Odisha Link
Bridging the Missing Links in Odisha

ଚେଷ୍ଟା କରି କେହି କବି ହୋଇପାରିବ ନାହିଁ: ରାଜେଂଦ୍ର କିଶୋର ପଂଡା

କବି ରାଜେଂଦ୍ର କିଶୋର ପଂଡାଙ୍କ ସହ ଏ ସାକ୍ଷାତକାର ହୋଇଥିଲା ୨୦୦୭ ମସିହା ସେପ୍ଟେମ୍ବର ମାସର କୌଣସି ଏକ ସଂଧ୍ୟାରେ, କବିଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ। ସାକ୍ଷାତକାର ନେଇଥିଲେ କଥାକାର ଓ କବି ଶୁଭ୍ରାଂଶୁ ପଣ୍ଡା। ସାକ୍ଷାତକାର ତ ନୁହେଁ ବରଂ ଜଣେ ପ୍ରବୀଣ କବିଙ୍କ ପାଖରେ ଜଣେ ତରୁଣ ଲେଖକର ଜିଜ୍ଞାସା। ପେନ୍ ଇନ୍ ବୁକ୍ସ ପକ୍ଷରୁ ସେତେବେଳେ ପ୍ରକାଶିତ ଶୁଭ୍ରାଂଶୁ ପଣ୍ଡା ସଂପାଦିତ ‘ସାହିତ୍ୟ ଖବର’ ପତ୍ରିକାରେ ଏହା ପ୍ରକାଶିତ ହେବାର ଯୋଜନା ଥିଲା। କିନ୍ତୁ ଦୁର୍ଭ।ଗ୍ୟ ସେ ପତ୍ରିକାଟି କିଛି ମାସ ପରେ ବନ୍ଦ ହୋଇଗଲା ଓ ଏ ସାକ୍ଷାତକାରଟି ରହିଗଲା ଅପ୍ରକାଶିତ। ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ପେନ୍ ଇନ୍ ବୁକ୍ସ ଯେତେବେଳେ ୨୦୧୨ ଫେବ୍ରୁଆରୀ ମାସରେ ଶୁଭ୍ରାଂଶୁ ପଣ୍ଡାଙ୍କ ସଂପାଦନାରେ ସମକାଳ ନାମରେ ଏକ ମାସିକ ସାହିତ୍ୟ ପତ୍ରିକା ପ୍ରକାଶନ ଆରମ୍ଭ କଲା, ପ୍ରଥମ ସଂଖ୍ୟାରେ ସାକ୍ଷାତକାରଟି ପ୍ରକାଶ ପାଇଥିଲା। ସାକ୍ଷାତକାରଟିକୁ ସେତେବେଳେ କିଛି ପାଠକ ପ୍ରଶଂସା କରିଥିବା ବେଳେ ଆଉ କେତେକ ଏହାକୁ ପୁରୁଣା ଓ ନିକୃଷ୍ଟ କହି ନିନ୍ଦା ବି କରିଥିଲେ। ତେବେ ପ୍ରାୟ ୧୨ ବର୍ଷ ତଳେ ଜଣେ ଅନଭିଜ୍ଞ ତରୁଣ ଲେଖକର ପ୍ରଶ୍ନେର ସେତେବେଳେ ପଣ୍ଡା ଯେଉଁସବୁ ମନ୍ତବ୍ୟ ରଖିଥିଲେ, ତାହା କଣ ଏବେ ପ୍ରାସଙ୍ଗିକ ମନେହୁଏନା?

ପଢ଼ନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ତାରିଫ୍ କଲାଭଳି ଅନେକ କବିତା, ତାଜୁବ୍ ହୋଇଯିବା ଭଳି କବିତାର ଅଭାବ

ଶୁଭ୍ରାଂଶୁ ପଣ୍ଡା: ଆପଣ କବିତା ଲେଖିବାକୁ କାହିଁକି ମନ ବଳେଇଲେ?
ରାଜେଂଦ୍ର କିଶୋର ପଂଡା: ଅନ୍ୟ କିଛି ଲେଖିବାର ଶକ୍ତି ନାହିଁ ବୋଲି। ତା’ ହୋଇପାରେ!

ଆପଣ କବିତାରେ କ’ଣ ଲେଖିବାକୁ ଚାହାନ୍ତି?
ଯେତେବେଳେ ଯେଉ ଭାବଟି ଆସିଲା ତାକୁ କବିତାରେ ପ୍ରକାଶ କରିବାକୁ ଚାହେଁ।

ତେବେ ବି ଆପଣଙ୍କ କବିତାର ପ୍ରମୁଖ ବିଷୟବସ୍ତୁଟି କ’ଣ?
କୌଣସି ବିଷୟବସ୍ତୁକୁ ନେଇ ମୁଁ କବିତା ଲେଖେ ନାହିଁ। ଲେଖୁ ଲେଖୁ ବିଷୟବସ୍ତୁଟି ଯେଉ ଆଡ଼କୁ ଟାଣିଲା ତାହା ହିଁ ମୋର କବିତା।

ତା’ହେଲେ ଆପଣ କବିତାଟିଏ କେମିତି ଆରମ୍ଭ କରନ୍ତି? କୌଣସି ଶବ୍ଦରୁ, ଭାବରୁ ନା ନିର୍ଦ୍ଦିଷ୍ଟ ଏକ ଧାଡ଼ିରୁ?
ବେଳେବେଳେ ମଞ୍ଜ ଧାଡ଼ିଟିଏ ମୋ ପାଖକୁ ଆସେ। ପରବର୍ତ୍ତୀ ସମୟରେ ଯଦି ତାହା ପଲ୍ଲବିତ ହୁଏ, ହୁଏତ ତାହା ହୋଇପାରେ ଏକ ସାର୍ଥକ କବିତା। କିନ୍ତୁ ଯଦି ରହିଗଲା, ତେବେ ରହିଗଲା।

