Odisha Link
Bridging the Missing Links in Odisha

କେନ୍ଦ୍ର ସରକାରଙ୍କ ରାମାୟଣ ସର୍କିଟରେ ଓଡ଼ିଶାର ମହେନ୍ଦ୍ରଗିରି

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ସ୍ବଦେଶ ଦର୍ଶନ ଯୋଜନା ମାଧ୍ୟମରେ ରାମାୟଣ ସର୍କିଟ୍‌ ଭାବେ ଦେଶର ୧୫ଟି ଐତିହ୍ୟ ସ୍ଥଳକୁ ଚିହ୍ନଟ କରିଛନ୍ତି କେନ୍ଦ୍ର ସରକାର। ଏସବୁ ସ୍ଥାନର ପର୍ଯ୍ୟଟନ ବିକାଶ କରିବେ କେନ୍ଦ୍ର ସରକାର। ଏହି ୧୫ ସ୍ଥାନ ମଧ୍ୟରେ ଓଡ଼ିଶାର ମହେନ୍ଦ୍ରଗିରି ମଧ୍ୟ ରହିଛି।

ଗତକାଲି ରାଜ୍ୟସଭାରେ ପ୍ରଶ୍ନୋତ୍ତର କାଳରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ।

ମହେନ୍ଦ୍ରଗିରି ହେଉଛି ଓଡ଼ିଶାର ସବୁଠାରୁ ଉଚ୍ଚତମ ପର୍ବତ। ଏହାକୁ ଓଡ଼ିଶାର ହିମାଳୟ ମଧ୍ୟ କୁହାଯାଏ। ରାମାୟଣରେ ବର୍ଣ୍ଣିତ ମହେନ୍ଦ୍ର ପର୍ବତ ବର୍ତ୍ତମାନର ମହେନ୍ଦ୍ରଗିରି ବୋଲି ବିଶ୍ବାସ ରହିଛି। ଏହିଠାରେ ପର୍ଶୁରାମ ଅବସ୍ଥାନ କରୁଥିଲେ ଓ ତପସ୍ୟା କରୁଥିବାର କିମ୍ବଦନ୍ତି ରହିଛି।

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ଅବସ୍ଥିତ ଏହି ପର୍ବତ ସମୁଦ୍ର ପତ୍ତନଠାରୁ ୪୯୯୭ଫୁଟ ଉର୍ଦ୍ଧରେ ରହିଛି। ଭୌଗଳିକ ଦୃଷ୍ଟିକୋଣରୁ, ମହାନଦୀ ଠାରୁ ଗୋଦାବରୀ ମଧ୍ୟବର୍ତ୍ତୀ ପାର୍ବତୀୟ ଅଞ୍ଚଳ “ମହେନ୍ଦ୍ର ଅଞ୍ଚଳ” ଭାବରେ ଖ୍ୟାତ।

ମହେନ୍ଦ୍ରଗିରି ଉପରକୁ ଯିବାକୁ ହେଲେ ୮ରୁ ୧୦କିମି ରାସ୍ତା ପାଦରେ ଅତିକ୍ରମ କରିବାକୁ ପଡିଥାଏ। ଏହି ପର୍ବତରେ ଗୋକର୍ଣ୍ଣେଶ୍ୱର, କୁନ୍ତୀ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କର ପ୍ରାଚୀନ ମନ୍ଦିର ରହିଛି। ପୁରାଣରେ ବର୍ଣ୍ଣିତ ଅଛି ଯେ, ପଞ୍ଚୁପାଣ୍ଡବ ମାତା କୁନ୍ତୀଙ୍କ ସହ ଏହି ପର୍ବତରେ କିଛିଦିନ ପାଇଁ ଅବସ୍ଥାନ କରିଥିଲେ। ପୂଜାପାଠ କରିବା ପାଇଁ ଭୀମ ଏଠାରେ ଥିବା ପଥରର ମନ୍ଦିର ଗୁଡିକ ନିର୍ମାଣ କରିଥିଲେ। ଏଠାରେ ଦତ୍ତାତ୍ରେୟ ଓ ଗୋରେଖନାଥ ପୀଠ ମଧ୍ୟ ଅବସ୍ଥିତ। ଏବେ ମଧ୍ୟ ମହେନ୍ଦ୍ରଗିରିଠାରେ ହନୁମାନ ଓ ପର୍ଶୁରାମ ଆବିର୍ଭାବ ହେଉଥିବାର ଲୋକବିଶ୍ୱାସ ରହିଛି। ଏଠାରେ ପୁରାଣ ବର୍ଣ୍ଣିତ ସତ୍ୟାମ୍ବ ବୃକ୍ଷ ଓ ଅନ୍ୟାନ୍ୟ ବହୁ ଔଷଧୀୟ ବୃକ୍ଷ ରହିଛି। ଏଠାରୁ ମହେନ୍ଦ୍ରତନୟା ଓ ଏହାର ଦୁଇଟି ଶାଖା ନଦୀ ଘୋଡାହାଡ଼ ଓ ବାହୁଦା ଆଦି ଚିରସ୍ରୋତା ନଦୀର ଉତ୍ପନ୍ନ ହୋଇଛି। ମହେନ୍ଦ୍ରଗିରି ଠାରୁ ଅନତୀ ଦୂରରେ ତପ୍ତପାଣି ଉଷ୍ମପ୍ରସବଣ ଅଛି।

ମହେନ୍ଦ୍ରଗିରିକୁ ଶୈବପୀଠର ମାନ୍ୟତା ଦେବାପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମହେନ୍ଦ୍ରଗିରି ପର୍ବତ ବର୍ତ୍ତମାନ ଅବକ୍ଷୟମୁଖୀ ଅବସ୍ଥାରେ ଅଛି। ଏକଦା ଏହି ପର୍ବତ ବହୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳି ଭାବରେ ପରିଚିତ ଥିଲା। କିନ୍ତୁ ଚୋରାକାଠ ଚାଲାଣ ଓ ପୋଡୁଚାଷ ଯୋଗୁଁ ଜଙ୍ଗଲ ଅବକ୍ଷୟ ଘଟୁଛି ଓ ବନ୍ୟଜନ୍ତୁଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ପୋଡୁଚାଷ ଯୋଗୁଁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ନଷ୍ଟ ହୋଇଗଲାଣି। ପ୍ରାଚୀନ ଭୀମମନ୍ଦିର ବଜ୍ରାପାତ ଯୋଗୁଁ ଫାଟି ନଷ୍ଟ ହୋଇଯାଇଛି। ଫାଇଲିନ ଓ ହୁଡ଼ହୁଡ଼ ସମୟରେ ପ୍ରବଳ ବର୍ଷା ଓ ମହେନ୍ଦ୍ରତନୟା ନଦୀରେ ବନ୍ୟା ଯୋଗୁଁ କୁନ୍ତୀ ମନ୍ଦିର ସୁରକ୍ଷା ପ୍ରାଚୀର ଫାଟି ନଷ୍ଟ ହୋଇଯାଇଛି। ବ୍ଲାଷ୍ଟିଂ କରାଯାଇ, ପାହାଡରୁ ଗ୍ରାନାଇଟ ପଥର ମଧ୍ୟ ଚୋରାଚାଳାଣ କରାଯାଉଥିବାର ଅଭିଯୋଗହୁଏ।

Comments are closed.