Wed. Jul 24th, 2019

Odisha Link

bridging the missing links in odisha

କୁଲି ନଂ ୮୮

  •  
  •  
  •  
  •  
  •  
  •  
  •  

ଅନିଲ୍ କୁମାର ପଣ୍ଡାଙ୍କ ଗଳ୍ପ

କୁଲି ନଂ ୮୮

ଚଳଚଞ୍ଚଳ ରାଜଧାନୀ ଷ୍ଟେସନ। କାହାରି ପାଖରେ ସମୟ ନାହିଁ ଦୁଇ ପଦ କଥା ହେବାକୁ। ଟ୍ରେନ ଲାଗୁଛି, ଟ୍ରେନ ଛାଡ଼ୁଛି। ଲୋକେ ଗାଡ଼ିରେ ଚଢୁଛନ୍ତି, ଓହ୍ଲାଉଛନ୍ତି। ଯିଏ ଯା’ ବାଟରେ ଚାଲି ଯାଉଛନ୍ତି। ଟିକେଟ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। କୁକୁରଟା ସେଇ ଧାଡ଼ି ମଝିରେ ପଶି ଦୈଡ଼ିବା ବେଳକୁ ଲୋକେ ଭୟରେ ଆଡ଼େଇ ହୋଇଗଲେ। ତା’ ପରେ ଲୋକଙ୍କର, ହେ… ହେ… ହସ। କୁକୁରଟା ବି ଭୟ ପାଇ ଯାଇଛି ଲୋକଙ୍କୁ ଦେଖି। ବୋଧେ କାହାର ପୋଷା କୁକୁର ଭୁଲରେ ପଶି ଆସିଛି ଏଇ ଜନଗହଳି ଷ୍ଟେସନ ଭିତରକୁ। ସେଥିପାଇଁ ଲାଙ୍ଗୁଳ ଜାକି ଦୈଡ଼ୁଛି ଭିତରେ। ଲୋକମାନେ ବି କୁକୁରଟାକୁ ହୁର୍ସିଆ କରି ସାରିଲେଣି। ଯେତେ ଦୈ।ଡ଼ିଲେ ବି ବାଟ ପାଉନି ଷ୍ଟେସନ ଭିତରୁ ବାହାରିବା ପାଇଁ। ଦୈ।ଡ଼ି ଦୋୈଡ଼ି ପ୍ଲାଟଫର୍ମ ଟ୍ରାକ ଓଭରବ୍ରିଜ ସିଡ଼ିରେ ଚଢିଗଲା କୁକୁରଟା।

ଲୁହା ଓଭରବ୍ରିଜ ଉପରେ କୁକୁରଟିକୁ ନାଲି କୁର୍ତ୍ତା ପିନ୍ଧା ଲୋକଟା ଚାପ କରି ଧରିନେଲା କୋଳରେ। ସେ ଲୋକ ଦ୍ବାରା ଧରା ହୋଇ କୁକୁରଟି ସଁ ସଁ ହେବାକୁ ଲାଗିଲା। ଦୈଡ଼ି ଦୈଡ଼ି ହାଲିଆ ହୋଇ ସାରିଥିଲା ବୋଧେ। କ୍ୟାଉଁ କ୍ୟାଉଁ ହେଲା।

ନାଲି କୁର୍ତ୍ତା ପିନ୍ଧା ଲୋକଟା ନିଶ୍ଚେ ଜଣେ କୁଲି। ସେ କୁକୁରଟାକୁ ଗୋଟେ ହାତରେ ଜାକି ଧରିଲା। ଆଉ ଗୋଟେ ହାତରେ ଆଉସିଲା କୁକୁର ଦେହସାରା। କୁକୁରଟା ତା’ ଜିଭ ବାହାର କରି ଚାଟି ପକେଇଲା ଲୋକଟିର ହାତକୁ। ସତେ ଯେମିତି ତା’ର ଅତି ଆପଣାର ଲୋକକୁ ପାଇ ସାରିବା ପରେ ସବୁ ସେହ୍ନ ମମତାକୁ ବୋଳି ଦେଉଛି ତା’ ଦେହରେ।