ହଁ, ଆମେ ତ ଏମିତି ବହୁ ମଞ୍ଜଧାଡ଼ିକୁ ପାଉ ଆପଣଙ୍କର କବିତାରେ। ଏଇ ଯେମିତି ‘ମୃତ୍ୟୁ ଥାଉ କି ଅମରତ୍ବ ଥାଉ ସେଇଠି, ଶିଖର ମାତ୍ରେ ଇ ଆରୋହ୍ୟ’ କିମ୍ବା ‘ଦିନେ ଦିନେ ଅହଲ୍ୟା ଡାକେ ଆ / ଦିନେ ଦିନେ ଦାରି ବି ମନା କରିଦିଏ / ଏ ଜୀବନ ଏପରି’ ଏସବୁ ଧାଡ଼ି ଏଗୁଡ଼ିକ ପାଠକମାନଙ୍କର ପ୍ରିୟ ଏବଂ quotable ଧାଡ଼ି। ଏସବୁ ଧାଡ଼ି କିଭଳି ଲେଖନ୍ତି?
ଚେଷ୍ଟା କରି ଏଭଳି ଏକ ଧାଡ଼ି ଆଦୌ ଆସେ ନାହିଁ। ଅନ୍ତତଃ କବିତା କ୍ଷେତ୍ରରେ ଏହା ଅସମ୍ଭବ । ଯାହା ମୁଁ ପୂର୍ବରୁ କହିଛି ଲେଖୁଲେଖୁ କବିତା ଯେଉ ଆଡ଼କୁ ଟାଣିଲା। ସେ ଭିତରେ ଯଦି ଏଭଳି କିଛି ଧାଡ଼ି ଆସିପାରେ ତାହା ସୌଭାଗ୍ୟର କଥା।

ସମାଜ ପାଇଁ ଆପଣଙ୍କର କବିତାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି?
ସମାଜ ପାଇଁ ଆବଶ୍ୟକ କି ନା ତାହା ସମାଜ ଜାଣେ। ମୁଁ ଏସବୁ କିଛି କହିପାରିବି ନାହିଁ। ପ୍ରଥମ କଥା ହେଲା, କବି ନିଜେ ବି ଜଣେ ସାମାଜିକ ପ୍ରାଣୀ। ସମାଜର ସେ ବି ଏକ ଅଙ୍ଗ। ସମାଜର ପ୍ରଭାବ କବିତାରେ କୌଣସି ନା କୌଣସି ବାଗରେ ଆସିବ। କବିତା ପାଇଁ କିନ୍ତୁ ସମାଜର ଆବଶ୍ୟକତା ନିଶ୍ଚୟ ରହିଛି, ଏକଥା ମୁଁ କହିପାରେ। ସମାଜକୁ ଛାଡ଼ି କବିତା ଅସମ୍ଭବ। ସେ କବିତା ଯଦି ସମାଜକୁ କିଛି ଖୋରାକ ଯୋଗାଇଲା, କିଛି ବି ଆବଶ୍ୟକତା ପୂରଣ କଲା ତାହା ଭଲକଥା। କିନ୍ତୁ ମୁଁ ଯେ ସମାଜ ପାଇଁ ଲେଖିବାକୁ ଯାଉଛି, ଏମିତି କୌଣସି ପୂର୍ବ।ନୁମାନ ବା ଉଦ୍ଦେଶ୍ୟ ନେଇ କବିତା ଲେଖାଯାଇପାରିବ ନାହିଁ।

ଆପଣଙ୍କ ବ୍ୟକ୍ତିଗତ ଜୀବନର ସୁଖ, ଦୁଃଖ, ପ୍ରେମ, ସଂଘର୍ଷ ଏସବୁ କିପରି ଆପଣଙ୍କ କବିତାକୁ ପ୍ରଭାବିତ କରିଛି?
ପ୍ରଭାବିତ ନିଶ୍ଚୟ କରିଛି। ଯେଉ କଥା କହିଲି ସମାଜ ବିଷୟରେ, ସେ କଥା ବ୍ୟକ୍ତି ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏସବୁ ବ୍ୟକ୍ତିଗତ ଅନୁଭବ ସମାଜରୁ ଆସିଥାଏ। ପ୍ରତ୍ୟେକ ବ୍ୟକ୍ତିର ଗୋଟେ ଅନୁଭବର ସଂସାର ଅଛି। ତା’ର ଗୋଟେ ଇତିହାସ ଅଛି। ତା’ର କିଛି ସ୍ବପ୍ନ ଅଛି। ସେଇ ସ୍ବପ୍ନ ସେଇ ଅଭିଜ୍ଞତା ସେଇ ଅନୁଭବ ଲେଖିବା ବେଳେ ନିଶ୍ଚିତ ଭାବର ଆସିବ। କିନ୍ତୁ ତାକୁ କଳାତ୍ମକ ଭାବରେ ଲେଖିଲେ ତାହା କବିତା ହେବ। ଯଦି କଳାତ୍ମକ ନ ହେଲା ତାହା ହୁଏତ କେବଳ ଏକ ଆତ୍ମରତିମୂଳକ ଗଦ୍ୟରଚନା ହୋଇପାରେ।

ଆପଣଙ୍କ କବିତାରେ ଶୈଳୀର ପ୍ରାବଲ୍ୟ ରହିଛି, ଯାହାକି ସାଧାରଣ ପାଠକଟିଏ ପାଇଁ ବୁଝିବା କାଠିକର ହୋଇପଡ଼େ। ଉଦାହରଣ ସ୍ବରୂପ: ‘ଅନବତାର ଓ ଅନ୍ୟଅନ୍ୟ’ ସଂକଳନର ଅନେକ କବିତାକୁ ନିଆ ଯାଇପାରେ। ଅପୂର୍ଣ୍ଣ କବିତା ନାମକ ଅକବିତା, ଅଜିତ୍ ମିଶ୍ର ଓ ବୃକ୍ଷପରୀ, ପାହାଚ, ହୁରୁଡ଼ା:ଏକାଦଶ ଅବତାର ଆଦି ଅନେକ କବିତାରେ ଆପଣ ଅଧିକ ପରୀକ୍ଷାନିରୀକ୍ଷା କରିଛନ୍ତି। ଦିନକୁ ଦିନ ପାଠକେ କବିତାରୁ ମୁହଁ ଫେରାଇ ନେଉଛନ୍ତି (ସାମଗ୍ରିକ ଭାବେ ସାହିତ୍ୟରୁ ମଧ୍ୟ)। କବିତା ଦୁର୍ବୋଧ୍ୟ ହେଉଛି, ବୁଝି ହେଉନାହିଁ,ଏଭଳି ଅଭିଯୋଗ ମଧ୍ୟ ଆସୁଛି। ଏ ପରିପ୍ରେକ୍ଷୀରେ ଆପଣଙ୍କର ଏସବୁ କବିତାର ଯଥାର୍ଥତା କିଭଳି ପ୍ରତିପାଦିତ ହେବ ବୋଲି ଆପଣ ମନେକରନ୍ତି?
କବିତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ମୋ ଝିଅ ଯେବେ ଛୋଟଥିଲା ଚେସ୍ ଖେଳୁଥିଲା। ଏବେ ବି ତା’ର ସେ ଖେଳ ପ୍ରତି ଆଗ୍ରହ ଅଛି। ମୁଁ କିନ୍ତୁ ଚେସର ଧାର ଧରେନାହିଁ। ଆମ ଭିତରେ ଫରକଟି ହେଉଛି ସେ ଖେଳର ନିୟମ ଜାଣିଛି ତେଣୁ ସେ ଖେଳକୁ ଉପଭୋଗ କରିପାରୁଛି, ଖେଳରୁ ଆନନ୍ଦ ପାଉଛି। ଅଥଚ ମୁଁ କିଛି ବି ବୁଝିପାରୁନାହିଁ ଚେସରୁ, କାରଣ ମୋତେ ଖେଳ ନିୟମ ଜଣାନାହିଁ। କବିତା କ୍ଷେତ୍ରରେ ମଧ୍ୟ ସେହିଭଳି ଘଟେ। ସମସ୍ତଙ୍କୁ ଯେ କବିତା ଭଲଲାଗିବ ସେ ଆଶା ବୃଥା। କବିତାର ପାଠକ ଅଛନ୍ତି, ରହିବେ। ତମେ ଉଦାହରଣ ଦେଇଥିବା କବିତା ସବୁକୁ ଅନେକେ ବି ଭଲ ପାଇଛନ୍ତି।

