିତି କଥାବାର୍ତ୍ତ। ହେଉଥିଲେ। ଆମ ଦୁଇ ଭଉଣୀଙ୍କ ସହ ସେମିତି ଖୁବ୍ ଫ୍ରି ହୋଇ କଥାବାର୍ତ୍ତ। କରୁଥିଲେ ସେମାନେ, କେବେ ବି ଭାବୁ ନଥିଲେ ଛୋଟ କିଶୋରୀଟିଏ ବୋଲି, ଯାହାକି ମୋତେ ଭାରି ଭଲ ଲାଗୁଥିଲା। ସୌମ୍ୟଜିତ ଭାଇଙ୍କୁ ମୁଁ ଜିତ୍ ଭାଇ ବୋଲି ଡାକୁଥିଲି।

ମୋର ହେତୁ ହେଲା ଦିନଠୁ ଡେଙ୍ଗା ଓ ଗୋରା ପିଲାମାନଙ୍କ ପ୍ରତି ମୁଁ କାହିଁକି କେଜାଣି ଆକୃଷ୍ଟ ହେଇପଡ଼ୁଥିଲି!! ମୋ’ ମନରେ ବି ତ ସେମିତି ଏକ ଛବି ବସିଥିଲା। ଯାହାକୁ ମୁଁ ନିଜର କରିବି। ଠିକ୍ ଜିତ୍ ଭାଇଙ୍କ ଭଳି ହେଇଥିବ ଡେଙ୍ଗା ଓ ଗୋରା।

ଧୀରେ ଧୀରେ ତାଙ୍କର ଆସିବାକୁ ମୁଁ ଅପେକ୍ଷା କରି ବସୁଥିଲି, ଯେମିତି ଅପେକ୍ଷା କରିବାଟା ମୋର ଅଭ୍ୟାସରେ ପରିଣତ ହେଇଯାଇଥିଲା। ତାଙ୍କ କଥା ଭାବିଲେ, ମୋ’ ମନ ରୋମାଞ୍ଚତ୍ତ ହୋଇଉଠୁଥିଲା। ରାତି ଦିନ ତାଙ୍କ ଛବି ମୋ’ ମନ ଆକାଶରେ ଇନ୍ଦ୍ରଧନୁର ରଙ୍ଗ ଭଳି ମୋତେ ଆହ୍ଲାଦିତ କରୁଥିଲା। ମୁଁ ଅନ୍ୟମନସ୍କ ରହୁଥିଲି। ପଢ଼ା ବହି ଖୋଲି ବସିଲେ ତାଙ୍କରି ଛବି ନାଚିଯାଏ, ଅକ୍ଷର ସବୁ ଝାପସା ହେଇଯାଏ। ମୋ’ ପଢ଼ା ଟେବୁଲ୍ ଡ୍ରୟରରେ ଆଇନାଟିଏ ଥାଏ। ବାରମ୍ବାର କାହିଁକି କେଜାଣି ସେଇ ଆଇନାରେ ନିଜକୁ ଦେଖିବାକୁ ଭାରି ଭଲ ଲାଗେ। ନିଜର ପ୍ରତିଛବି ଦେଖୁ ଦେଖୁ ଜିତ୍ ଭାଇଙ୍କର ମୁହଁଟି ସେଇଠି ଯେପରି ଝଲସି ଉଠେ। ମୋ’ ଭିତରେ ଏକ ଆନନ୍ଦର ଲହରୀ ଢେଉ ପିଟେ। ଜେଜେମା’ର କାହାଣୀ ମନେପଡ଼ିଯାଏ। ମୁଁ ଉଡ଼ିବୁଲେ ସ୍ବପ୍ନ ରାଜ୍ୟରେ।

ମୋ’ ବଡ଼ ଭଉଣୀ ତ ପଢ଼ା ଚୌକିରୁ ଥାଇ ମୋତେ ହଲାଇ ଦିଏ ଶୋଇପଡ଼ିଲୁ କି, ନା କାହାକୁ ସ୍ବପ୍ନ ଦେଖିଲୁକି? କାଆଆ ଆ ଆକୁ ଜିଇ ଇ ଇ ତ ଭାଇଙ୍କୁ… ଆଖି ନଚେଇ ହସିଦିଏ, ମୁଁ ଚିଡ଼ି ଉଠେ।

ସେ ଲକ୍ଷ୍ୟ କରେ ସୌମ୍ୟଜିତ ଭାଇଙ୍କର ଦୁର୍ବଳତାକୁ, ମୋର ଅନ୍ୟମନସ୍କତାକୁ।

ଧୀରେ ଧୀରେ ମୋ’ ମନ କଥା ମୋ’ ସାଙ୍ଗମାନେ ବି ଜାଣିଗଲେ। ବୟସରେ ତୋ ଠାରୁ କେତେ ବଡ଼ ତତେ ଆଉ କେହି ମିଳିଲେନି? ମୋର ସେହି ସାଙ୍ଗମାନେ କହିଲେ।

ହେଲେ ପ୍ରେମରେ ପଡ଼ିଥିବା ଅନ୍ଧକୁ କିଛି ଦେଖାଯାଏନି। ସେମାନେ ବା ଜାଣିବେ କାହୁଁ?

