Odisha Link
Bridging the Missing Links in Odisha

ରଥଯାତ୍ରା ସମୟରେ ରଥକୁ କିଏ ରକ୍ଷା କରନ୍ତି, ଜାଣନ୍ତୁ…

ପୁରୀ : ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଆଜି ମହାପ୍ରଭୁ ନବଯୌବନ ଦର୍ଶନ ଦେଇ ପରଦିନ ଅର୍ଥାନ ଗୁରୁବାର ଦିନ ରଥରେ ବସି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଆସି ପହଁଞ୍ଚିଛି। ଘୋଷଯାତ୍ରାରେ ରଥରେ ବିରାଜ ହୋଇ ଜନ୍ମବେଦୀକୁ ଯାଆନ୍ତି ମହାପ୍ରଭୁ ଜଗନ୍ନାଥ, ଭଉଣୀ ଶୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ର।

ଏହି ତିନି ରଥରେ ପାର୍ଶ୍ବ ଦେବଦେବାଙ୍କ ସହିତ ଏହି ତିନିରଥର ପାର୍ଶ୍ବ ଦେବଦେବାଙ୍କ ସହିତ ଯକ୍ଷ, ଗନ୍ଧର୍ବ, ଅପସରା ଏବଂ ଅନ୍ୟାନ୍ୟ ଦେବାଦେବୀ ମଧ୍ୟ ଯାତ୍ରା କରିଥାନ୍ତି। ଯେଉଁମାନଙ୍କୁ ରଥର ରକ୍ଷକ ବୋଲି କୁହାଯାଏ। ଏ ସମ୍ପର୍କରେ ଗବେଷକ ଡା ନରେଶ ଚନ୍ଦ୍ର ଦାଶ ଗଣମାଧ୍ୟମକୁ ସାକ୍ଷାତକାର ରେ କହିଛନ୍ତି ଯେ, ରଥଗୁଡିକୁ ବୈଦିକ ବ୍ରାହ୍ମଣମାନେ ପ୍ରତିଷ୍ଠା କରିଥାନ୍ତି। ପ୍ରତିଷ୍ଠା ହୋଇ ସରିବା ପରେ ରଥ ଉପରେ କୌଣସି ଅଶୁଭପ୍ରଦ ମନୁଷ୍ୟ, ପକ୍ଷୀ, ମାର୍ଜାର (ବିରାଡି), ନେଉଳ କିମ୍ବା ଅନ୍ୟ କୌଣସି ପ୍ରାଣୀ ଆରୋହଣ ନ କରନ୍ତି ସେଥିପ୍ରତି ସାବଧାନ ରହିବା ଆବଶ୍ୟକ। ପୁନଶ୍ଚ ସ୍କନ୍ଦ ପୁରାଣରେ କୁହାଯାଇଛି ଯଦି ରଥର ଈଷା ଭଗ୍ନ ହେବ ତେବେ ବ୍ରାହ୍ମଣ କୂଳକୁ ଭୟ। ରଥର ଅଖ ଭଗ୍ନ ହୁଏ ତହିଁରେ କ୍ଷତ୍ରୀୟ କୂଳକୁ ଭୟ ହୁଏ। ରଥର ଯଦି ତୁଳା ଭଗ୍ନ ହୁଏ ତାହେଲେ ବୈଶ କୂଳର ବିନାଶ ହୁଏ। ରଥର ଧୁରା ଭଗ୍ନରେ ଅନାବୃଷ୍ଟି, ପୀଢ଼ ଭଙ୍ଗରେ ପ୍ରଜା ଭୟ, ଚକ୍ର ଭଙ୍ଗରେ ପରଚକ୍ରଗତି ପ୍ରଭୃତି ଭୟଜାତ ହୋଇଥାଏ।

ରଥର ଯଦି ଧ୍ବଜ ପତନ ହୁଏ ତେବେ ରାଜାର ରାଜ୍ୟ ଅନ୍ୟଦ୍ବରା ଅଧିକୃତ ହୁଏ। ପ୍ରତିମାମାନଙ୍କର ଯଦି କୌଣସି ପ୍ରକାରର ଅଙ୍ଗଭଙ୍ଗ ଘଟଣା ଘଟେ ତେବେ ରାଜାଙ୍କର ଜୀବନ ପ୍ରତି ବିପଦ ହୁଏ। ରଥ ଯଦି ବିନିଷ୍ଟ ହୋଇଯାଏ ତାହେଲେ ସମସ୍ତ ଜନପଦ ଉଚ୍ଛନ୍ନ ହୋଇଯାଏ ବୋଲି ଡା ଦାଶ କହିଛନ୍ତି। ଏହିଭଳି ଅନେକ ବିଘ୍ନ ରଥ ଉପରେ ଘଟିବାର ସମ୍ଭାବନା ଥିବାରୁ ରଥର ରକ୍ଷକ ଭୋବ ପ୍ରଖ୍ୟାତ ଦେବାଦେବୀ ଦାୟିତ୍ବ ବହନ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥର ରକ୍ଷକ ହେଉଛନ୍ତି ବାସୁଦେବ ଭାସ୍କର। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ରକ୍ଷକ ହେଉଛନ୍ତି ସ୍ବୟଂ ଦେବରାଜ ଇନ୍ଦ୍ର। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ରଚଣ୍ଡୀ। ରଥ ଆରମ୍ଭରୁ ଯାତ୍ରା ଶେଷ ପର୍ଯ୍ୟନ୍ତ, ଏମାନେ ରଥରେ ରହି ଅତି ସାବଧାନର ସହିତ ବିଘ୍ନ ବିନାଶକ ନିମନ୍ତେ ଯତ୍ନବାନ ହୋଇଥାନ୍ତି। ପ୍ରତିବର୍ଷ ଏମାନଙ୍କ ନିଷ୍ଠାପର ଦାୟିତ୍ବ ଯୋଗୁ ରଥଯାତ୍ରା ସୁଚାର ରୂପେ ସମାହିତ ହୋଇଥାଏ। ମହାପ୍ରଭୁଙ୍କର କରୁଣା ଏହି ଦେବବେଦବୀଙ୍କ ଉପରେ ସର୍ବଦା ରହିଥାଏ ବୋଲି ଡ. ଦାଶ ପ୍ରକାଶ ନିଜର ମତରେ ପ୍ରକାଶ କରିଛନ୍ତି।

Comments are closed.