Odisha Link
Bridging the Missing Links in Odisha

ରାଜ୍ୟସଭା ନିର୍ବାଚନ: ଲାଭ ନେଲେ ନେତା, କ୍ଷତି ସହିଲେ ଜନତା

ଆମ ରାଜ୍ୟରେ ରାଜ୍ୟସଭାର ୩ଟି ଆସନ ପାଇଁ ଆଗୁଆ ଫଳାଫଳ ଘୋଷିତ ହୋଇଯାଇଛି। ପ୍ରକୃତରେ ଏ ନିର୍ବାଚନରେ ମୁଖ୍ୟତଃ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପିର ଲାଭ ହୋଇଥିଲା ବେଳେ ଏଥିରେ ସାଧାରଣ ଜନତା ଓ ଉଭୟ ଦଳର ତୃଣମୂଳ କର୍ମୀଙ୍କର କ୍ଷତି ହିଁ ହୋଇଛି। ବିଶେଷ ଭାବରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ଉକ୍ତ ନିର୍ବାଚନ ଏକ ବଡ କୁଟନୈତିକ ବିଜୟ ବୋଲି ବିଚାର କରାଯାଉଛି। ଅପରପକ୍ଷରେ ଭାରତୀୟ ଜନତା ପାର୍ଟିର ନୈତିକ ପରାଜୟ ହେବା ସହିତ ଆମ ରାଜ୍ୟରେ ଏହା ଦଳ ପାଇଁ ଖୁବ୍ କ୍ଷତିକାରକ ବୋଲି କୁହାଯାଉଛି।

ମୋଟାମୋଟି ଭାବେ ବିଜେଡି ସଭାପତିଙ୍କର ମାତ୍ରାଧିକ କ୍ଷମତା ଲୋଭ ଯୋଗୁଁ ରାଜ୍ୟସଭା ପାଇଁ ବାରମ୍ବାର ଉପନିର୍ବାଚନ କରାଯିବା ଭଳି ପରିସ୍ଥିତି ସୃଷ୍ଟି କରାଯାଇଛି। ଏହା ଜନତାଙ୍କ ଅର୍ଥରେ ନିୟମିତ ଏକ ଦଳୀୟ ତାମସା ଭଳି ପ୍ରତୀୟମାନ ହେଉଛି।

ରାଜ୍ୟସଭା ନିର୍ବାଚନ ନେଇ ଲୋକେ ମୁଖ୍ୟତଃ ଉଭୟ ଦଳ ଠାରୁ ଗୋଟିଏ ଲେଖାଏଁ ପ୍ରଶ୍ନ ଉପରେ ଉତ୍ତର ଆଶା କରୁଛନ୍ତି। ପ୍ରଥମତଃ, ବିଜୁ ଜନତା ଦଳ ପ୍ରତିଷ୍ଠାର ୨୨ ବର୍ଷ ପରେ ବି ଏପରି କେଉଁ ନେତାଙ୍କର ଅଭାବ ପଡ଼ିଲା ଯେ, ନିର୍ଦ୍ଦିଷ୍ଟ କେତେ ଜଣଙ୍କୁ ସଭାପତି ନବୀନ ବାବୁ ରାଜ୍ୟସଭାରୁ ଲୋକସଭା ଓ ବିଧାନସଭା ଯାଏଁ କେବଳ ଅଦଳ ବଦଳ କରିବାରେ ବ୍ୟସ୍ତ ରହୁଛନ୍ତି? ଏପରି କାର୍ଯ୍ୟ ବିଷୟ ଦଳୀୟ ରାଜନୈତିକ ପରିଚାଳନା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ସମଦୂରତାର କଥା କହି ଆସୁଥିବା ବିଜେଡି ନିଜର ତିନିଜଣ ପ୍ରାର୍ଥୀ ବିଜୟ ସୁନିଶ୍ଚିତ ଜାଣି ମଧ୍ୟ କେଉଁ ଲୋଭ ବା ଭୟରେ ହଠାତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କଲେ, ବୁଝା ପଡ଼ୁନାହିଁ। ରାଜ୍ୟସ୍ବାର୍ଥ ହାସଲ ଯଦି ଏହାର ମୁଖ୍ୟ ଯୁକ୍ତି ହୁଏ, ତେବେ ଲୋକସଭାରେ ଏନଡିଏକୁ ସମର୍ଥନ ଦେଇ ବିଜେଡି ଦୁଇତିନୋଟି ମନ୍ତ୍ରୀପଦ ହାତଉନାହିଁ କାହିଁକି?