ମନରେ ମୋର ଭାବପ୍ରବଣତାର ଅନେକ ଲହରି ହୃଦୟ ଉଚ୍ଛୁଳି ଉଠୁଥିଲା। ପ୍ରେମର ଜୁଆରରେ ନିଜକୁ ରୋକି ମଧ୍ୟ ରୋକି ପାରୁନଥିଲି। ମୋ’ ମନର ଟ୍ରେନ୍ ଦଉଡ଼ୁଥିଲା ଖୁବ୍ ଦ୍ରୁତ ଗତିରେ।

ସେଦିନ ସନ୍ଧ୍ୟାରେ ଆମ ଘରେ ମେଳା ହେଉଥାଏ। ସବୁ ମେଳାରେ ବସିଥାନ୍ତି। ମୋ’ ବଡ଼ ଭଉଣୀ ଠାରି କହିଲା ଜିତ୍ ଭାଇ ଛାତ ଉପରେ ତୋତେ ଅପେକ୍ଷା କରିଛନ୍ତି। ମୁଁ ଧୀରେ ଧୀରେ ପାଦ ଚିପି ସବୁରି ଅଲକ୍ଷ୍ୟରେ ଚୋର ଭଳି ଛାତ ଉପରକୁ ଗଲି। ଅଜଣା ଆଶଙ୍କାରେ ମୋ’ ମନ ଛଟପଟ, ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ମୋ’ ମନରେ।

ଜିତ ଭାଇ ଠିଆ ହୋଇ ଆକାଶକୁ ଚାହିଁ ରହିଥାନ୍ତି। ମୁଁ ଚୁପକି ଯାଇ ତାଙ୍କ ପଛରେ ଠିଆ ହେଲି। ସେ ବୁଲିପଡ଼ି ଟିକେ ହସି ଦେଲେ ଓ ଇଙ୍ଗିତରେ ମୋତେ ବସିବାକୁ କହିଲେ। ମୁଁ ଇଟାର ଗୋଟିଏ ପିଣ୍ଡି ଉପରେ ବସିଲି। ମୋର ଖୁବ ପାଖକୁ ଲାଗି ସେ ମଧ୍ୟ ବସିଲେ। ତାଙ୍କ ଦେହରୁ ଫରଫ୍ୟୁମର ମିଠା ମିଠା ହାଲକା ବାସ୍ନା ବାହାରୁଥିଲା। ମୋ’ ଛାତି ଖାଲି ଧଡ଼ପଡ଼ ହେଉଥାଏ। ଲାଜରେ ମୁଁ ତାଙ୍କ ମୁହଁକୁ ସିଧା ଚାହିଁ ପାରୁନଥିଲି। ସେ ମୋ କାନ୍ଧରେ ହାତ ପକାଇ ବସିଲେ, ଖୁବ ଭାବପ୍ରବଣ ହୋଇ କହିଲେ- ୟା’ ଭିତରେ ମୁଁ ପି.ଜି. କରିବାକୁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟକୁ ଯିବି, ଜାଣେନି ଆଉ କେବେ ତୋ’ ସହ ଦେଖାହେବ। ଯିବା ପୂର୍ବରୁ ତୋତେ ଟିକେ ମନ ଭରି ଦେଖିନେବି। ଶେଷ ଆଡ଼କୁ ତାଙ୍କ ସ୍ବରଟା ଥରି ଉଠିଲା, କିଛି ସମୟ ପର୍ଯ୍ୟନ୍ତ ଆମେ ଦୁହେଁ ଚୁପ୍ ହୋଇ ବସିରହିଲୁ।

ଆକାଶ ସାରା ଅନେକ ତରା ବିଛାଡ଼ି ହୋଇପଡ଼ିଥାଏ। ନିର୍ମଳ ମେଘମୁକ୍ତ ଆକାଶରେ। ମିଟି ମିଟି ତରା, ସୁଲସୁଲିଆ ପବନ ମନରେ ରୋମାଞ୍ଚ ଆଣିଦେଉଥାଏ। ଅଧା ନିଶ୍ବାସ ଯାଉଥାଏ, ଆସୁଥାଏ ଭୟରେ। ମନରେ ଚଞ୍ଚଳତା ପୁଣି ଦୂରେଇ ଯିବାର ଦୁଖ ବି!