ଏମିତି ହେଇପାରନ୍ତା କି ସବୁ ଲୋକ ବୁଝିବା ଭଳି କବିତା ଲେଖାଯା’ନ୍ତା?
ସବୁ ଲୋକଙ୍କ ପାଇଁ କବିତା ନୁହେଁ ବୋଲି ମୁଁ କହୁନାହିଁ। ମୋର କହିବା କଥା ହେଲା କବିତା ପାଇଁ ପାଠକମାନେ ଦୀକ୍ଷିତ ପାଠକ ହେବା ଦରକାର। ପ୍ରଥମ କଥା ହେଲା କବିତା ପ୍ରତି ଗୋଟେ ଆଗ୍ରହ ଥିବା ଜରୁରୀ। ଯଦି ଜଣକର ଆଗ୍ରହ ନାହିଁ, ତା’ ପାଇଁ କବିତାଟିଏ ଅର୍ଥହୀନ। ପାଠକ, ପ୍ରତ୍ୟେକ ପଠନରେ କବିତାର ନୂଆ ନୂଆ ଅର୍ଥ ନିଧାନ କରୁଥାଏ। ତେଣୁ କୌଣସି କବି ଚାହିଁବ ନାହିଁ ତା’ ପାଠକ ସଂଖ୍ୟା ସୀମିତ ରହୁ। କବିତା ସବୁ ଲୋକଙ୍କ ପାଇଁ ଲେଖା ଯାଉଛି। କିନ୍ତୁ ତାହା କାହାକୁ ଛୁଇଁବ ଓ ନ ଛୁଇଁବ, ନିର୍ଭର କରେ ପାଠକର ଆଗ୍ରହ, ଗ୍ରହଣଶୀଳତା ଏବଂ ଶ୍ରଦ୍ଧା ଉପରେ।

ଅଭିଯୋଗ ହେଉଛି, କବିତା ସାଧାରଣ ଲୋକଠାରୁ ଦୂରେଇ ଯାଉଛି। କବିତାରେ ସାଧାରଣ ଲୋକଙ୍କ କଥା ରହୁନାହିଁ। କବିତା ବେଳକୁ ବେଳ subjective ହୋଇଯାଉଛି। ଏ ବିଷୟରେ ଆପଣଙ୍କ ମତ କ’ଣ?
ଏମିତି ଦେଖିବାକୁ ଗଲେ କବିତା ଲେଖିବା କର୍ମଟି ବି subjective। କବିତା ନିଶ୍ଚିତ ଭାବରେ subjective ହେବ। କିନ୍ତୁ କବିର ଚେତନାର ଗଭୀରତମ ସ୍ତରରୁ ଯେଉ ଭାବଟି ଆସେ, ସେହି ଚେତନାକୁ ଆଉ କେହି ପ୍ରବେଶ କରିପାରିବେ ନାହିଁ ବା ଅନୁଭବ କରିପାରିବେ ନାହିଁ, ତା’ ନୁହେଁ। ଯାହାକୁ ତମେ ସାଧାରଣ ଲୋକ ବୋଲି କହୁଛ ତାହାର ମଧ୍ୟ ଗହନ ଅନୁଭବ ଅଛି। ସେ କିନ୍ତୁ ତାହା ପ୍ରକାଶ କରିପାରୁ ନାହିଁ। ଯେତେବେଳେ ସେ କବିତାଟି ପଢ଼ୁଛି, ସେ ତା’ର ଅନୁଭବଟିକୁ ପାଉଛି ଏବଂ କବିତାଟି ତାକୁ ଛୁଉଁଛି। ଆମର ତଥାକଥିତ ସମାଲୋଚକମାନଙ୍କ ଅପେକ୍ଷା ବେଳେବେଳେ ପାଠକମାନଙ୍କଠାରୁ ଯେଉ ଅଦ୍ଭୁତ ଧାଡ଼ିଟିଏ ଆସେ ତାହା ମତେ ଅଧିକ ପ୍ରେରଣା ଦିଏ। ତେଣୁ କବିତା ସାଧାରଣ ପାଠକଟିକୁ ନିଶ୍ଚିତ ଭାବରେ ଆମୋଦ ଦେଉଛି। କିନ୍ତୁ ମୁଁ ପୂର୍ବରୁ କହିଛି କେବଳ ଦୀକ୍ଷିତ ପାଠକମାନେ ହିଁ କବିତାର ମଜା ନେଇପାରିବେ।

ସାଧାରଣ ଲୋକର କଥା ରହୁନାହିଁ ବୋଲି ଯେଉ ଅଭିଯୋଗ ହୁଏ, ତା’ ବିଷୟରେ ଆପଣଙ୍କ ମତ କ’ଣ?
କବି ନିଜେ କୌଣସି ଅସାଧାରଣ ଲୋକ ନୁହେଁ। ସେ ମଧ୍ୟ ସମାଜରେ ରହୁଛି, ସେ ଜଣେ ସାଧାରଣ ଲୋକ। ତେଣୁ ତା’ର ଅନୁଭବ ଯାହାକୁ ସେ କବିତାରେ ବାଢ଼ୁଛି, ତାହା ବି ତ ସାଧାରଣ ଲୋକର ଅନୁଭବ। ସାଧାରଣ ଲୋକଙ୍କ କଥା ଆସୁନାହିଁ କବିତାରେ, ଏ ଅଭିଯୋଗ ସତ୍ୟ ନୁହେଁ। ବେଳେବେଳେ ତାହା ଅତି ସୂକ୍ଷ୍ମ ଚେତନା ଦେଇ ଆସୁଛି; ସ୍ଥୁଳ ମାଧ୍ୟମରେ ମଧ୍ୟ ଆସୁଛି, ବିଦ୍ରୋହ ମାଧ୍ୟମରେ ଆସୁଛି, ପ୍ରତିବାଦ ମାଧ୍ୟମରେ ଆସୁଛି। କିନ୍ତୁ ସେହି ସାଧାରଣ ଲୋକଟି ଏହାକୁ କେତେଦୂର ବୁଝୁଛି, ତାହା ଆଉ ଏକ ତର୍କର ବିଷୟ।