କୁକୁରଟିକୁ ଧରିନେଇ ଲୋକଟା ବାନ୍ଧିଦେଲା ଷ୍ଟେସନର ସିମେଣ୍ଟ ଖୁଣ୍ଟିରେ ବନ୍ଧା ଲୁହା ଶିଙ୍କୁଳିରେ। ପ୍ୟାଣ୍ଟ ପକେଟରୁ ଗୋଟେ ବିକ୍ସୁଟ ପ୍ୟାକେଟ କାଢି ଖୋଲି ଦେଲା ତା’ ମୁହଁରେ। କୁକୁରଟି ବିକ୍ସୁଟ ଖାଇବା ପାଇଁ ମୁହଁ ତଳକୁ କଲା ବେଳକୁ କିଏ ଜଣେ ଡାକ ଛାଡ଼ିଲା, ‘କୁଲି ନଂ ଅଠାଅଶୀ’।

ନାଲି କୁର୍ତ୍ତ। ପିନ୍ଧା ଲୋକଟି ପଛକୁ ବୁଲି ପଡ଼ି କହିଲା, ‘ଆସୁଛି ବାବୁ। ଆସୁଛି।’ କୁକୁର ମୁଣ୍ଡ ଆଉଁସି ଦେଇ ଚାଲିଲା ଏକ ନମ୍ବର ପ୍ଲାଟଫର୍ମ ଆଡ଼କୁ, ଯେଉଠି ଧଉଳି ଏକ୍ସପ୍ରେସ୍ ଆସି ଲାଗି ସାରିଥିଲା। ଏ.ସି ବଗି ବାହାରେ ଓହ୍ଲାଇ ଠିଆ ହୋଇଛନ୍ତି ବାବୁ ଜଣେ। ନାଲିକୁର୍ତ୍ତା ପିନ୍ଧା ଲୋକଟି ଯାଇ ପାଦ ଛୁଇଁଲା ବାବୁ ଜଣଙ୍କର। ବାବୁ ଜଣକ ତା ପିଠି ଆଉଁସି ଦେଇ କହିଲେ, ‘ଆଉ ଅଠାଅଶୀ କେମିତି ଅଛ?’

କୁଲି ଜଣକ କହିଲେ, ‘ଭଲ ଅଛି ବାବୁ। ଆପଣଙ୍କ ଦୟାରୁ ଭଲରେ ଅଛି।’ ଏ.ସି ବଗିରେ ଚଢି ଟେକି ଆଣିଲା ଲଗେଜଟା। କହିଲା, ‘ଚାଲନ୍ତୁ ବାବୁ ଚାଲନ୍ତୁ।’

ବାବୁ ବୋଲି ଯାହାକୁ କହୁଥିଲା କୁଲିଟି, ସେ ଦେଖିବାକୁ ମଧ୍ୟ ବୟସ୍କ। ବେଶଭୂଷା ପରିପାଟୀ ବେଶ୍‌ ସମ୍ଭ୍ରାନ୍ତ। ଖଦୀ କପଡ଼ାର ପଞ୍ଜାବୀ ଉପରେ ହାତ କଟା ଜ୍ୟାକେଟ ଗୋଟେ। ଦୁହେଁ ଚାଲିଲେ ରେଲ ଟ୍ରାକର କଡ଼ରେ। ଯେଉଠି ସବୁ ନାଲି କୁର୍ତ୍ତ। ପିନ୍ଧା କୁଲି ମାନେ ଉଠା ବସା କରିନ୍ତି, ସେଇଠିକୁ।

