Odisha Link
Bridging the Missing Links in Odisha

ହୀରକୁଦରେ ହୀରା ଖଣି

ଭୁବନେଶ୍ବର: ହୁଏତ ଏ ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର ତଳେ ଯେ ହୀରାଖଣିଟିଏ ଥାଇପାରେ ବା ଥିଲା, ଏ ଭଳି ପ୍ରସଙ୍ଗକୁ ସହଜରେ କେହି ଗ୍ରହଣ କରି ନ ପାରନ୍ତି। କିନ୍ତୁ କଥାଟା ସତ। ହୀରାକୁଦର ନାମ ବି ଏମିତି କିଛି ସୂଚନା ଦେଉଛି। ପ୍ରାଚୀନ ରୋମୀୟ ସଭ୍ୟତାରେ ଦିନେ ହୀରାକୁଦ ହୀରାର ପ୍ରବଳ ଚାହିଦା ଥିଲା।

୧୮୬୦ରେ ଦକ୍ଷିଣ ଆଫ୍ରିକାରେ ହୀରା ଖଣିର ଆବିଷ୍କାର ପୂର୍ବରୁ ଶହ ଶହ ବର୍ଷ ଧରି ଭାରତ ହିଁ ବିଶ୍ବର ଏକମାତ୍ର ହୀରା ଉତ୍ସ ରହିଆସିଛି। ଆନ୍ଧ୍ର ପ୍ରଦେଶର ଗୋଲକୋଣ୍ଡା ଖଣି ଓ ମଧ୍ୟପ୍ରଦେଶର ପାନ୍ନା ଖଣି ହୀରା ପାଇଁ ବେଶ୍‌ ପ୍ରସିଦ୍ଧ ଥିବା ବେଳେ ଓଡ଼ିଶାର ହୀରାଖଣି ବାବଦରେ ଖୁବ କମ ତଥ୍ୟ ମିଳେ। କିନ୍ତୁ, ବିଶ୍ବାସ କରନ୍ତୁ ବା ନ କରନ୍ତୁ, ପ୍ରାଚୀନ ସମୟରେ ଓଡ଼ିଶା ବିଶ୍ବର ହୀରା ଆବଶ୍ୟକତା ପୂରଣରେ ବେଶ୍‌ ଆଗରେ ଥିଲା।

ବର୍ତ୍ତମାନ ଓଡ଼ିଶାର ପଶ୍ଚିମ ଭାଗକୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର (ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀ) ଓ ବରାହ ମିହିରଙ୍କ ବ୍ରହ୍ମସଂହିତା(ଷଷ୍ଠ ଶତାବ୍ଦୀ)ରେ ହୀରାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ବୋଲି ବର୍ଣ୍ଣନା କରାଯାଇଛି। ପ୍ରାଚୀନ ରୋମାନ୍‌ ନଥିରେ ବି ଓଡ଼ିଶା ହୀରାର ବର୍ଣ୍ଣନା ରହିଛି। ରୋମାନ୍‌ ପଣ୍ଡିତ କ୍ଲାଉଡିଅସ୍‌ ଟୋଲେମି (ପ୍ରଥମ ଶତାବ୍ଦୀ) ତାଙ୍କ ପୁସ୍ତକ ଜିଓଗ୍ରାଫିଆରେ ମନଦ ନଦୀ କୂଳର ସମ୍ବଲକ ସହର କଥା ଉଲ୍ଲେଖ କରିଛନ୍ତି ଓ ସେଠାରେ ହୀରା ମିଳେ ବୋଲି ବର୍ଣ୍ଣନା କରିଛନ୍ତି। ଗବେଷକମାନେ ମନଦକୁ ମହାନଦୀ ଓ ସମ୍ବଲକକୁ ଆଧୁନିକ ସମ୍ବଲପୁର ବୋଲି ବ୍ୟୁତ୍ପତି କରୁଛନ୍ତି। ଅନୁରୂପ ଭାବେ ଅଷ୍ଟାଦଶ ଶତାବ୍ଦୀ ବ୍ରିଟିଶ୍‌ ଇତିହାସକାର ଏଡଓ୍ବାର୍ଡ ଗିବନ୍‌ ହିଷ୍ଟୋରୀ ଅଫ୍‌ ଦି ଡିକ୍ଲାଇନ୍‌ ଆଣ୍ଡ ଫଲ ଅଫ୍‌ ଦି ରୋମାନ୍‌ ଏମ୍ପାୟାର ପୁସ୍ତକରେ ବେଙ୍ଗଲ(?)ର ସମେଲପୁରରୁ ରୋମକୁ ହୀରା ଯାଉଥିବା କଥା ଉଲ୍ଲେଖ କରିଛନ୍ତି।