ଏବେ ଓଡ଼ିଆ ସାହିତ୍ୟରେ – ଏବେ ନୁହେଁ, ଅନେକ ବର୍ଷ ଆଗରୁ – ଏକ ଉତ୍ତର ଆଧୁନିକ ଯୁଗ ଆସିଲା ବୋଲି ଭାରି ଚର୍ଚ୍ଚା ହେଉଛି। ଆପଣଙ୍କର କେବେ ଏଭଳି ଅନୁଭବ ହୋଇଛି କି? କବିତାରେ ଉତ୍ତର ଆଧୁନିକ ବୋଲି କିଛି ଅଛି କି?
ମୁଁ ଏ ସବୁରେ ବିଶ୍ବାସ କରେ ନାହିଁ। ଆଧୁନିକତା, ଉତ୍ତର ଆଧୁନିକତା, ଉତ୍ତରୋତ୍ତର ଆଧୁନିକତା ବା ପ୍ରାଚୀନତା ଏସବୁରେ ମୁଁ ବିଶ୍ବାସ ରଖେ ନାହିଁ। ବେଳେବେଳେ ମନେହୁଏ ସାରଳା ଦାସ, କବିସୂର୍ଯ୍ୟ ମଧ୍ୟ ମୋର ସମସାମୟିକ। ଆଜି ନୂଆ କଲମ ଯିଏ ଧରୁଛି ସେ ମଧ୍ୟ ମୋର ସମସାମୟିକ। ସେ ବିଚାରରେ ତମେ ବି ମୋର ସାମସମୟିକ। ଭଲ କବିତାଟିଏ ଲେଖିବା ପାଇଁ ଆମର ଚେତନା ସବୁବେଳେ ଉନ୍ମୁଖ ରହିବା କଥା। ତେଣୁ ସମାଲୋଚକୀୟ ଏସବୁ ବାଦ, ଉତ୍ତର ଆଧୁନିକ, ଆଧୁନିକ ଏସବୁ କଥାରେ ମୁଁ ଏତେ ମୁଣ୍ଡ ଖେଳେଇବାକୁ ଚାହଁନୋ।

କବିତା ଲେଖିବାର କିଛି ନିର୍ଦ୍ଦିଷ୍ଟ ନିୟମ ଅଛିକି; ଯେମିତି କି କବିତା ଏଇଭଳି ଲେଖାଯାଇପାରିବ?
ନା, ଏମିତି କବିତା ଲେଖାଯାଇପାରିବ ବୋଲି କିଛି ନିୟମ ନାହିଁ। ଏୟା ବି ହୋଇପାରେ ଯେ ପ୍ରଥମ ଚେତନାଟି ଆସିପାରେ ପ୍ରେମର, କିନ୍ତୁ କବିତାଟି ହୋଇଯାଇପାରେ ବିଦ୍ରୋହର। ଏଣୁ କବିତା ଲେଖିବା ପାଇଁ କୌଣସି ଧରାବନ୍ଧା ନିୟମ ନାହିଁ। କିନ୍ତୁ କଥାହେଲା, ପ୍ରତିଭା ଯଦି ଆଦୌ ନାହିଁ- କାବ୍ୟ ପ୍ରତିଭା ବା creative talent ବୋଲି ଯାହା କୁହ- ତା’ହେଲେ କବିତା ଲେଖିହେବ ନାହିଁ। ଚେଷ୍ଟା କରି କେହି କବି ହୋଇପାରିବ ନାହିଁ। ମୂଳତଃ ପ୍ରତିଭାର ଆବଶ୍ୟକତା ଅଛି ଏବଂ ତା’ ସହିତ ଅନୁଭବ, ଅଭିଜ୍ଞତା ଉପଲବ୍ଧି ସହ ଚେତନାକୁ ଗ୍ରହଣ କଲା ଭଳି ଗୋଟେ ଉନ୍ମୁକ୍ତ ମାନସିକତା ଥିବା ଆବଶ୍ୟକ।

ତେବେ ଅନ୍ୟାନ୍ୟ କଳା ଭଳି କ’ଣ କବିତା ପାଇଁ କୌଣସି ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ନାହିଁ?
ପ୍ରଶିକ୍ଷଣ କଥା ଯେଉ କହିଲ ତାକୁ ଅଲଗା ବାଗରେ କୁହାଯାଇପାରିବ। ମୁଁ କହିଛି ଯେ ମୂଳତଃ ପ୍ରତିଭାଟିଏ ଥିବା ଆବଶକ। ଯେ କୌଣସି ବ୍ୟକ୍ତି କବିତା ଲେଖିପାରିବ ନାହିଁ। ତେବେ କଳା ସହ କୌଶଳଟିଏ ମଧ୍ୟ ଆବଶ୍ୟକ, ଯାହାକୁ craftsmanship ବୋଲି କୁହାଯାଉଛି। ତେଣୁ କାରିଗରୀ ଶିକ୍ଷା ଦିଆଯାଇପାରେ। ଶିଳ୍ପ ଶିଖାଯାଇପାରେ, କବିକର୍ମ ଶିଖାଯାଇପାରେ। କିନ୍ତୁ କବିତା ଲେଖିବାର କଳାଟି କେହି କାହାକୁ ବତାଇ ପାରିବେ ନାହିଁ। ଜଣକୁ ମୁଁ ଶିଷ୍ୟତ୍ବ ଦେଇ କବି କରିଦେଇପାରିବି ନାହିଁ। ଏକଥା କୌଣସି କବି କହିପାରିବ ନାହିଁ।

ରାଜେନ୍ଦ୍ର ପଣ୍ଡା ଯଦି ଓଡ଼ିଶାରେ ଜନ୍ମ ନ ହେଇ ଅନ୍ୟ କେଉଁଠି ହୋଇଥା’ନ୍ତେ ତେବେ କ’ଣ କରିଥା’ନ୍ତେ?
କିଛି ବଦଳି ନଥାନ୍ତା। ଏଠି ଯାହା କରୁଛି ସେଠି ମଧ୍ୟ ତାହା କରିଥାନ୍ତି। ସେଠି ବି କବିତା ଲେଖିଥାନ୍ତି।

