Odisha Link
Bridging the Missing Links in Odisha

ଦ୍ବିତୀୟ ଶ୍ରୀକ୍ଷେତ୍ର ଭେଳିକି

ରାଜ୍ୟର ଅନ୍ୟତମ ସର୍ବପୁରାତନ ମନ୍ଦିର ଶ୍ରୀମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧା ଯୋଗୁଁ କାଳକ୍ରମେ ପୁରୀ ସହର ଶ୍ରୀପୁରୁଷୋତ୍ତମକ୍ଷେତ୍ର, ଶଙ୍ଖକ୍ଷେତ୍ର ଓ ଶ୍ରୀକ୍ଷେତ୍ର ନାମରେ ଖ୍ୟାତ ହୋଇଛି। ତେବେ ସରକାରୀ ରାଜସ୍ବ ନଥିରେ ଏ ସହରର ନାମ ପୁରୀ ହିଁ ରହିଛି। ଅନୁରୂପ ଭାବେ ସ୍ଥାନୀୟ ଐତିହ୍ୟ ଓ ଧର୍ମୀୟ ପରମ୍ପରାକୁ ଆଖିରେ ରଖି କୋଣାର୍କକୁ ଅର୍କକ୍ଷେତ୍ର, ଯାଜପୁରକୁ ବିରଜାକ୍ଷେତ୍ର, ଦଶପଲ୍ଲାକୁ ମହାବୀରକ୍ଷେତ୍ର, କୋରାପୁଟକୁ ଶାବର ଶ୍ରୀକ୍ଷେତ୍ର ଓ ସୁବର୍ଣ୍ଣପୁରର ତ୍ରିକୁଟ ପାହାଡ଼କୁ ପାତାଳି ଶ୍ରୀକ୍ଷେତ୍ର ଆଦି ନାମରେ ଭକ୍ତମାନେ ଜାଣିଥାଆନ୍ତି।

ତେବେ ଏଭଳି ନାମକରଣ କୌଣସି ସରକାରୀ ନଥି (document), ଆଇନ (law), ସଂକଳ୍ପ (resolution) ବା ଆଦେଶ (order) ଦ୍ବାରା ହୋଇନାହିଁ। ବରଂ ସ୍ଥାନର ଧାର୍ମିକ ପ୍ରାସଂଗିକତାକୁ ଭିତ୍ତିକରି କେହି ଜଣେ ବା କୌଣସି ଗୋଷ୍ଠୀ ଏଭଳି ନାମକରଣ ସବୁ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ତାହା ଲୋକମୁଖରେ ଗ୍ରହଣୀୟ ହୋଇ ପ୍ରସିଦ୍ଧି ପାଇଛି।

ଏବେ ଆସିବା ଦ୍ବିତୀୟ ଶ୍ରୀକ୍ଷେତ୍ର ଦାବି ପ୍ରସଙ୍ଗକୁ। ଉଭୟ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଓ ନୟାଗଡ଼ ଜିଲ୍ଲାର ରଣପୁର ସହରକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ମିଳୁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଦୃଢ଼ ହେବାରେ ଲାଗିଛି। ପ୍ରାୟ ରାଜନୈତିକ ଦଳ ଏବେ ଧର୍ମକୁ ନିଜ ନିର୍ବାଚନୀ ବିଜୟ ଯାତ୍ରାର ଅନ୍ୟତମ ସଫଳ ସଇସ ମନେ କରୁଥିବା ବେଳେ ଆମ ରାଜ୍ୟରେ ଶାସକ ବିଜୁ ଜନତା ଦଳ (ବିଜେଡି) ମଧ୍ୟ ଏ ଦୌଡ଼ରେ ସାମିଲ। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇଥିବା ବେଳେ ସେଠାର ଐତିହ୍ୟସମ୍ପନ୍ନ ପୁରାତନ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ସେ ସମୟରେ ସ୍ଥାନୀୟ ସେବାୟତମାନେ ଦ୍ବି୍ତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ସହ ମନ୍ଦିରକୁ ଆଉ କିଛି ସୁବିଧାସୁଯୋଗର ଦାବି ରଖିଥିଲେ। ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଏ ସବୁ ପ୍ରସଙ୍ଗରେ ନିର୍ବାଚନ ପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ।