ଟୋଲେମିଙ୍କ ସମ୍ବଲକ ଓ ଗିବନଙ୍କ ସମେଲପୁର ଓଡ଼ିଶାର ସମ୍ବଲପୁର ଭିନ୍ନ ଅନ୍ୟ କୌଣସି ସ୍ଥାନ ନୁହେଁ। କାରଣ ଏହିଭଳି ସାମଞ୍ଜସ୍ୟ ଥିବା ଅନ୍ୟ କୌଣସି ଜାଗା ଓଡ଼ିଶା, ବେଙ୍ଗଲ ବା ସମଗ୍ର ଭାରତରେ ନାହିଁ। ସମ୍ବଲପୁରରେ ମିଳୁଥିବା ହୀରା କୌଣସି ଗଭୀର ଖଣିରୁ ମିଳୁନଥିଲା ବରଂ ମହାନଦୀ ଅବବାହିକାରେ ଜମାହୋଇ ରହୁଥିବା ପଟୁ ଓ ମାଟିକୁଦରୁ ମିଳୁଥିଲା। ହୀରା ସମେତ ଅନ୍ୟାନ୍ୟ ଦାମୀ ରତ୍ନ ଜମା ହୋଇ ଯେଉଁ କୁଦ ସୃଷ୍ଟି ହୋଇଥିଲା ଓ ଯେଉଁଠୁ ଏହା ସଂଗ୍ରହ କରାଯାଉଥିଲା ସମ୍ଭବତଃ ସ୍ଥାନୀୟ ଲୋକେ କାଳକ୍ରମେ ତାହାକୁ ହୀରାକୁଦ କହିବା ଆରମ୍ଭ କଲେ।

୧୧-୧୨ଶ ଶତାବ୍ଦୀରେ ଯେତେବେଳେ ଗୋଲକୋଣ୍ଡାରେ ହୀରାଖଣି ମିଲିଲା, ଏହା ବେଶ୍‌ ଉଚ୍ଚମାନର ଥିଲା। ଗୋଲକୋଣ୍ଡା ହୀରାର ଚାହିଦା ବଢ଼ିବା ପରେ ସମ୍ବଲପୁରର ଏ ହୀରାକୁଦ ହୀରା ବିଶ୍ବବଜାରରେ କ୍ରମଶଃ ନିଜର ଔଜଲ୍ୟ ହରାଇଲା। ୧୫ଶ ଶତାବ୍ଦୀରେ ଚୌହାନ ବଂଶ ଏ ଅଞ୍ଚଳକୁ ଶାସନ କଲେ। ପରେ ଏହା ସମ୍ବଲପୁର, ସୋନପୁର, ବଲାଙ୍ଗୀର ଆଦି ସ୍ବାଧୀନ ଗଡ଼ଜାତ ରାଜ୍ୟରେ ବିଭାଜିତ ହୋଇଗଲା। ଏ ସମୟରେ ଓଡ଼ିଶାରେ ହୀରା ମିଳିବା ନେଇ ପ୍ରାୟ କୌଣସି ପ୍ରମାଣ ରହିଲା ନାହିଁ।