ତେବେ କ’ଣ ବୁଝିବାକୁ ହେବ, ଓଡ଼ିଶା ଆପଣଙ୍କ କବିତାକୁ ପ୍ରଭାବିତ କରିନାହିଁ।
ନିଶ୍ଚିତ ଭାବରେ କରିଛି। ଯେକୌଣସି ଭୌଗୋଳିକ ପରିବେଶରେ ଆମେ ରହୁଛେ, ତାହାର ଆମ ଉପରେ ପ୍ରଭାବ ଅଛି। ମୋତେ ଓଡ଼ିଶା ଯେମିତି ପ୍ରଭାବିତ କରିଛି, ମୁଁ ଯେଉଠି ଥିଲେ ବି ପ୍ରଭାବିତ ହୋଇଥାନ୍ତି, ହୁଏତ ଅଲଗା ବାଗରେ। ମତେ ଓଡ଼ିଶା, ଭାରତ, ସମଗ୍ର ପୃଥିବୀ, ସାରା ବିଶ୍ବ ପ୍ରଭାବିତ କରିବ। ପୃଥିବୀର ଯେଉ ବିନ୍ଦୁରେ ତମେ ଠିଆ ହୋଇଛ, ତାହା ହିଁ ହେଉଛି ପୃଥିବୀର କେନ୍ଦ୍ରବିନ୍ଦୁ।

ଅନ୍ୟାନ୍ୟ ବହୁ ଶ୍ରେଷ୍ଠ ଓଡ଼ିଆ କବିତା ତୁଳନାରେ ଆପଣଙ୍କ କବିତାକୁ ଟିକେ ତଉଲିବାରେ ଅବହେଳା ହୋଇଥିବା ଭଳି କେବେ ମନେହୁଏ କି?
ତଉଲିବା କଥା ଯେଉ କହୁଛ, ବୋଧହୁଏ ସମାଲୋଚକୀୟ ତଉଲ; ଓଡ଼ିଶାରେ ଏ ତଉଲା ତଉଲି କାମ କ’ଣ ଠିକରେ ହେଉଛି ଶୁଭ୍ରାଂଶୁ? ତେଲାତେଲି କାମ ଚାଲିଛି ବେଶ୍। ତଉଲିବା କାମ ଖୁବ୍ କମ୍ ହେଉଛି। ମୋର କିନ୍ତୁ କିଛି ଅଭିଯୋଗ ଅଛି ବୋଲି ଭାବ ନାହିଁ।

ଆପଣ ତ ବେଶ୍ ସିନେମା ପ୍ରିୟ। ଏଇ ନିକଟ ଅତୀତରେ ଭୁବନେଶ୍ବର ଫିଲ୍ମ ସୋସାଇଟି ଆନୁକୂଲ୍ୟରେ ହେଉଥିବା ଜର୍ମ।ନ ସିନେମା ଉତ୍ସବରେ ଆପଣଙ୍କ ସହ ଭେଟ ହୋଇଥିଲା। ଅନେକ ସିନେମା ସ୍କ୍ରିନିଂ ଅବସରରେ ମୁଁ ଆପଣଙ୍କୁ ଭେଟେ। ଆପଣ ଲକ୍ଷ୍ୟ କରିଥିବେ ଏବେ ବି ବିଶ୍ବର ବହୁ ଭାଷାର literary classicsକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମ।ଣ କରାଯାଉଛି। ଓଡ଼ିଶାରେ ଅତୀତରେ ମଧ୍ୟ ଏଭଳି ଉଦାହରଣ ଅନେକ ରହିଛି। ତେବେ ବର୍ତ୍ତମାନ କାହିଁକି ଓଡ଼ିଆ ସିନେମାରେ ସେଇ ପରମ୍ପରା ଦେଖିବାକୁ ମିଳୁନାହିଁ? ଆପଣଙ୍କର ମତ କ’ଣ?
ହଁ, ପୂର୍ବରୁ ଯେଭଳି ସାହିତ୍ୟକୁ ନେଇ ଓଡ଼ିଆ ଭାଷାରେ ସିନେମା ନିର୍ମ।ଣ କରାଯାଉଥିଲା, ଏବେ ତାହା ହେଉନାହିଁ। ଏହା ଠିକ୍ କଥା । ୟା’ର ମୁଖ୍ୟ କାରଣଟି ହେଉଛି ବର୍ତ୍ତମାନର ସିନେମା ନିର୍ମ।ତାମାନେ ପ୍ରଥମେ ଲାଭର ଆଶା ରଖୁଛନ୍ତି। କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନାହାନ୍ତି। ବେଳେ ବେଳେ ଅନ୍ୟାନ୍ୟ ଭାଷାର ଚାଲୁ ସିନେମାକୁ ନକଲ କରି ବାଢ଼ି ଦେଉଛନ୍ତି। କିନ୍ତୁ ମୁଁ ଭାବୁଛି ସାହିତ୍ୟର ଲେଖା ଆଧାରରେ ସୁନ୍ଦର ସିନେମା ହୋଇପାରିବ ଏବଂ ବ୍ୟବସାୟ ଦିଗଟି ମଧ୍ୟ ଆଦୌ ବାଧାଗ୍ରସ୍ତ ହେବ ନାହିଁ। ଏକଥା ଏବେ ଚିନ୍ତା କରିବାର ସମୟ ଆସିଛି।