ସେଠି ପହଞ୍ଚିବା ପରେ ସମସ୍ତେ ଆସି ନମସ୍କାର କଲେ ବାବୁ ଜଣଙ୍କୁ। ଏଇ ବାବୁ ଜଣକ ହେଉଛନ୍ତି ଶ୍ରମିକ ନେତା। ଲେବର ମହାସଂଘର ସଭାପତି। ସିଏ ଏଇ ଖଟିଖିଆ ଲୋକ ମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ସରକାରଙ୍କ ପାଖରେ ଦାବି କରନ୍ତି। ଏମାନଙ୍କୁ ନେଇ ଆନ୍ଦୋଳନ କରନ୍ତି। ଏଇ ମାନଙ୍କ ଜୀବନକୁ ହସ ଖୁସିରେ ଭରି ଦେବା ପାଇଁ ଅନସନରେ ବସନ୍ତି। ସେଥିପାଇଁ ଆଜି ଏଠିକି ଆସିଛନ୍ତି। ଏଇ କୁଲି ମାନଙ୍କୁ ନେଇ ଗୋଟେ ମିଟିଙ୍ଗ କରିବେ। ତା ପରେ ଦିଲ୍ଲୀ ଚାଲିଯିବେ।

କୁଲି ନଂ ଅଠାଅଶୀ ଏଇ ଷ୍ଟେସନ କୁଲି ମାନଙ୍କର ସଭାପତି ଅଛି। ତେଣୁ ବାବୁ ଜଣଙ୍କ ଟ୍ରେନରୁ ଓହ୍ଲାଉ ଓଲ୍ଲାଉ ଖୋଜିଲେ ତାକୁ। ଏଇ ଶ୍ରମିକ ନେତାଙ୍କ ଯୋଗଁୁ ସେ ସଭାପତି ହୋଇ ପାରିଛି। ସେ କଥା ତା ମନ ଭିତରେ ଥିବାରୁ ସେ ବାବୁଙ୍କ ପ୍ରତି କୃତ୍ତ୍ୟକୃତ୍ୟ ସବୁବେଳେ। ବାବୁ ଜଣଙ୍କ ଯେବେ ବି ଏଠିକୁ ଆସନ୍ତି। ସେ କାମଧନ୍ଦା ପଛକୁ ରଖି ଲାଗି ପଡ଼େ ବାବୁଙ୍କ ସେବାରେ। ରହିବା, ଖାଇବାଠୁ ଆରମ୍ଭ କରି ସବୁ ଜଞ୍ଜାଳ ତା’ ପ୍ରତ୍ୟକ୍ଷ ତତ୍ବାବଧନରେ ପରିଚାଳିତ ହୁଏ।

ଆଜି ବାବୁ ଟ୍ରେନରୁ ଓହ୍ଲେଇବା ପରଠାରୁ ଦୁଇ ଘଣ୍ଟା ହେଲା ମିଟିଙ୍ଗ କଲେଣି। ବାବୁ ଗାଧୁଆ ପାଧୁଆ କରି ନାହାନ୍ତି। ମିଟିଙ୍ଗ ସରିବା ପରେ ବାବୁ ଏବଂ କୁଲି ଅଠାଅଶୀ ବାହରିଲେ ଅଠାଅଶୀର ଘରକୁ। ସେଠି ବାବୁ ନିତ୍ୟକର୍ମ ସାରି ବିଶ୍ରାମ ନେଇ ସାରିବା ପରେ ଟ୍ରେନ ଧରିବେ। ଷ୍ଟେସନରୁ ବାହାରି ଦୁହେଁ ଅଟୋ ଧରିଲେ। ଅଠାଅଶୀ ବାବୁଙ୍କ ଲଗେଜ ଆଣି ଅଟୋରେ ରଖିଲା।

