Odisha Link
Bridging the Missing Links in Odisha

ସରକାରୀ ସେବା ଓ ଛୁଟି ପାଇଁ ପଚାରିବ କିଏ ?

ରାଜ୍ୟ ସରକାର ସରକାରୀ ଅଧିକାରୀମାନଙ୍କ ପାଇଁ ୪ର୍ଥ ଶନିବାର ଛୁଟି ଘୋଷଣା କଲେ, ସେହିଭଳି ସରକାରୀ ସେବା ଲୋକମାନେ ଠିକ୍ ଠାକ୍ ପାଉଛନ୍ତି କିମ୍ବା ନାହିଁ ସେ କଥା ବୁଝିବାକୁ ଉପଦେଶ ଦେଲେ।

ଏଇ ଦୁଇଟି ପ୍ରସଙ୍ଗରେ ଲୋକସରକାରରେ ଭାଷଣ ବା ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଲୋକମତ ନିଆଯାଇପାରିଲା ନାହିଁ ! ଫଳରେ ଅନେକ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏପରି ଛୁଟି ଘୋଷଣା ଫଳରେ ଆମରାଜ୍ୟରେ ସରକାରୀ ଅଧିକାରୀଗଣ ଚାହିଁଲେ ବାର୍ଷିକ ୩୬୫ ଦିନରୁ ୧୫୧ ଦିନ ଏବଂ ମହିଳାମାନେ ଆହୁରି ଅଧିକ ଦିନ ଛୁଟି ଉପଭୋଗ କରିପାରିବେ।

ସୂଚନାଯୋଗ୍ୟ ଯେ,ଏବେ ବିଭିନ୍ନ ପର୍ବ ପର୍ବାଣୀ ଏବଂ ଦିବସରେ ସରକାରୀ ଘୋଷିତ ଛୁଟି ବାର୍ଷିକ ୩୨ଦିନ ଥିଲା ବେଳେ , ୫୨ଟି ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମିଶିଲେ ୨୪ଟି ଏପରି ବାର୍ଷିକ ୧୦୬ ଦିନ ହେଉଛି। ସେହିପରି ଜଣେ କର୍ମଚାରୀ ବାର୍ଷିକ ୧୫ ଦିନ ସି.ଏଲ୍ ଏବଂ ୩୦ ଦିନ ଇ.ଏଲ୍ ନେଇ ପାରିବେ। ଅବଶ୍ୟ ଇ.ଏଲ୍ ଅଧିକାଂଶ କର୍ମଚାରୀ ନେଉ ନ ଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହି ଛୁଟି ନେବା ସହିତ ଆହୁରି ଛୁଟି ବ୍ୟବସ୍ଥା ମଧ୍ୟ ରହିଛି।

ଅପରପକ୍ଷରେ ଆମ ସରକାର ଦୈନିକ ଅଧଘଣ୍ଟା କର୍ମ ସମୟ ବୃଦ୍ଧି କରିବା ଫଳରେ ପ୍ରତିମାସରେ ୨୪/୨୫ ଟି କର୍ମ ଦିବସରେ ମୋଟ ୧୨କିମ୍ବା ସାଢେ ୧୨ ଘଣ୍ଟା କର୍ମଚାରୀ ପିଛା କର୍ମ ଉପଯୋଗ କରାଇ ପାରିବେ ବୋଲି ଯାହା ଭାବିଛନ୍ତି ୪ର୍ଥ ଶନିବାର ପୁରା ସାଢେ ସାତଘଣ୍ଟା ଛୁଟି ଘୋଷଣା କରି ତାହା ମାତ୍ର ୪/୫ ଘଣ୍ଟାକୁ ଭିତରେ ସୀମିତ କରାଇଦେଲେ। ଏହା ସତ୍ତ୍ବେ ବାସ୍ତବ ସ୍ଥିତି ପୂରା ଅଲଗା ଯାହା ତର୍ଜମା ବା ସରକାର ଆଲୋଚନା କରିବାକୁ ସୁଯୋଗ ସୃଷ୍ଟି କଲେ ନାହିଁ।