ଆପଣ ଅନେକ କବିତାରେ ବହୁ ନୂଆ ଶଦ୍ଦ ଦେଇଛନ୍ତି ପାଠକମାନଙ୍କୁ। ଏବେ ଗୋଟେ ଦ୍ବନ୍ଦ୍ବ ଚାଲିଛି ଏଇ ଶବ୍ଦ ପ୍ରୟୋଗକୁ ନେଇ। କେହିକେହି ଶବ୍ଦକୋଷର ନୂଆନୂଆ ଶବ୍ଦସବୁକୁ କବିତାରେ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କ ଯୁକ୍ତି ଏହା ଦ୍ବାରା ପାଠକମାନେ ଆମ ଭାଷାର ବୃହତ୍ତର ଶବ୍ଦ ସମ୍ଭାର ସହ ପରିଚିତ ହେବେ। ଅନ୍ୟମାନଙ୍କ ଯୁକ୍ତି ହେଉଛି, କବିତାର ଶବ୍ଦ ଯେତେ ସରଳ ଏବଂ ବୋଧଗମ୍ୟ ହେବ ତାହା ପାଠକଙ୍କୁ ଅଧିକ ଆପ୍ଳୁତ କରିପାରିବ। ଏ ବିଷୟରେ ଆପଣଙ୍କ ମତ କ’ଣ?
ଶବ୍ଦକୋଷ ପାଖରେ ରଖି କବିତା ହୁଏନା। ଶବ୍ଦସ୍ମୃତି ବୋଲି ଗୋଟେ କଥା ଅଛି; word memory। କବିତା ଗୋଟିଏ ଭାଷ୍ୟିକ କଳା, an art of language। ତ ଭାଷା ଉପରେ କବିର ନିଶ୍ଚିତ ଭାବରେ ଏକ ସର୍ବନିମ୍ନ ଦକ୍ଷତା ଅଛି, ଏଥିରେ ସନ୍ଦେହ ନାହିଁ। ଗଳ୍ପ ଉପନ୍ୟାସରେ ମଧ୍ୟ ଅଛ । ସେଇ ଦକ୍ଷତା ଯାହାର ଯେତେ ଅଧିକ, ଯାହାର ଶବ୍ଦସ୍ମୃତି ଯେତେ ବ୍ୟାପକ। ଆପେ ଆପେ କବିତା ଲେଖିବା ବେଳେ ଉପଯୁକ୍ତ ଶବ୍ଦଟିଏ ତା’ ସ୍ଥାନ ବାଛିନେବ। ଜଣେ ଚେଷ୍ଟା କରି ଶବ୍ଦଟିଏ ଖଞ୍ଜିଦେବ, ନୂଆ ଶବ୍ଦଟିଏ ଗଢ଼ିଦେବ ତା’ ସମୀଚିନ ନୁହେଁ। ମୁଁ କେବେ କୌଣସି ଶବ୍ଦ ଗଢ଼ିବା ପାଇଁ ବ୍ୟବହାର କରିନାହିଁ, ବରଂ କବିତା ଲେଖିବାବେଳେ ତାହା ଆପେ ଆପେ ଚାଲିଆସିଛି।

ଆପଣଙ୍କ ମତରେ ଭଲ କବିତାଟିଏ ଆମେ କାହାକୁ କହିବା?
ମନ୍ଦ କବିତା ବୋଲି କିଛି ନାହିଁ। ଯଦି କବିତା ବୋଲି କହୁଛ, ଯଦି ତା’ର ଧାଡ଼ିରୁ ଗୋଟିଏକୁ ତମେ ଗୋଟେ କବିତାର ଧାଡ଼ି ବୋଲି ସ୍ବୀକାର କରୁଛ, ତେବେ ତାକୁ ନିଶ୍ଚିତ ଭାବରେ ଭଲ କବିତା କୁହାଯିବ।

ତଥାପି କେଉ କବିତା ଆପଣଙ୍କୁ ଅଧିକ ଆକୃଷ୍ଟ କରେ?
ଯେଉ କବିତା ଆମର ଚିନ୍ତା, ଚେତନା, ସ୍ବପ୍ନକୁ ଆଉ ଟିକେ ସୂକ୍ଷ୍ମ ସ୍ତରକୁ ନେଇଯାଇ ପାରୁଥିବ ବା ଚେତନାକୁ ଆନ୍ଦୋଳିତ କରିପାରୁଥିବ, ପ୍ରେମ ଏବଂ ବିଦ୍ରୋହ ଉଭୟର ସୂଚନା ଦେଇପାରୁଥିବ; ଏମିତି ବହୁ ବିଚିତ୍ର ଭାବରେ ଆମକୁ ପୁଲକିତ କରୁଥିବ, ସେ କବିତାଟି ନିଶ୍ଚୟ ଆକୃଷ୍ଟ କରିବ। କେବଳ ମତେ ନୁହେଁ, ଅନେକଙ୍କୁ।

ଆପଣ ଗୋଟିଏ ବହିର ନାମକରଣ କେମିତି କରନ୍ତି?
ନାମ ଉପରେ ବୋଧହୁଏ ବହିର କୌଣସି ନିର୍ଦ୍ଦିଷ୍ଟ ସମ୍ପର୍କ ନ ଥାଇପାରେ, ତଥାପି ମୁଁ ଟିକେ ଚେଷ୍ଟା କରେ; ଯେଉ ଭାବଧାରାର କବିତା ସବୁ ସଂକଳିତ ହୋଇଥାଏ, ତାକୁ ପ୍ରତୀକିତ କଲାଭଳି ନାମଟିଏ ଦେବା ପାଇଁ ଚେଷ୍ଟା କରେ।

ଆପଣ ଗଦ୍ୟ ଲେଖିବା ପାଇଁ କେବେ ମନ ବଳାଇଛନ୍ତି କି?
ମୁଁ ‘ଚିଦାଭାସ’ ନାମରେ ଉପନ୍ୟାସଟିଏ ଲେଖିଛି ଏବଂ ନିକଟ ଅତୀତରେ ଆଉ ଏକ ଉପନ୍ୟାସ ରତ୍ନମାଳା ସ୍ବାଇଁଙ୍କ ସଂପାଦିତ ‘ଚିତ୍ରା’ରେ ପ୍ରକାଶ ପାଇଛି। ମୁଁ କିଛି କିଛି ଗଦ୍ୟ ଲେଖିଛି। କିନ୍ତୁ ମୋ କବିତା ଭିତରେ ମଧ୍ୟ ଗଳ୍ପ ଅଛି। ତାକୁ ଚିହ୍ନରା ପାଠକ ଠିକ୍ ଠଉରେଇ ପାରିବେ।