ଅଠାଅଶୀର ସ୍ତ୍ରୀ ଘରେ ଏକା। ପିଲାଛୁଆ କିଛି ନ ଥିବାରୁ ଅଠାଅଶି ଷ୍ଟେସନ ଯିବା ପରେ ଏକା ଏକା ଘରେ ସମୟ ବିତେଇବା ନିଶ୍ଚିତ। ବାବୁ ଆସି ପହଞ୍ଚିଛନ୍ତି ବୋଲି ତା ଗୋଡ଼ ତଳେ ଲାଗୁନି। ଅଟୋରୁ ଲଗେଜ ଓହ୍ଲେଇ ଦେଇ ସେଇ ଅଟୋରେ ଷ୍ଟେସନ ଫେରିବ ବୋଲି ଭାବିଥିଲା ଅଠାଅଶୀ। ହେଲେ ଘରେ ସଉଦା ନାହିଁ କହିବାରୁ ଅଟକିଛି କିଛି ସମୟ ପାଇଁ, ସଉଦା ଦେଇ ଚାଲିଯିବ। ବାବୁ ଯିବେ ଗାଧୁଆପାଧୁଆ ଶେଷ ହେବା ପରେ ଏଇଠି ଖାଇ ଦେଇ।
—–
ଷ୍ଟେସନରେ ଟ୍ରେନ ଛାଡ଼ୁଛି। ପୁଣି ଆସି ଆଉ ଗୋଟେ ଟ୍ରେନ ଲାଗୁଛି। ବାବୁ ଏତେ ବେଳ ଯାଏଁ ଆସିଲେନି। ବିଶ୍ରାମ କରୁ କରୁ ନିଦ ଧରିଦେଲାକି ବାବୁଙ୍କୁ। ସିଏ ଫେରିବା ଟ୍ରେନ କେତେବେଳୁ ଚାଲି ଗଲାଣି। ଗାଡ଼ି ଯାଜପୁର ରୋଡ଼ ପାରି ହୋଇସାରିଥିବ। କାମ କରିବା ଅପେକ୍ଷା ଅଠାଅଶୀ ଚିନ୍ତିତ, ବାବୁଙ୍କ ପାଇଁ। ସେ ବାବୁଙ୍କୁ ନେଇ ଘରେ ଛାଡ଼ି ଆସିବା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ। ଏବେ ସୂର୍ଯ୍ୟ ଦୂର ଆକାଶରେ ତଳକୁ ଖସି ଆସିଲେଣି।
ବାବୁ ଆଉ ମୋତେ ନ ଜଣେଇ ଚାଲିଗଲା କି? ନାନା ପ୍ରଶ୍ନରେ ଘାଣ୍ଟି ହେବା ଛଡ଼ା ଉପାୟ ନଥିଲା କୁଲି ଅଠାଅଶୀର। ତା’ ନାଁ ଆଉ କିଛି ଥିଲା ବୋଧେ, ମାତ୍ର ଜୀବିକା ଓ ଭରସାର ଗୋସେଇଁ ବାପା ବୋଲାଉଥିବା ତା ବାହୁ ଉପରେ ବନ୍ଧା ସେଇ ପିତ୍ତଳ ବ୍ୟାଚ ଉପରେ ଲେଖାଥିଲା, ‘କୁଲି ନଂ ଅଠାଅଶୀ’। ଯେଉଥିପାଇଁ ତାକୁ ଚିହ୍ନା ଅଚିହ୍ନା ସମସ୍ତେ ଡାକୁଥିଲେ ଅଠାଅଶୀ ବୋଲି।