ଅସଂଖ୍ୟ ତରା ଭର୍ତ୍ତି ଆକାଶକୁ ଚାହିଁ ସେ ଅନ୍ୟମନସ୍କ ଭାବେ କହିଲେ, ମୁଁ ଶୁଣିଛି ଉଲକା ଖସୁଥିବା ବେଳେ ପୂର୍ଣ୍ଣବିଶ୍ବାସ ଓ ନିର୍ମଳ ହୃଦୟରେ କିଏ ଯଦି କିଛି ମାଗେ ତାହା ନିଶ୍ଚୟ ପୂରଣ ହୁଏ ତୁ କ’ଣ ଏ କଥାକୁ ବିଶ୍ବାସ କରୁ କି? ମୁଁ କହିଲି ଉଲକା ବିଷୟରେ କିଛି ଜାଣିନି ସତ ହେଲେ ଆଉ ଗୋଟିଏ କଥା ଜାଣିଛି। ସେ କହିଲେ- କ’ଣ? ତା ହେଲେ ଠିକ୍ ଅଛି ଆଜି ଏଇଠି ପରୀକ୍ଷା କରିଦେବା କି?

ମୁଁ ମୁଣ୍ଡ ହଲାଇ ହଁ କଲି। ତାଙ୍କ ଆଖି ପତାର ଛୋଟ ବାଳଟିଏ ମାଗିଲି। ସେ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁଲେ। ପରେ ଆଖି ବନ୍ଦ କରି ପତାରୁ ବାଳଟିଏ ଆଣି ମୋ’ ହାତରେ ଧରାଇ ଦେଲେ। ମୁଁ ଡାହାଣ ହାତର ପାପୁଲି ଭିତରେ ତାକୁ ଚାପି ଧରି କହିଲି ଆଖି ବନ୍ଦ କରି ତୁମର ଗୋଟେ ଛୋଟ ଇଚ୍ଛାକୁ ମନେ ମନେ ଭାବିନିଅ। ସେ ଆଖି ବନ୍ଦ କଲେ ପ୍ରାର୍ଥନା ପାଇଁ। ମୁଁ ଆଖି ବନ୍ଦ କଲି ତ ଜିତ୍ ଭାଇଙ୍କ ମୁହଁଟା ଝଲସି ଗଲା। ମୋ’ ଦେହରେ ଏକ ରୋମାଞ୍ଚ ଖେଳିଗଲା। ମନଟା ଖୁସିରେ ନାଚି ନାଚି ଉଠିଲା। ମୋତେ ତାଙ୍କ ସାନିଧ୍ୟ ଖୁବ୍ ଆନନ୍ଦ ଦେଉଥିଲା। ମୁଁ ମନେ ମନେ ଠାକୁରଙ୍କୁ ପ୍ରାର୍ଥନା କରୁଥିଲି କି ଜୀବନସାଥି ଭାବେ ଜିତ୍ ଭାଇ ହିଁ ମୋତେ ମିଳିଯା’ନ୍ତୁ।

ଯେତେବେଳେ ମୋର ଦୁଇ ଆଖି ଖୋଲି ଦେଲି ଦେଖିଲି ସେ ଖୁବ୍ ତନ୍ମୟ ଓ ମୁଗ୍ଧ ହୋଇ ମୋରି ମୁହଁକୁ ଚାହିଁ ରହିଛନ୍ତି। ମୋ’ ବାମ ହାତର ପାପୁଲିଟିକୁ ତାଙ୍କ ଦୁଇ ହାତ ଭିତରେ ରଖି ମୋତେ ଏକ ଲୟରେ ପ୍ରାର୍ଥନା କରୁଥିବାର ଦେଖୁଛନ୍ତି। ମୁଁ ହାତଟିକୁ ଟାଣି ଆଣିଲି। ସେ କିନ୍ତୁ ଆହୁରି ଜୋରରେ ଭିଡ଼ି ଧରିଲେ। ଡାହାଣ ହାତର ପାପୁଲି ଭିତରେ ଥିବା ବାଳଟିକୁ ମୁଁ ଫୁଙ୍କି ଶୂନ୍ୟରେ ଉଡ଼ାଇ ଦେଇ କହିଲି, ମହାଶୂନ୍ୟରେ ଥିବା ମହାଜାଗତିକ ଶକ୍ତି ଆମର ଇଚ୍ଛାପୂର୍ଣ୍ଣ ନିଶ୍ଚୟ କରିବେ। ତାଙ୍କୁ ପଚାରିଲି ତୁମେ କ’ଣ ମାଗିଲ କୁହତ? ସେ କହିଲେ ହଁ ତ ତୋତେ ମୁଁ କହିଲି କାହିଁକି?