ନିର୍ବାଚନ ପରେ ସରକାରଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନଥିବାରୁ ଗତ ମେ ୧୯ ତାରିଖରେ ସେବାୟତମାନେ ବାରିପଦା ମନ୍ଦିର ବେଢ଼ାରୁ ଭୁବନେଶ୍ବର ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ସରକାର ଅଡ଼ୁଆରେ ପଡ଼ିବେ ଜାଣି ପ୍ରଶାସନ ସେମାନଙ୍କୁ ବୁଝାସୁଝା କରି ଅଟକାଇଥିଲା। ପରେ ମେ ୩୦ ତାରିଖରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟସ୍ଥତାରେ ବାରିପଦାରୁ ଏକ ପ୍ରତିନିଧିମଣ୍ଡଳୀ ଆସି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଦୋହରାଇଛନ୍ତି। ଦ୍ବିତୀୟ ଶ୍ରୀକ୍ଷେତ୍ର ଘୋଷଣା ସମେତ ବାରିପଦା ମନ୍ଦିରକୁ ବିଭିନ୍ନ ସୁବିଧା ସୁଯୋଗ ବାବଦରେ ୧୧ ଦଫା ଦାବିପତ୍ରରେ ଉଲ୍ଲେଖ ରହିଛି। ରଥଯାତ୍ରା ପରେ ଏହାର ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏ ଘଟଣା ପରେ ନିଜକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଦାବି କରି ଆସୁଥିବା ରଣପୁରବାସୀ ପୁଣି ପୁରୁଣା ଦାବିକୁ ଦୋହରାଇଛନ୍ତି। ନୟାଗଡ଼ ଜିଲ୍ଲାବ୍ୟାପୀ ଏ ନେଇ ଦାବି ଜୋର ଧରିଥିବା ବେଳେ ରଣପୁରକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।

ମନରେ ସ୍ବତଃ ପ୍ରଶ୍ନଉଠେ, ସରକାର ଏଭଳି ମାନ୍ୟତା ଦେବାକୁ ପ୍ରାଧିକୃତ କି? ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦାବିଦାରଙ୍କୁ ଡାକି ଆଣିଥିବା ଆଇନ ମନ୍ତ୍ରୀ ମହୋଦୟ କହିବେ କି, ରାଜ୍ୟ ବା କେନ୍ଦ୍ର ସରକାରଙ୍କର କେଉଁ ଅନୁଷ୍ଠାନ ବା କାର୍ଯ୍ୟାଳୟରେ ଏଭଳି ମାନ୍ୟତା ପ୍ରମାଣପତ୍ର ମିଳିଥାଏ? ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏଭଳି ଗୋଟିଏ ଧାର୍ମିକ ପ୍ରସଙ୍ଗକୁ ଶ୍ରଦ୍ଧାଳୁଙ୍କ ଉପରେ ଛାଡ଼ି ନ ଦେଇ ରାଜନୈତିକ ଫାଇଦା ଲାଗି ସରକାର ଜାଣି ଜାଣି ଅଡ଼ୁଆ ଭିତରେ ଗୋଡ଼ ଛନ୍ଦୁଛନ୍ତି। ଫଳ ଏୟା ହେବ, ସରକାର ଉଭୟ ସହରର ଭାବାବେଗ ସହ ବେଶ୍‌ କିଛି ଦିନ ଖେଳିବେ, ଫାଇଦା ନେବେ; ଆଲୋଚନା, ଗବେଷଣା ଆଦି ମାଧ୍ୟମରେ ସମୟ ଗଡ଼େଇ ଚାଲିବେ ଏବଂ ଶେଷରେ ଉଭୟ ଜିଲ୍ଲାର ଜନତା ନିରାଶ ହେବା ହିଁ ସାରହେବ। କାରଣ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି ଘୋଷଣା କରିବାର କୌଣସି ପ୍ରବନ୍ଧ ସରକାରୀ ବିଧିବ୍ୟବସ୍ଥା ଭିତରେ ନାହିଁ।