ସକାଳୁ ଗଣ୍ଡେ ପଖାଳ ସାଙ୍ଗକୁ ଆଳୁ ବାଇଗଣ ପୋଡ଼ା ଚକଟି ଦେଇ ଆସେ ଷ୍ଟେସନ। ଘରୁ ବାହାରିବା ବେଳେ ଘରୁ ଘେନି ଆସେ ତା’ ପୋଷା କୁକୁରଟିକୁ। ଏଇ ଷ୍ଟେସନରେ କୁକୁରଟିକୁ ବାନ୍ଧିଦେଇ ବୋହି ଚାଲେ କୋଉ ପୂର୍ବ ଜନ୍ମର ଅଭିଶାପକୁ ମୁଣ୍ଡ ଉପରେ। ସେ ଏକା ନୁହେଁ ତା’ ଭଳି ଅନେକ ଆସନ୍ତି ଏଠିକି। ଯୋଉ ମାନେ କି ବଡ଼ ବଡ଼ିଆଙ୍କର ବୋଝ ବୋହିବାକୁ ଅଭିଶପ୍ତ। ଅଠାଅଶୀ ଆଗେ ଦି ପହରରେ ଘରକୁ ଯାଉଥିଲା ଖାଇବା ପାଇଁ। ନୂଆ ନୂଆ ବାହା ହେବା ବେଳେ ସେ ଦିନ ଯାକରେ ଦୁଇ ତିନି ଥର ଖାଇବା ବାହାନାରେ ଘରକୁ ଚାଲିଯାଏ। ଏବେ କିନ୍ତୁ ଯାଉନି। ସରକାରଙ୍କ ପାଞ୍ଚ ଟଙ୍କିଆ ଆହାର ତା’ପାଇଁ ଆଉ ତା’ କୁକୁର ପାଇଁ ଜିନ୍ଦାବାଦ। ସେତକ ମିଳିଗଲେ ରାତି ଯାଏଁ ବୋଝ ବୋହିବାକୁ ସେ ସମର୍ଥ। କେବେ ଥକି ପଡ଼େନି । ଅଳସୁଆ ଗୁଣ ତା’ର ନାହଁ। ସମସ୍ତଙ୍କୁ କାମରେ ପଛରେ ପକେଇ ଦିଏ ବୋଲି ସଭିଙ୍କ ମୁହଁରେ ତା’ ନା।

ଖାଲି କାମେର ନୁହେଁ, ଦିନ ଥିଲା ପାଠରେ ସାରା ଓଡ଼ିଶା ପିଲାଙ୍କୁ ପଛରେ ପକେଇ ଦେଇଥିଲା ସିଏ। ସଭିଙ୍କ ମୁହଁରେ ଥିଲା ତା’ର ପ୍ରଶଂସା। ଯୁକ୍ତ ଦୁଇ ବିଜ୍ଞାନରେ ସାରା ଓଡ଼ିଶାରେ ପ୍ରଥମ ହୋଇ ସମସ୍ତଙ୍କ ନଜରକୁ ଆସିଥିଲା ତା’ନା।

ସେ କୁହେ ସବୁ ଭଗବାନଙ୍କ ଇଚ୍ଛା। ବାପା ମାଙ୍କୁ ଏକା ସାଙ୍ଗରେ ନେଇ ଗଲେ। ଖାଇବାକୁ ପାଇଲାନି। ଗୋଟେ ଘଟଣା କ୍ରମରେ ପଳେଇ ଆସିଲା ଟ୍ରେନରେ ଚଢି ଯେ, ଓହ୍ଲେଇଲା ଏଇ ରାଜଧାନୀ ଷ୍ଟେସନରେ। ସେବେଠୁ ଏଇ ଷ୍ଟେସନ ତା’ର ବାପାମା’ , ଭାତହାଣ୍ଡି ସବୁକିଛି।

ମୁଣ୍ଡରେ ବୋଝ ମୁଣ୍ଡେଇଛି, ପେଟକୁ ଭାତ ପାଇଛି। ପାଠପଢା କ’ଣ କୋଉଠି ରହିଲା ଦେଖିବାକୁ ଚାହଁନି। ଘର ପରିବାର କିଛି ନାଇଁ। ଅଛି ପରିବାର, ଏଇ ନାଲି କୁର୍ତ୍ତ। ପିନ୍ଧା କୁଲି ଭାଇମାନେ। ଯେଉ ମାନେ ତାକୁ ଦିନେ ମୁଣ୍ଡେଇ ଦେଇଥିଲେ ଲଗେଜ୍, ପେଟକୁ ମୁଠାଏ ଦାନା ପାଇଁ। ସୁଖରେ ଦୁଖରେ ସେମାନେ ତା’କୁ ଲୋଡ଼ନ୍ତି। ସିଏ ବି ତାଙ୍କୁ ଲୋଡ଼େ।