ସେ ଖୁବ୍ ଜୋରରେ ମୋ’ ବେକକୁ ତାଙ୍କ ଆଡ଼କୁ ଟାଣିନେଇ ମୋ’ ଗାଲରେ ଗଭୀର ଚୁମାଟିଏ ଆଙ୍କି ଦେଲେ ତ ମୋର ଖୁସି ହସରେ ଉଚ୍ଛୁଳି ପଡୁଥିଲା। ମୁଁ ତାଙ୍କୁ ଦୁଇ ବାହୁରେ ଭିଡ଼ି ଧରିଲି। ଜାଣେନି ଏମିତି ସାହାସୀ କେମିତି ହୋଇଗଲି? ଯେଉ ଝିଅ ଏତେ ଡରକୁଳି ଥିଲା, ତା’ ଭିତରେ ଏତେ ସାହସ ପୁଣି କେଉଠୁ ଆସିଲା!!

ଧୀରେ ଧୀରେ ଆମ କଥା ଚାରିଆଡ଼େ ପ୍ରଘଟ ହେଲା, ମୋ’ ମାଆ ଆକଟ କରୁଥିଲେ ହେଲେ କାହା କଥା ମାନିବାକୁ ଆଉ ମୁଁ ମୋ’ ନିଜ ଆୟତ୍ତରେ ନଥିଲି। ପ୍ରେମରେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲି। ସଙ୍କୋଚ, ଲଜ୍ଜା, ଭୟର ସମସ୍ତ ଗଳିକୁ ଡେଇଁ ମୁଁ ପରିପୂର୍ଣ୍ଣତାରେ ଉଛୁଳି ଉଠୁଥିଲି। ମୋ’ ବଡ଼ ଭଉଣୀ ମନ ଦୁଖ କରୁଥିଲା, କାଳେ ମୋ’ ସ୍ବପ୍ନ ସ୍ବପ୍ନରେ ରହିଯିବ… ମୋ’ ବଡ଼ ଭାଇ ରାଗିକି ଆଉ ମୋ’ ସହ କଥାବାର୍ତ୍ତ। କରୁନଥିଲେ।

ବର୍ଷ ପରେ ବର୍ଷ ବିତିଯାଇଥିଲା… ଜିତ୍ ଭାଇଙ୍କର କୌଣସି ଖବର ନ ଥିଲା। ଖାଲି ଏତିକି ଖବର ପାଇଥିଲି, ସେ ବନାରସରୁ ଯାଇ ଆମେରିକାରେ ସେଟଲ୍ ହୋଇଯାଇଛନ୍ତି।

ସୂର୍ଯ୍ୟ ଅସ୍ତ ହେଉଥିଲେ। ଜହ୍ନ ଉଇଁ ଆସୁଥିଲା। ମୁଁ ଛାତ ଉପରେ ଯାଇ ବସୁଥିଲି। ତାରା ଭର୍ତ୍ତି ଆକାଶକୁ ନିରେଖି ଚାହିଁ ରହୁଥିଲି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲି ଉଲକା ନିଶ୍ଚୟ ଖସିବ। ଜୀତ୍ ଭାଇ ମୋ’ ପାଖକୁ ପୁଣି ଫେରି ଆସିବେ, ବୟସ ଗଡ଼ିଯାଉଥିବା ଭଉଣୀର ପ୍ରସ୍ତାବ, ପୁଣି ଯୋଡ଼ି ହୋଇଯିବ।

ହେଲେ ତାରାଭର୍ତ୍ତି ଆକାଶରେ ଜହ୍ନ ହିଁ ଦେଖା ଦେଉଥିଲା। ଲମ୍ବା ନହକା ବାଉଶ ଅଗରେ ଜହ୍ନ ଲୁଚକାଳି ଖେଳୁଥିଲା ତ, କେବେ କେବେ ବାଦଲର ଉହାଡ଼ରେ ମୁହଁ ଢାଙ୍କି ଦେଉଥିଲା। ମୁଁ ସେମିତି ବସି ରହୁଥିଲି ଉଲକାକୁ ଅପେକ୍ଷା କରି। ହେଲେ କେବେ ସେ ଆଉ ମୋ’ ନଜରରେ ପଡୁନଥିଲା। ରକ୍ତ ଆଖିରୁ ପାଣି ହୋଇ ଝରୁଥିଲା ସ୍ବପ୍ନ ସମାଧି ନେଇଥିଲା। ଭିତରେ ଭିତରେ ମୁଁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ରୁଜି ଯାଉଥିଲି। ମୁଠା ମୁଠା ପାଉଶ ବିଛୁଡ଼ି ହୋଇ ପଡୁଥିଲା ଚାରିଆଡ଼େ।

ମୁଁ ଫେରି ଆସୁଥିଲି ତଳକୁ ହତାଶାକୁ ଛାତିରେ ଚାପିଧରି…।