ଅପରପକ୍ଷରେ ଦ୍ବିତୀୟ ଶକ୍ତିଶାଳୀ ଦଳ ଭାବେ ବିଜେପି ଆମରାଜ୍ୟରେ ଉଭା ହେବା ଏବଂ ଆଉ କିଛି ମାସ ବ୍ୟବଧାନରେ ରାଜ୍ୟସଭାରେ ବିଜେପି ସଂଖ୍ୟା ଗରିଷ୍ଠ ମାନ୍ୟତା ପାଇବାକୁ ଯାଉଥିବା ବେଳେ ନରେନ୍ଦ୍ର ମୋଦି ନବୀନଙ୍କୁ ରାଜ୍ୟସଭା ପାଇଁ ଗୋଟିଏ ସିଟ୍ ମାଗି କେଉଁ ଗୌରବ ଅର୍ଜନ କଲେ ? ଏପରି ପ୍ରଶ୍ନ ସାଧାରଣରେ ଉଠିଛି ଓ ଏହାର କାରଣ ନେଇ ମଧ୍ୟ ଚର୍ଚ୍ଚା ଦାଣ୍ଡରେ ପଡ଼ିଛି।

ନବୀନ ପଟ୍ଟନାୟକଙ୍କର ଯଦିବା ଓଡ଼ିଶାରେ ସରକାର ଚାଲିବା ପାଇଁ ସାମାନ୍ୟତମ ଭୟ ନାହିଁ ସେ କିନ୍ତୁ ବିଧାନସଭା ଆସନ ବିଜେପିକୁ ଦେବା ସପକ୍ଷରେ ନାହାନ୍ତି। ତେଣୁ ଆଗକୁ ହେବାକୁ ଥିବା ପାଟକୁରା ଓ ବିଜେପୁର ଉପନିର୍ବାଚନରେ ବିଜେପି ତୃଣମୂଳକୁ ଭାଙ୍ଗିବା ପାଇଁ ଏହା ଏକ କୂଟନୈତିକ ଚାଲ୍ ବୋଲି ବିବେଚନା କରାଯାଉଛି। ଅନ୍ୟପକ୍ଷେର ଚିଟଫଣ୍ଡ କେଳେଙ୍କାରୀରେ ଛନ୍ଦି ହୋଇଥିବା ନିଜେ ଦଳ ମୁଖିଆ ଓ ଅନ୍ୟ ନେତାଙ୍କୁ ସିବିଆଇ ପଞ୍ଝାରୁ ଖସାଇବା ପାଇଁ ଏହା ଏକ ଆତ୍ମସମର୍ପଣାତ୍ମକ ଡିଲ୍ ନୁହେଁ ତ!

ତେବେ ଯାହା ହେଉନା କାହିଁକି, ତଳ ସ୍ତରରେ ଉଭୟ ଦଳର କର୍ମୀ ଏଥିରେ ବାଟବଣା ହେବା ସ୍ବାଭାବିକ୍। କୈଣସି କାରଣ ନ ଥାଇ ବିଜେଡି ବାରମ୍ବାର ଉପନିର୍ବାଚନର ଫାର୍ସ କରି ଜନତାଙ୍କର ମଧ୍ୟ ଅଶେଷ କ୍ଷତି କରିଚାଲିଛି।

Comments are closed.