Odisha Link
Bridging the Missing Links in Odisha

ଦିଲ୍ଲୀର ଏହି ପାଠାଗାରରେ ରହିଛି ଉର୍ଦ୍ଦୁ ଗୀତା, ପାର୍ସୀ ରାମାୟଣ

ନୂଆଦିଲ୍ଲୀ: ବିନା କୌଣସି ଆନୁଷ୍ଠାନିକ ସହଯୋଗରେ ସାମୁହିକ ଉଦ୍ୟମ ବଳରେ କିଭଳି ଏକ ସାଂସ୍କୃତିକ ସ୍ବପ୍ନ ସାକାର ହୁଏ, ତାହାର ଜ୍ବଳନ୍ତ ଉଦାହରଣ ପୁରୁଣା ଦିଲ୍ଲୀର ହଜରତ ଶାହ ଓ୍ବାଲିଉଲାଃ ସର୍ବସାଧାରଣ ପାଠାଗାର। ଏହି ପାଠାଗାରର ବିଶେଷତ୍ବ ହେଉଛି ଏଠାରେ ରହିଛି ଉର୍ଦ୍ଦୁ, ପାର୍ସୀ, ଆରବୀ, ଇଂରାଜୀ ଓ ହିନ୍ଦୀ ଭାଷାର ବହୁ ବିରଳ ଓ ଆଖିଝଲସା ବହି।

ହଜରତ ଶାହ ପାଠାଗାରକୁ ଆପଣ ଗଲେ ଉର୍ଦ୍ଦୁ ଭାଷାରେ ଅନୂଦିତ ଶ୍ରୀମଦ୍‌ ଭଗବତ ଗୀତା ପାଇବେ, ପୁଣି ପାଇବେ ପର୍ସିଆନ୍‌ ଭାଷାରେ ରଚିତ ରାମାୟଣ। ଏହି ପାଠାଗାରରେ ରହଛି ୬୦୦ ବର୍ଷ ପୁରୁଣା ଆରବିକ୍‌ ଭାଷାର ଏକ ତର୍କଶାସ୍ତ୍ର ପୁସ୍ତକ। ଏଠାରେ ରହିଛି ୧୮୮୫ରେ ମୁଦ୍ରିତ ମୋଗଲ ସମ୍ରାଟ କବି ବାହାଦୁର ଶାହ ଜାଫରଙ୍କ ସମଗ୍ର କୃତୀ।

ଦିଲ୍ଲୀ ଯୁବ କଲ୍ୟାଣ ସଂଘ (ଡିଓ୍ବାଇଡବ୍ଲୁଏ) ଦ୍ବାରା ପରିଚାଳିତ ଏ ପାଠାଗାରରେ ପାଞ୍ଚଟି ଭାଷାର ପ୍ରାୟ ୨୦ ହଜାରରୁ ଅଧିକ ବହି ରହିଛି। ଏସବୁ ମଧ୍ୟରେ ପ୍ରାୟ ୨୫୦୦ ବହି ବିରଳ ଓ ବିଭିନ୍ନ କଷ୍ଟକର ଉପାୟରେ ସଂଗୃହୀତ। ମିର୍ଜା ଘାଲିବ୍, ମହମ୍ମଦ ଇବ୍ରାହିମ୍‌ ଜାକ୍, ମୋମିନ୍‌ ଖାନ୍‌ ମୋମିନଙ୍କ ଭଳି ମୁଗଲ କବିଙ୍କ ପୁସ୍ତକ ଠାରୁ ଆରମ୍ଭ କରି ମଧ୍ୟଯୁଗୀୟ ସୁଫି ସୃଜନ ପର୍ଯ୍ୟନ୍ତ ବିଭିନ୍ନ ବିରଳ ବହିର ଏକ ଗନ୍ତାଘର ହଜରତ ଶାହ ଓ୍ବାଲିଉଲାଃ ସର୍ବସାଧାରଣ ପାଠାଗାର।

ପୁରୁଣା ଦିଲ୍ଲୀର ପାହାଡି ଇମଲି ଲେନରେ ଅବସ୍ଥାପିତ ଏ ଛୋଟ ପାଠାଗାରଟି ଅଷ୍ଟାଦଶ ଶତାବ୍ଦୀ ଇସଲାମିକ୍‌ ପଣ୍ଡିତ ହଜରତ ଶାହ ଓ୍ବାଲିଉଲାଃଙ୍କ ନାମରେ ନାମିତ ହୋଇଛି, ଯିଏ ପ୍ରଥମେ କୋରାନକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରିଥିଲେ। ପାଠାଗାରଟି ୧୯୮୭ରେ ମହମ୍ମଦ ନଇମଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଯିଏକି ପରେ ୧୯୯୦ରେ ୧୦ ଜଣ ଯୁବ ବନ୍ଧୁଙ୍କୁ ନେଇ ଡିଓ୍ବାଇଡବ୍ଲୁଏ ଆରମ୍ଭ କଲେ। ନିଜ ଉଦ୍ୟମରେ ୧୧ ଜଣ ଯାକ ଯୁବକ ବହି ସଂଗ୍ରହରେ ମାତିଗଲେ। କୌଣସି ସରକାରୀ ସାହାଯ୍ୟ ବିନା ଗଢ଼ି ଉଠିଥିବା ଏ ପାଠାଗାର ଏବେ ପାଲଟିଛି ଗବେଷକ ଓ ଆଗ୍ରହୀ ପାଠକଙ୍କ ନିୟମିତ ଖଟି। ବିଶେଷ କରି ସଂଧ୍ୟା ସମୟରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବହି ସଂଖ୍ୟା ବଢ଼ୁଥିବା ବେଳେ ପାଠକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ତେବେ ଏହି ଏକ କୋଠରୀ ବିଶିଷ୍ଟ ପାଠାଗାରଟିକୁ ଅନ୍ୟତ୍ର ଏକ ବଡ଼ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆଗ୍ରହ ଥିଲେ ବି ଅର୍ଥ ବାଧକ ସାଜିଛି।

ଡିଓ୍ବାଇଡବ୍ଲୁଏର ସଭ୍ୟ ସଂଖ୍ୟା ବଢ଼ିଥିବା ବେଳେ ସେଇମାନଙ୍କ ବ୍ୟକ୍ତିଗତ ଦାନରେ ଏଯାବତ ପାଠାଗାର ଆଗେଇ ଚାଲିଛି।

Comments are closed.