କେତେକ କର୍ମଚାରୀ ବା ଅଧିକାରୀ କେବେ ବି ଅଧଘଣ୍ଟା ଭିତରେ ମଧ୍ୟାହ୍ନ ବିରତିସାରି କର୍ମକୁ ଫେରିପାରନ୍ତି ନାହିଁ। ସେହିପରି ସକାଳ ୧୦ଟାରେ କର୍ମସ୍ଥଳରେ ଯୋଗ ଦେବାକୁ ଥିବା ବେଳେ ଯେତେ କଟକଣା ଲାଗୁ କରାଗଲେ ବି କେତେକ ୧ ଘଣ୍ଟା ବା ଦୁଇ ଘଣ୍ଟା ବି ବିଳମ୍ବ କରୁଥିବାର ଶହସ୍ର ପ୍ରମାଣ ମିଳିପାରିଛି। ସେପରି ୫ଟା ବେଳ ଛୁଟି ପୂର୍ବପ୍ରସ୍ତୁତି ୧୫ମିନିଟ୍ ବା ୫ଟାରେ ଅନେକଙ୍କ ଘରମୁହା ହେବାର ଯେଉଁ ଗତାନୁଗତିକ ପ୍ରଥା ରହିଛି ତାହାକୁ ସରକାର ଏଯାବତ୍ ଅଟକାଇ ପାରିନାହାନ୍ତି। ତେଣୁ ଘରମୁହା ଅଧିକାରୀ ମାନଙ୍କ ପାଇଁ ସରକାର ଅଧଘଣ୍ଟା କର୍ମସମୟ ବୃଦ୍ଧି କରିବା ବିଷୟଟି କେବଳ ଅମଲାତାନ୍ତ୍ରିକ ଚାପ ବୋଲି ଚର୍ଚ୍ଚା ଯୋର୍ ହୋଇଛି। ଏହା ଦ୍ବାରା ମୋଟାମୋଟି ଭାବରେ ଲୋକସେବା ବ୍ୟାହତ ହେବା ସହ ଲୋକମାନଙ୍କର ହିଁ ଅଶେଷ କ୍ଷତି ହେବ। ଛୁଟି ଗୋଟିଏ ସାଧାରଣ ନିଷ୍ପତ୍ତି ହୋଇ ନ ଥିବାରୁ ଏହାକୁ ବିନା ଆଲୋଚନାରେ ଘୋଷଣା କରିଦେବାକୁ ଅନେକ ନିନ୍ଦା କରିବା ସହ ଦୁର୍ଭଗ୍ୟ ଜନକ ବୋଲି କହିଛନ୍ତି।

ଦ୍ବିତୀୟ ପ୍ରସଙ୍ଗଟି ହେଉଛି ଲୋକମାନଙ୍କୁ ବିଭିନ୍ନ ସାଧାରଣ ସେବା ଯଥା: ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଲିଗାଲ୍ ହେଆର୍, ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଓ ଜମିଜମା ସମ୍ବନ୍ଧୀୟ ଆବେଦନକୁ ନିର୍ଦ୍ଦିଷ୍ଟ ଦିନ ବ୍ୟବଧାନରେ ପ୍ରଦାନ କରିବାକୁ ଲୋକସେବା ଅଧିକାର ଆଇନ୍ ୨୦୧୨ ପ୍ରଣୟନ କରିଛନ୍ତି। ଅଥଚ ଦିନଟିଏ ଏପରି ସେବା ବାବଦରେ ସମୀକ୍ଷା କରି ତତ୍ ସମ୍ବନ୍ଧୀୟ ତଥ୍ୟକୁ ସାର୍ବଜନୀନ କରାଯାଇପାରିଛି କି ? ଲୋକେ ବ୍ଲକ୍ କିମ୍ବା ତହସିଲରୁ ଠିକ୍ ସମୟରେ ସେବା ସୁବିଧା ପାଇ ପାରୁଛନ୍ତି କି ? ସେବା ଅବହେଳା ପାଇଁ କାହାକୁ ପ୍ରଣୀତ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯାଇପାରିଛି କି ? ଯଦି ସରକାର ସେସବୁ କଥା ଲୋକଙ୍କୁ ଜଣାଇପାରି ନାହାନ୍ତି ସେଥିରୁ ଲୋକସେବା କିପରି ମିଳିଛି ତାହା ସ୍ପଷ୍ଟ। ଲୋକସେବା ଯୋଗାଇଦେବା ଅଧିକାରୀଙ୍କର ଏକ ଆଇନ୍ଗତ କର୍ତ୍ତବ୍ୟ ଯାହା ଏ ରାଜ୍ୟରେ ଅତ୍ୟନ୍ତ ଦୁଃଖଦ !

ସେବାଦେବାରେ ବିଫଳଗାମୀ ହେଉଥିବା କେଉଁ ବାବୁଙ୍କର ସତ୍ ସାହସ ଅଛି କି ଲୋକସେବା ଠିକ୍ ପାଇଲେ କି ନାହିଁ ପଚାରି ଲୋକମାନଙ୍କୁ ପଚାରିବା ପାଇଁ ! ଯେଉଁଠି ଲୋକ ପ୍ରତିନିଧି କ୍ଷମତାକୁ ସଙ୍କୁଚିତ କରାଯାଇ ଅମଲାତାନ୍ତ୍ରୀକ ଶାସନକୁ ସର୍ବସ୍ବ କରାଯାଇଛି ସେଠି ଏସବୁ ପ୍ରସଙ୍ଗ ପ୍ରଚାର କରିବାର ଅର୍ଥ କେବଳ ମିଥ୍ୟା ପ୍ରଚାର ଓ ପ୍ରହସନ ଛଡ଼ା ଆଉ କଣ ହୋଇପାରେ ?

Comments are closed.