ପୁରୀ ଶ୍ରୀମନ୍ଦରେ ଅବ୍ୟବସ୍ଥା, ରତ୍ନଭଣ୍ଡାର ଚାବି ପ୍ରସଙ୍ଗ, ଶ୍ରଦ୍ଧାଳୁଙ୍କୁ ମାଡ଼ ଓ ଦୁର୍ବ୍ୟବହାର, ରାଷ୍ଟ୍ରପତି ଦମ୍ପତିଙ୍କ ପ୍ରତି ଅନାଚାର, ନବକଳେବର ବିକାଶ ନାମରେ କୋଟି କୋଟି ଟଙ୍କା ଦୁର୍ନୀତି, ଦେବୋତ୍ତର ଜମି ହଡ଼ପ, ମନ୍ଦିରକୁ ନେଇ ରାଜନେତାଙ୍କ ରାଜନୀତି, ଘୃଣା ବକ୍ତବ୍ୟ, ବିଭିନ୍ନ ସ୍ଥାନରେ ଦଙ୍ଗା ଓ ଧର୍ମୀୟ ବିବାଦ ଭଳି ରାଜ୍ୟରେ ବହୁ ସମସ୍ୟା ଦୀର୍ଘବର୍ଷ ଧରି ଅସମାହିତ ହୋଇ ରହିଛି। ସରକାର ଏ ସବୁର ସମାଧାନର ସୂତ୍ର ନ ଖୋଜି ଜନସାଧାରଣଙ୍କ ଦୃଷ୍ଠି ଅନ୍ୟଦିଗକୁ ଠେଲିବାକୁ ଚେଷ୍ଠା କରୁନାହାନ୍ତି ତ?
ଏହା ସହ ନୟାଗଡ଼ ଓ ମୟୁରଭଞ୍ଜବାସୀଙ୍କୁ ମୋର ଅନୁରୋଧ, ସରକାରଙ୍କର ଏ ପ୍ରପଞ୍ଚରେ ଫସି ନ ଯାଇ ବାସ୍ତବିକତାକୁ ଉପଲବ୍ଧି କରନ୍ତୁ। ସରକାର ଚାହିଁଲେ କୌଣସି ବି ସ୍ଥାନକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଘୋଷଣା କରିପାରିବେ ନାହିଁ। ଆପଣଙ୍କ ଗୋଚରାର୍ଥେ, ପୁରୀକୁ ମଧ୍ୟ ସରକାର ଏଯାଏଁ ଶ୍ରୀକ୍ଷେତ୍ର ଘୋଷଣା କରିନାହାନ୍ତି। ବରଂ ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳର ମନ୍ଦିର କିଭଳି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପାଲଟିବ ସେ ଦିଗରେ ଚେଷ୍ଟା କରନ୍ତୁ। ଏଥିପାଇଁ କି ସହଯୋଗ ଲୋଡ଼ା, ସରକାରଙ୍କ ପାଖରେ ଦାବି ରଖନ୍ତୁ। କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ ଏ ମନ୍ଦିର ବୁଲିବାକୁ ଆସିବେ, ସେଥିଲାଗି ଯତ୍ନବାନ ହୁଅନ୍ତୁ। ଦେଖିବେ, କୌଣସି ଦାବିର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଆପେ ଆପେ ଆପଣଙ୍କ ସହରକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦେବେ।

Comments are closed.