Odisha Link
Bridging the Missing Links in Odisha

ଦବଙ୍ଗ ବିଧାୟକ ଗିରଫ, କୋର୍ଟରେ ହାଜର

ବଲାଙ୍ଗୀର: ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର ଗିରଫ। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିଲା। ପୁଲିସ୍ ତାଙ୍କୁ ବଲାଙ୍ଗୀର ଏସପି ଅଫିସରେ ପଚରାଉଚାରା ଚାଲିଥିଲା ସୂଚନା ରହିଛି। ପଚରାଉଚରା ପରେ ସରୋଜଙ୍କୁ ପାଟଣାଗଡ଼ ଥାନାକୁ ନେଇଥିଲା ପୁଲିସ୍। ଥାନରେ ତାଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ପୁଲିସ୍ ତାଙ୍କୁ ହାଜର କରିଥିବା ସୂଚନା ରହିଛି। ଆଜି ସକାଳୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଉଠବସ୍ କରାଇଥିବା ଘଟଣାକୁ ନେଇ ବିଧାୟକ ସରୋଜ ମେହେରଙ୍କୁ ଅଟକ ରଖିଥିଲା ପୁଲିସ୍। ତେବେ ବିଧାୟକ ଆତ୍ମସମର୍ପଣ କରିଛନ୍ତି ନା ପୁଲିସ୍‌ ଗିରଫ କରିଛି ଏ ନେଇଁ ପୁଲିସ୍‌ ପକ୍ଷରୁ କିଛି ସୂଚନା ମିଳିନାହିଁ। ତେବେ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ।

ସୂଚନାଥାଉକି, ନିମ୍ନମାନର ରାସ୍ତା କାମ ଦର୍ଶାଇ କନିଷ୍ଠ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମଖରେ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ। କୋଦାଳରେ ଖୋଳିବା ପରେ ପିଚୁ ଉଠିଯାଉଥିଲା। ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ। ଏହାକୁ ନେଇ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା। ଏପରିକି ଗିରଫ ନକଲେ ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଥିଲେ ଆଦିବାସୀ ମହାସଂଘ।

Comments are closed.