ଏମିତି ହୋଇପାରନ୍ତା କି? ଆମେ ଗୋଟିଏ ମଞ୍ଚରେ ପାଖାପାଖି ଚଉକିରେ ଜୟନ୍ତ ମହାପାତ୍ର, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ସୌଭାଗ୍ୟ କୁମାର ମିା୍ର, ରାଜେଂନ୍ଦ୍ର କିଶୋର ପଂଡା ଓ ହରପ୍ରସାଦ ଦାସ ଆଦି ଆମ ସାହିତ୍ୟର ସମସ୍ତ ଦିଗ୍ଗଜ କବିଙ୍କୁ ଏକାଠି ଭେଟି ପାରନ୍ତୁ କି?
ଖୁବ୍ ଭଲ ଯୋଜନା । ତେବେ ଏମିତି ଯେ ଭେଟ ନ ହୋଇଛି ତା’ ନୁହେଁ। ଏକାଥରକେ ସମସ୍ତଙ୍କର ଭେଟ ଯଦିଓ ହୋଇନାହିଁ ତଥାପି ମୋର ମନେପଡ଼ୁଛି ତମେ ନେଇଥିବା ନାଁ ଗୁଡ଼ିକ ମଧ୍ୟରୁ କେତେ ଜଣ କବିଙ୍କ ସହ ଏକଦା ଗୋଟିଏ ମଞ୍ଚରେ କହିବାର ସୁଯୋଗ ଆସିଥିଲା। ଆଉ ଏଇ ଯେଉ ମଞ୍ଚ କଥା କହୁଛ, ତା’ ବାହାରେ ଆଉ ଏକ ବିରାଟ ସାରସ୍ବତ ମଞ୍ଚ ଅଛି ଯେଉଠି ସମସ୍ତେ ଆମେ ଏକାଠି ରହିଛୁ।

(ସୂଚନାଯୋଗ୍ୟ, ଏ ସାକ୍ଷାତକାର ନିଆଯିବାର ୯ ବର୍ଷ ପରେ ପେନ୍‌ ଇନ୍‌ ବୁକ୍ସ ଆୟୋଜିତ ଭୁବନେଶ୍ବର କବିତା ଉତ୍ସବ ଯାହା ପରେ ଭୁବନେଶ୍ବର ସାହିତ୍ୟ ଉତ୍ସବ ନାମରେ ଖ୍ୟାତ ହେଲା, ତାହାର ପ୍ରଥମ ସଂସ୍କରଣ ୨୦୧୬ରେ ଆମେ ଉପରୋକ୍ତ ୬ ବରିଷ୍ଠ କବିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାର ଉଦ୍ୟମ କରିଥିଲୁ। ସ୍ବାସ୍ଥ୍ୟଗତ କାରଣରୁ ଜୟନ୍ତକୁ ଛାଡ଼ି ବାକି ସମସ୍ତେ ଏକାଠି ହୋଇଥିଲେ।)

ଆପଣଙ୍କର ଗୁରୁତ୍ବପୂର୍ଣ୍ଣ ସ୍ମୃତିଟିଏ କୁହନ୍ତୁ।
ଅନେକ ସ୍ମୃତି ଅଛି ଏବଂ ପ୍ରତ୍ୟେକଟି ଗୁରୁତ୍ବପୂର୍ଣ୍ଣ। ସ୍କୁଲରେ ପଢ଼ିବାବେଳେ ମୋର ଲେଖାସବୁ ସ୍କୁଲ୍ ମାଗାଜିନ୍ ପାଇଁ ଯାହା ପଠାଏ ନାକଚ ହୋଇଯାଏ, କାରଣ ସେସବୁ କିଶୋରସୁଲଭ ଲେଖା ନୁହେଁ। ଏମିତି ଦୁଇ ବର୍ଷ ନାକଚ ହେବା ପରେ ହଠାତ୍ ଗୋଟିଏ ବର୍ଷ ମୋର କବିତାଟିଏ ପ୍ରକାଶ ପାଇଲା ଏବଂ ତାକୁ ଆମ ପତ୍ରିକାର ସମ୍ପାଦକ, ଶିକ୍ଷକ ପ୍ରଶଂସା କରିଥିଲେ ଓ ସେଥିପାଇଁ ସ୍କୁଲରୁ ସ୍ବତନ୍ତ୍ର ମେଡାଲଟିଏ ଦେଇଥିଲେ। ଏ ଘଟଣାଟି ଘଟିଥିଲା ଦଶମ ଶ୍ରେଣୀରେ, ବୋଧହୁଏ ମୋ ଜୀବନରେ ତା’ ଥିଲା ପ୍ରଥମ ସ୍ବୀକୃତି। ତାହା ମତେ ଖୁବ୍ ଆନନ୍ଦ ଦେଇଥିଲା।

ଆପଣଙ୍କର ପ୍ରାଶାସନିକ ବ୍ୟସ୍ତତା ଆପଣଙ୍କ କବିତା ଲେଖାରେ ବାଧକ ସାଜିଛି କି କେବେ?
ନା। ବରଂ ତାହା ନୂଆ ଅନୁଭବ ଅଭିଜ୍ଞତା ଆଣିଛି; କିଛି ଅନୁକୂଳ ଏବଂ ବେଶି ପ୍ରତିକୂଳ। ମୁଁ ହୁଏତ ପ୍ରାଶାସନିକ ବ୍ୟବସ୍ଥା ଭିତରେ ନ ଥିଲେ ‘ଗୋଲାମ ଦାସ’ ଭଳି କବିତାଟିଏ ଲେଖିପାରିନଥାନ୍ତି।

ହଁ, ଆଉ ଗୋଟିଏ କଥା। ଏ ଗୋଲାମ ଦାସ କବିତାକୁ ନେଇ ସତୁରି ଦଶକର ଜରୁରୀକାଳିନ ପରିସ୍ଥିତି ବେଳେ ବେଶ୍ ଚର୍ଚ୍ଚା ହୋଇଥିଲା ବୋଲି ଶୁଣିବାକୁ ମିଳେ। ସେ ଅଭିଜ୍ଞତାରୁ କିଛି କହନ୍ତୁ।
ଏମର୍ଜେନ୍ସି ଘୋଷଣା ହେଲା ଜୁନ୍‌ ୧୯୭୫ରେ। ସେଇ ବର୍ଷ ଅକ୍ଟୋବର ମାସରେ ‘ଗୋଲାମ ଦାସ’ କବିତା ପ୍ରକାଶ ପାଇଲା ଗୋଟିଏ ପତ୍ରିକାରେ। ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଥିବା ଏକ ସଭାରେ ତାଙ୍କ ଉପସ୍ଥିତିରେ ମୁଁ ସେ କବିତାକୁ ପାଠ କରିଥିଲି। ଏବଂ ସେଇ ନିର୍ଦ୍ଦିଷ୍ଟ କବିତାଟିକୁ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ପାଠ କରୁଥିଲି। ତତ୍କାଳୀନ ଯିଏ ଆମର ଗୃହ ସଚିବ ଥିଲେ, ସେ ମତେ ଭାରି ଭଲପାଉଥିଲେ। ମତେ ଦିନେ ଡାକି ପଚାରିଲେ – ରାଜେନ୍ଦ୍ର, ତମେ ଭାରତୀୟ ପ୍ରାଶାସନିକ ସେବାରେ ଅଛ, ଏମିତି କବିତା ସବୁ କାହିଁକି ଲେଖୁଛ? ମୁଁ କହିଲି – ମୋର ଲେଖିବାକୁ ଇଚ୍ଛା ହେଉଛି, ଲେଖୁଛି। ଅବଶ୍ୟ ମୋ ପାଇଁ କୌଣସି ଦଣ୍ଡବିଧାନ ହୋଇନଥିଲା, ଏଇ ପଦଟି ସିଏ ଖାଲି କହିଥିଲେ। ସେଇଟା ଗୋଟେ ସତର୍କବାର୍ତ୍ତା ଥିଲା କେବଳ।

ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଯେ କୌଣସି ତେଜସ୍ବୀ ଏବଂ କବି କୌଣସି ବାର୍ତ୍ତା କିମ୍ବା ଉପଦେଶର ଅପେକ୍ଷା ରଖେ ନାହିଁ। ତଥାପି ଏତିକି କୁହାଯାଇପାରେ ଯେ ସେମାନଙ୍କର ଗଭୀର ଅନୁଭବ ଏବଂ ସୃଜନଶୀଳତାରେ ମୌଳିକତା ରହିବା ଆବଶ୍ୟକ।

ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ରହିବା ଜରୁରୀ କି?
ପ୍ରତିବଦ୍ଧତାକୁ ଲକ୍ଷ୍ୟ କରି କେବେ କବିତା ଲେଖାଯାଇ ପାରେନା। ଆଜି ମୁଁ ଆଦିବାସୀଙ୍କ ଉପରେ କବିତା ଲେଖିବି ବା ଧର୍ଷିତା ନାରୀର କରୁଣ କାହାଣୀକୁ ନେଇ ଲେଖିବି, ଏଭଳି କୌଣସି ପୂର୍ବ।ନୁମାନ ନେଇ କବିତା ଲେଖା ହୁଏନା। ମୁଁ ପୂର୍ବରୁ କହିସାରିଛି ଯେ ଯଦି ଗହନ ଅନୁଭବ ଅଛି, ଯଦି ସମାଜର ବିଭିନ୍ନ ସ୍ତର ସହ ସମ୍ପର୍କ ରହିଛି, ତେବେ ପ୍ରତିବଦ୍ଧତା ଆପେ ଆପେ ଆସିବ। ସବୁଠୁ ବଡ଼କଥା ହେଲା କବି ନିଜେ ଜଣେ ବିବେକୀ ମଣିଷଟିଏ ହେବା ଆବଶ୍ୟକ। ଯେଉମାନେ ରାଜନୈତିକ ଦୃଷ୍ଟିରୁ ଠିକ୍ ହେବାକୁ ଚାହାନ୍ତି, ଯେଉଁମାନଙ୍କ ମନରେ ଶଙ୍କା ଥାଏ, ହୁଏତ ସେମାନଙ୍କର କିଛି ଭାବନା ପ୍ରତିହତ ହୋଇପାରେ। ମୁଁ କବିତା ଲେଖିବାବେଳେ କୌଣସି ସୀମାରେଖା ଧାର୍ଯ୍ୟ କରେ ନାହିଁ। ମୁଁ ସମ୍ପୂର୍ଣ୍ଣ ରାଜନୈତିକ କବିତା ଲେଖିଛି, ସାମାଜିକ ପ୍ରତିବଦ୍ଧତାର କବିତା ଲେଖିଛି। ପ୍ରେମ କବିତା ମଧ୍ୟ ଲେଖିଛି।

ଅନ୍ୟାନ୍ୟ ଭାଷା ତୁଳନାରେ ଓଡ଼ିଆ କବିତାର ସ୍ଥାନ କେଉଠି?
ପ୍ରକୃତରେ ଅନ୍ୟାନ୍ୟ ଭାଷା ସମୂହକୁ ପ୍ରଚୁର ଭାବରେ ପଢ଼ି ଆମ କବିତା ସହ ତୁଳନା କରିବାର ସୁଯୋଗ ଆସିନାହିଁ। ହୁଏତ କାରଣ ଏହା ହୋଇପାରେ, ଯେ ଭାରତୀୟ ଭାଷାର କବିତା ସବୁ ଯଥେଷ୍ଟ ପରିମାଣରେ ହିନ୍ଦୀ କିମ୍ବା ଇଂରାଜୀକୁ ଅନୁଦିତ ହୋଇପାରି ନାହିଁ । ତେବେ ବି ଓଡ଼ିଆ ଭାଷାରେ ବେଶ୍ ଭଲ କବିତା ଲେଖାଯାଉଛି ଏବଂ ତାହା ଆହୁରି ଭଲ ହୋଇପାରନ୍ତା। ମୁଁ ଏଇଠି ଗୋଟିଏ କଥା କହିବାକୁ ଚାହେଁ ଯେ, ଓଡ଼ିଆ ଭାଷାର ତାରିଫ କଲା ଭଳି ଅନେକ କବିତା ଅଛି, କିନ୍ତୁ ତାଜୁବ୍ ହୋଇଯିବା ଭଳି କବିତାର ଅଭାବ ରହିଛି।

ଏବେ ଭାରତରୁ ଇଂରାଜୀ ଭାଷାରେ ଲେଖାଯାଉଥିବା ଅନେକ ଲେଖା ବେଶ୍ ପ୍ରସିଦ୍ଧି ଆଣିଛି ସେଗୁଡ଼ିକର ଲେଖକମାନଙ୍କ ପାଇଁ। ତେବେ ସେସବୁ ଲେଖାରେ ଭାରତୀୟତାର ପରିପ୍ରକାଶ ଉଚିତ ବାଗରେ ହୋଇପାରୁଛି କି?
ଭାରତୀୟତା କ’ଣ? ଏହା ବୈଶ୍ବିକ ଠାରୁ ସମ୍ପୂର୍ଣ୍ଣ ଏକ ଅଲଗା ଜିନିଷ କି? ଦେଶ, କାଳ, ସୀମା ଏସବୁକୁ ଅତିକ୍ରମ କରିଥିବା ସାହିତ୍ୟ ହିଁ classic literatureର ମାନ୍ୟତା ପାଇଥାଏ। ଅକ୍ଟାଭିଆ ପାଜଙ୍କର ଗୋଟିଏ ଧାଡ଼ି କୌଣସି ଭାରତୀୟ ସାହିତ୍ୟଠାରୁ ମଧ୍ୟ ଅଧିକ ଭାରତୀୟ। ସାହିତ୍ୟ ପାଇଁ କୌଣସି ଭୌଗୋଳିକ ବା ରାଜନୈତିକ ସୀମା ନ ରହିବା ଉଚିତ।

Comments are closed.