ଦଶ ବର୍ଷ ତଳେ ଏଇ ମାନଙ୍କ ଭିତରୁ କେତେ ଜଣ ମିଶି ତା’କୁ ବାହା କରି ଦେଇଥିଲେ। ସଂସାର କରିବା ପାଇଁ। ପରିବାର ତିଆରି କରିବା ପାଇଁ। ହେଲେ, ପରିବାରକୁ ସମ୍ପୁର୍ଣ୍ଣ କରିବା ତା’ ମଥାରେ ନାହିଁ ବୋଲି ଭାବି ନେଇଛି ସେ। ସ୍ତ୍ରୀର ଏତେ ଦିନ ହେଲା ଛୁଆଟେ ହେଲାନି। ଘରେ କୂଆଁ କୂଆଁ ଶୁଭିଲାନି। ହଉ ଭଗବାନଙ୍କ ଇଚ୍ଛା। ସବୁ ତାଙ୍କରି ଲୀଳା ବୋଲି ସେ ସବୁବେଳେ କୁହେ।

ସଂନ୍ଧ୍ୟା ଗଡ଼ି ରାତି ହେଲା। କୁକୁରକୁ କୋଳରେ ଚାପି ଅଠାଅଶୀ ସବୁଦିନ ପରି ପହଞ୍ଚିଲା ଦେଶୀ ଭାଟିରେ। କୁକୁରକୁ ଠିଆ କରିଦେଇ ଭିତରକୁ ଗଲା କି ଆସିଲା। ଚେନ ଧରିଲା କୁକୁରର। କୁକୁର ଚାଲିଲା ଆଗେ ଆଗେ ଅଠାଅଶୀ ପଛରେ।

ଷ୍ଟେସନରୁ ରାସ୍ତା। ରାସ୍ତାରୁ ଗଳି ରାସ୍ତା। ଅନ୍ଧାରୁଆ ଗଳି ଭିତରେ କୁକୁରଟି ବାଟ କଢେଇ ନେଉଥାଏ ତା’କୁ।

ଘର ପାଖାପାଖି ହେବା ବେଳକୁ କୁକୁର ଭୁକିବାକୁ ଆରମ୍ଭ କଲା। ଅସ୍ବାଭାବିକ ଭାବେ ଶଦ୍ଦ କରି ଭୁକିଲା। ଅଠାଅଶୀ ଧରିଥିବା ଚେନକୁ ଜୋରରେ ଭିଡ଼ିଲା। କୁକୁର ଆଗକୁ ଭିଡ଼ି ହେଉଥାଏ। ଦଉଡ଼ି ପଳାଇବାକୁ ଚେଷ୍ଟା କରୁଥାଏ। କୁକୁରର ଏମିତି ଆଚରଣ ପ୍ରଥମ। ଘରେ ପହଞ୍ଚିବା ବେଳେ ସେ ସଁ ସଁ ହୁଏ। ଲାଞ୍ଜ ହଲ ହଲ କରେ। ହେଲେ ଆଜି ଭିଡ଼ି ହେଉଛି ଦୈଡ଼ି ପଳେଇବା ପାଇଁ। ନିଶା ଧରି ସାରିଥାଏ ଅଠାଅଶୀକୁ। ଗୋଡ଼ ଏପଟସେପଟ ହୋଇ ପଡ଼ୁଥାଏ। ସେ କୁକୁରକୁ ଛାଡ଼ି ପାରୁ ନଥିଲା କି କୁକୁର ମଧ୍ୟ ଜୋରରେ ଭିଡ଼ି ହୋଇ ଯାଇ ପାରୁ ନଥିଲା।