୧୭୫୭ ପଲାସୀ ଯୁଦ୍ଧ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀର ରବର୍ଟ କ୍ଲାଇବ୍‌ ବାସ୍ତବରେ ବେଙ୍ଗଲର ଶାସକ ବୋଲାଇଲେ। ୧୭୬୬ରେ ସମ୍ବଲପୁର ରାଜା ଅଭୟ ସିଂହ କ୍ଲାଇବଙ୍କ ପାଖକୁ ଏକ ୧୬-କାରାଟ୍‌ ହୀରା ଉପହାର ଆକାରରେ ପଠାଇଲେ। କ୍ଲାଇବ୍‌ ସମ୍ବଲପୁରର ହୀରା ବାବଦରେ ଜାଣିବା ପରେ ସେଠାରୁ ହୀରା ଆଣି ୟୁରୋପରେ ବ୍ୟବସାୟ କରିବାର ସ୍ବପ୍ନ ଦେଖିଲେ। ସେ କାଲକାଟାର ତତକାଳୀନ ଆରକ୍ଷୀ ଅଧୀକ୍ଷକ ଥୋମାସ୍‌ ମଟ୍ଟଙ୍କୁ ଭେଟି ଏ ବାବଦରେ ଜଣାଇବା ସହ ତାଙ୍କୁ ସମ୍ବଲପୁର ପଠାଇଲେ। ମଟ୍ଟ ତାଙ୍କ ଆଲେଖ A narrative of a journey to the diamond mines of Sumbhulpoor in the Province of Orissaରେ ହୀରାକୁଦ ବାବଦରେ ଉଲ୍ଲେଖ କରିଛନ୍ତି। ପଶ୍ଚିମ ଓଡ଼ିଶାର ଘଞ୍ଚ ଜଙ୍ଗଲରେ ବୁଲୁ ବୁଲୁ ମଟ୍ଟ ରାଜା ଅଭୟ ସିଂହଙ୍କର ଜଣେ ଅଧିକାରୀଙ୍କୁ ଭେଟିଲେ ଯିଏ ହୀରା ବ୍ୟବସାୟ ଦେଖାରଖା କରୁଥିଲେ।

ଥୋମାସ୍‌ ମଟ୍ଟ ଲେଖିଛନ୍ତି,

ତାର କାମ ଥିଲା ଇବ୍‌ (ମହାନଦୀର ଉପନଦୀ) ନଦୀରେ ହୀରା ଖୋଜିବା। ଏଠାରେ ବର୍ଷା ପରେ ପାହାଡ଼ରୁ ଧୋଇ ହୋଇ ଆସୁଥିବା ମାଟିରେ ହୀରା ମିଳିଥାଏ। ସେ ମୋତେ ବିଭିନ୍ନ ଆକାରର ନାଲିମାଟି ଖଣ୍ଡ ଦେଖାଇଲା ଯାହା ଧୋଇଦେଲା ପରେ ତା ଭିତରୁ ହୀରା ଖଣ୍ଡ ବାହାରିଥାଏ।

ତେବେ କୌଣସି ଅଜଣା କାରଣରୁ କ୍ଲାଇବଙ୍କର ଯୋଜନା ଫସର ଫାଟିଗଲା। ପରବର୍ତ୍ତୀ ସମୟରେ ୧୮୪୦ରେ ଏସିଆଟିକ୍‌ ସୋସାିଟିସ୍‌ ଜର୍ଣ୍ଣାଲରେ ପ୍ରକାଶିତ ମେଜର ଅଓ୍ବେସେଲିଙ୍କର Process of Washing Gold Dust and Diamonds at Hira Khoond ନିବନ୍ଧରେ ହୀରାକୁଦ ହୀରା ବାବଦରେ ବର୍ଣ୍ଣନା ମିଳେ। ଏ ଆଲେଖଟି ପରେ ୧୮୮୧ରେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରକାଶିତ ହେଲା। ଏହି ଆଲେଖରେ ବ୍ରିଟିଶ୍‌ ଅଧିକାରୀ ଜଣକ ହୀରାକୁଦର ବିସ୍ତୃତ ବିବରଣୀ ସହ ସେଠାରେ କିଭଳି ହୀରା ସଂଗ୍ରହ କରାଯାଏ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ବର୍ଣ୍ଣନା ଅନୁସାରେ ସମ୍ବଲପୁର ସହର ପାଖରେ ମହାନଦୀ ମଝିରେ ୪ ମାଇଲ ବ୍ୟାପୀ ହୀରାକୁଦ ଟାପୁ ରହିଥିଲା ଯାହା ନଦୀକୁ ଦୁଇଭାଗରେ ବିଭକ୍ତ କରୁଥିଲା। ଏହିଠାରେ ନଦୀ ଦୁଇଭାଗ ହେଉଥିବାରୁ ଆସୁଥିବା ପଥରଖଣ୍ଡ ସବୁ ହୀରାକୁଦରେ ଜମା ହେଉଥିଲା ଓ ସେଥିରୁ ହୀରା ସଂଗ୍ରହ କରାଯାଉଥିଲା।

