Odisha Link
Bridging the Missing Links in Odisha

ରାଜଧାନୀରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର : ଆଉ ଦୁଇ ଦିନ ପରେ ଘୋଷଯାତ୍ରା। ଏଥିପାଇଁ ରାଜଧାନୀରେ ଇସ୍କନ୍ ମନ୍ଦିର ସମେତ ୫୦ରୁ ଅଧିକ ସ୍ଥାନରେ ରଥଟଣା ହେବ। ବିଶେଷକରି ଇସ୍କନ୍ ଓ କିଟ୍ ରେ ଅଧିକ ଭିଡ଼ ପରିଲକ୍ଷିତ ହେବ। ତେଣୁ ଏହି ସମୟରେ ପୂରା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।
ସୂଚନା ଅନୁସାରେ, ରାଜଧାନୀରେ ଚଳିତଥର ପାଖାପାଖି ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ କେବଳ ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ବେଳେ ଟ୍ରାଫିକ୍ ପରଚାଳନା ପାଇଁ ୪ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯିବ। ଏଥିପାଇଁ ଇସ୍କନରେ ଏକ ସ୍ବତନ୍ତ୍ର ଏବଂ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲିବ। ଜଣେ ଆଡିସନାଲ ଡିସିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଡିସିପି ଅନୁପ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, କେବଳ ଇସ୍କନ ପାଇଁ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ଏଥି ମଧ୍ୟରୁ ଜଣେ ଆଡିସନାଲ ଡିସିପି, ୫ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୨୦ଜଣ ଏସଆଇ, ୧୮ଜଣ କନଷ୍ଟେବଲ, ୩୭ଜଣ ମହିଳା କନଷ୍ଟେବଲ ଓ ୬ଜଣ ହୋମଗାର୍ଡ ନିୟୋଜିତ ହେବେ। ରଥଟଣା ଆରମ୍ଭ ହେବା କ୍ଷଣି ଜାତୀୟ ରାଜପଥରେ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ଏହି ସମୟରେ ବରମୁଣ୍ଡା ପଟୁ କୌଣସି ଗାଡ଼ି ମୋଟର ତଳ ରାଜପଥ ଦେଇ ରସୁଲଗଡ଼ ଆଡ଼େ ଆସିପାରିବ ନାହିଁ। ସେହିପରି ରଥଯାତ୍ରା ବେଳେ ଇସ୍କନ୍ ମନ୍ଦିର ସମ୍ମୁଖ ଫ୍ଲାଏଓଭର୍ ରଥଟଣା ଦେଖିବାକୁ ବାରଣ କରାଯାଇଛି। ଭାରୀଯାନଗୁଡ଼ିକୁ ପିତାପଲ୍ଲୀ ପାଖରୁ ଡାଇଭର୍ସନ୍ କରାଯିବ। ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍ଗୁଡ଼ିକ ସହର ଭିତର ହୋଇ ଯିବା ଆସିବା କରିବ। ସିଆରପି, ଡିଏଭି, ପାୱାର ହାଉସ ଛକ ଆଦିରେ ମଧ୍ୟ ଟ୍ରାଫିକ୍ ପୁଲିସ ନିୟୋଜିତ ହେବେ।

Comments are closed.