ଘରେ ପହଞ୍ଚିବା ବେଳକୁ ଘର ଅନ୍ଧାର। ଦାଣ୍ଡ ପିଣ୍ଡା ଖୁଣ୍ଟିରେ କୁକୁରକୁ ବାନ୍ଧି ଥକ୍କା ମାରି ବସିଗଲା ଅଠାଅଶୀ। କୁକୁର ଭୁକୁଲା ଆହୁରି ଜୋରରେ। କୁକୁର ପାଟି ଶୁଣି ଘର ଭିତରେ ବତୀ ଜଳେଇଲା ଅଠାଅଶୀର ସ୍ତ୍ରୀ। ମୁହଁରେ ହସ ଖେଳାଇ ଘର ଭିତରୁ ବାହାରି ଆସିଲା ଦାଣ୍ଡ ପିଣ୍ଡାକୁ। ଅଠଅଶୀ କାନ୍ଧରେ ହାତ ରଖି ବସିଗଲେ ବାରଣ୍ଡାରେ। କହିଲେ, ‘ଆଜି ରୋଷେଇ କରିନି। ସକାଳର ରନ୍ଧା ବଢା ସେମିତି ଥୁଆ ହୋଇଛି। ପଖାଳ ସାଙ୍ଗକୁ ତରକାରି ଗରମ କରି ଦେଉଛି। ଖାଇନିଅ।’
ଅଠାଅଶି ପଚାରିଲା, ‘ବାବୁ କେତେବେଳେ ଗଲେ? ’
ତା’ ସ୍ତ୍ରୀ କିଛି ସମୟ ଚୁପ ରହି କହିଲା, ‘ଖାଇବାକୁ ବାଢି ଦେଉଛି। ଗୋଡ଼, ମୁହଁ ଧୋଇ ଆସ। ଘରେ କିରୋସିନି ନାହିଁ। ବତୀ ଲିଭିଯିବ।’
ଅଠାଅଶି କହିଲା, ‘ବାବୁ ଗଲାବେଳେ କିଛି କହୁଥିଲେ କି?’
ଅଠାଅଶୀ ପ୍ରଶ୍ନକୁ ଏଡ଼ାଇବା ପାଇଁ ତା’ ସ୍ତ୍ରୀ କହିଲା, ‘ବାହାରେ ଥଣ୍ଡା ପଡ଼ୁଛି। ଘର ଭିତରକୁ ଚାଲି ଆସ।’
ଅଠାଅଶୀ ମଦ ପିଇଥିଲେ ବି ତା’କୁ ସେତେଟା ନିଶା ଧରି ନ ଥିଲା। ଖାଇପିଇ ସାରି ଶେଯ ଧରିବା ବେଳକୁ କୁକୁର ସେମିତି ଭୁକୁଥିଲା। କ୍ଲାନ୍ତ ହୋଇ ପଡ଼ିଥିବା ଅଠାଅଶୀ ସେ ଆଡ଼େ ନଜର ନଦେଇ ଆଖି ବୁଜିଲା।

ସକାଳ ପାହିଲାଣି। ବାହରେ କୂଆ କୁକୁଡ଼ାର ରଡ଼ିରେ ଶେଯ ଛାଡ଼ିଲେଣି ଅନେକ। ବାବୁ ଭାୟା ମାନେ ଏ.ସି ରୁମର ଥଣ୍ଡାରେ କମ୍ବଳ ଭିତରେ ପଡ଼ି ରହିଛନ୍ତି। ରାସ୍ତା ଘାଟରେ ଗହଳ ଚହଳ ଲାଗିଲାଣି; ହେଲେ ଅଠାଅଶିର ନିଦ ଭାଙ୍ଗିନି। କେବଳ ତା’ର ନୁହେଁ ତା ସ୍ତ୍ରୀ ଯିଏ କି କୁକୁଡ଼ା ରାବିବା ଆଗରୁ ଉଠି ପଡ଼େ, ସେ ମଧ୍ୟ ଆଜି ପଡ଼ି ରହିଛି ଶେଯରେ ଅଠାଅଶୀ ଛାତିରେ ହାତ ରଖି।