ହୀରାକୁଦର ଉଭୟ ପାର୍ଶ୍ବରେ ଝରା ସଂପ୍ରଦାୟର ୩୨ଟି ଗାଁ ଥିଲା, ଯେଉଁମାନେ ହୀରାସଂଗ୍ରହକୁ କୌଳିକ ବୃତ୍ତି ଧରି ନେଇଥିଲେ। ପ୍ରତି ବର୍ଷ ମାର୍ଚ୍ଚ ମାସ ପରେ ନଦୀରେ ଯେତେବେଳେ ଜଳସ୍ଥର ଖସିଯାଏ, ଝରା ସଂପ୍ରଦାୟର ପ୍ରାୟ ୫୦୦୦ ଲୋକ ମହାନଦୀର ଉତ୍ତର ଧାରକୁ ବନ୍ଧ ଦେଇ ଦକ୍ଷିଣ ପଟେ ପାଣି ଛାଡ଼ନ୍ତି। ତା ପରେ ପଙ୍କିଳ ନଦୀଶଯ୍ୟାରେ ସେମାନେ ହୀରା ଓ ସୁନା ସନ୍ଧାନ କରନ୍ତି। ହୀରା ମିଳିଲେ ରାଜାଙ୍କୁ ଅର୍ପଣ କରନ୍ତି। ସୁନା ମିଳିଲେ ତାହା ନିଜେ ରଖନ୍ତି ଓ ଗୋଟିଏ ତୋଳା ସୁନା ୧୦-୧୨ ଟଙ୍କାରେ ବିକ୍ରି କରନ୍ତି।

୧୮୫୦ରେ ସମ୍ବଲପୁର ଗଡ଼ଜାତ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନକୁ ଗଲା। ଏହା ପରେ କ୍ରବଶଃ ସମ୍ବଲପୁରରେ ହୀରା ବ୍ୟବସାୟରେ ଭଟ୍ଟା ପଡ଼ିଲା। ଠୋସ୍‌ ପ୍ରମାଣ ନଥିଲେ ବି ୧୮୬୦ରେ ଦକ୍ଷିଣ ଆଫ୍ରିକାରେ ହୀରା ଖଣିର ସନ୍ଧାନ ପରେ ଏଭଳି ହେଲା ବୋଲି ଅନୁମାନ କରାଯାଉଛି।

ପରେ ହୀରାକୁଦରେ ଜଳସେଚନ, କୃଷି ଓ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ନଦୀବନ୍ଧ ନିର୍ମାଣ ଲାଗି ୧୯୪୫ ମସିହାରେ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେଲା। ୧୯୪୬ ମାର୍ଚ୍ଚ ୧୫ରେ ତତକାଳୀନ ଓଡ଼ିଶା ରାଜ୍ୟପାଳ ହଥର୍ଣ ଲେଓ୍ବିସ୍‌ ହୀରାକୁଦ ନଦୀବନ୍ଧର ଭିତ୍ତିପ୍ରସ୍ଥର ସ୍ଥାପନ କଲେ। ୧୯୫୩ ମସିହାରେ ନଦୀବନ୍ଧ କାର୍ଯ୍ୟ ସମାପ୍ତ ହେଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ୧୯୫୭ ଜାନୁଆରୀ ୧୩ ତାରିଖରେ ହୀରାକୁଦ ବନ୍ଧର ଉଦଘାଟନ କଲେ।

ହୀରାକୁଦର ହୀରା ଏହି ବନ୍ଧ ସହ ନିଜର ସତ୍ତା ହରାଇଲା। ଏବେ ବି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହାନଦୀ ଓ ଏହାର ଅନ୍ୟ ଶାଖା ତଥା ଉପନଦୀ ଗୁଡ଼ିକରେ ସ୍ଥାନୀୟ ଲୋକେ ସୁନା, ହୀରା ଓ ଅନ୍ୟାନ୍ୟ ରତ୍ନ ସନ୍ଧାନରେ ମାତିଥିବାର ଦେଖିବାକୁ ମିଳେ।

source: www.livehistoryindia.com

Comments are closed.