କେମିତି କେଜାଣି ଅଠାଅଶୀର ନିଦ ଭାଙ୍ଗିଗଲା। ଧଡ଼ ପଡ଼ କରି ଶେଯ ଛାଡ଼ିଲା ସେ। ଡାକିଲା ସ୍ତ୍ରୀକୁ। ଭିଡ଼ି ମୋଡ଼ି ହୋଇ ସ୍ତ୍ରୀ ତା’ର କହିଲା, ‘ଉଠି ପାରିବିନି ମୋ ଦିହ ଭଲ ଲାଗୁନି।’

ନିତ୍ୟକର୍ମ ସାରି ଘରୁ ବାହରିବା ବେଳକୁ କୁକୁର ଦୂଆରେ ବାଟ ଜଗିଲା। ପାଦ ଚାଟିଲା। ଦେହରେ ଘଷିହେଲା। ଅଠାଅଶୀ କୁକୁରକୁ ଷ୍ଟେସନ ନ ନେଇ ଘର ଦୁଆରେ ବାନ୍ଧିଦେଲା। ଷ୍ଟେସନ ଆଡ଼େ ଚାଲିଗଲା।
ସବୁଦିନ ପରି ବାହୁରେ ବ୍ୟାଚ ବାନ୍ଧି ବାହରିଲା ତା’ ବାହୁର ପାଉଣା ପାଇବାକୁ।

ସେଇଠୁ କିଛି ଦିନ ବିତିଗଲା।

ଏଇ କିଛି ଦିନ ହେବ ଅଠାଅଶୀ ଲକ୍ଷକଲା ତା’ ସ୍ତ୍ରୀ କେମିତି କେମିତି ଗୋଟେ ଅଲଗା ଲାଗୁଛି। ସବୁବେଳେ ଚୁପଚାପ। କୋଣସି କଥାରେ ହରସ ନାହଁ। କୁକୁର ବି ଚୁପଚାପ। ଘରକୁ ଆସିଲେ ଗଲେ ଧ୍ୟାନ ଦେଉନି। ପାଦ ଚାଟୁନି। ଦେହରେ ଘଷି ହେଉ ନାହଁ।

ଚୁପଚାପ ପରିବେଶ ଭାରି ଭାରି ଲାଗୁଛି ଅଠାଅଶୀକୁ। ଆଗ ଭଳି ଦେଶୀ ପି’ ଆସିଲେ ସ୍ତ୍ରୀର ବାରଣ ନାହଁ। କ’ଣ ହେଇଛି ତା’ର। ଦିହ ପା’ ଠିକ ଥିବା ଭଳି ଲାଗୁଛି। ଅଥଚ ସେ ଏମିତି କଣ ପାଇଁ ମନ ମାରି ରହୁଛି।

ଘରକୁ ଅଜଣା ଲୋକ ଆସିଲେ କୁକୁର ଭୁକୁ ଭୁକି ବନ୍ଧା ହୋଇଥିବା ଚେନରେ ଭିଡ଼ି ହୁଏ। ସଁ ସଁ ହୁଏ। ସେ ସବୁ କିଛି ନାହଁ। ଦୁଆର ଖୁଣ୍ଟିରେ ବନ୍ଧା ହୋଇ ପଡ଼ି ରହୁଛି। ସବୁବେଳେ ଶୋଇ ରହୁଛି। ଠିକ ଯେମିତି ପକ୍ଷୀର ଡେଣା କଟିଯିବା ଭଳି। ବାବୁ ବି ସେବେ ଠାରୁ ଆସୁନାହାନ୍ତି।