Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ହୋଇ ଉଠିଛି ଚଳଚଞ୍ଚଳ। ବିଶେଷକରି ପୁରୀ ଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ରଥଯାତ୍ରାରେ ଏକାଧିକ ଭିଡ ରହିବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟତଃ ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ଓ ରଥ ଟାଣିବା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି।
ରାଜଧାନୀର ପ୍ରମୁଖ ଇସ୍କନ ମନ୍ଦିରରେ ରଥଟଣା କାର୍ଯ୍ୟକ୍ରମ ଥିବାବେଳେ କଟକରେ ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକରେ ମହାପ୍ରଭୁଙ୍କ ରଥଟଣା ହେବ। ଏହାସହ ବିଭିନ୍ନ ଗଳି କନ୍ଦିରେ ଛୋଟ ରଥଟଣା ହେବ। ଏହାକୁ ନଜରରେ ରଖି ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ରହିବା ସହ ୫୦ ଅଫିସର ଓ କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଅଫିସର ନିୟୋଜିତ ହେବେ। ରଥଯାତ୍ରାରେ ଟ୍ରାଫିକ ସମସ୍ୟା ନ ଉପୁଜିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ମାଉସୀ ମା’ ମନ୍ଦିର ଯାଉଥିବା ରାସ୍ତାକୁ ପୋଲିସ ସିଲ୍‌ କରିବା ସହ ଏହାକୁ ଲାଗିଥିବା ପେରୀଫେରୀ ରାସ୍ତାକୁ ମଧ୍ୟ ସିଲ୍‌ କରାଯିବ। ଇସ୍କନ ରଥ ଏନ୍‌ଏଚ୍‌-୧୬ରେ ସିଆର୍‌ପି ଦେଇ ୮ ନମ୍ବର ମାଉସୀ ମା’ ମନ୍ଦିରକୁ ଯିବ। ଏହି ଏନ୍‌ଏଚ୍‌ରେ ରଥ ଯିବା ସମୟରେ ଯେଭଳି କିଛି ସମସ୍ୟା ନ ହୁଏ ସେଥିଲାଗି ଟ୍ରାଫିକ ପୋଲିସ ମୁତୟନ ରହିବେ।
ସେହିଭଳି କଟକ-ପୁରୀ ବାଇପାସ ଉପରେ କମିଶନରେଟ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ କଳ୍ପନା-ପୁରୀ ରାସ୍ତାରେ ଟ୍ରାଫିକ ସମସ୍ୟା ରହୁଥିବାରୁ ଯାତ୍ରୀମାନେ ପୁରୀ ବାଇପାସ ରାସ୍ତାଦେଇ ପୁରୀ ଯିବେ। ଏପରି କି ବିଳମ୍ବିତ ରାତିରେ ଯାତ୍ରୀମାନେ ସେହି ରାସ୍ତା ଦେଇ ଫେରିବେ। ତେଣୁ ଏହି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକାଧିକ ଟ୍ରାଫିକ ପୋଲିସ ନିୟୋଜିତ ହେବେ। ସବୁଠୁ ବଡ କଥା ହେଲା ବିଳମ୍ବିତ ରାତି ତଥା ରାତି ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ଉକ୍ତ ରୋଡରେ ରହିବେ। ସେହିଭଳି ପୁରୀ-କଳ୍ପନା ଏନ୍‌ଏଚ୍‌ରେ ମଧ୍ୟ ଟ୍ରାଫିକ ପୋଲିସ ରଖାଯିବ। ବିଶେଷକରି ରବି ଟକିଜ, କଳ୍ପନା, ରସୁଲଗଡ ଛକଗୁଡିକରେ ଟ୍ରାଫିକ ପୋଲିସ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ମହିଳାମାନେ ରଥଟାଣିବା ଓ ଭିଡ଼ ସମୟରେ ଲୁଟପାଟ ହେବାର ଆଶଙ୍କା ରହିଛି । ତେଣୁ କିଭଳି ଏହି ଲୁଟେରାମାନଙ୍କୁ ସାବାଡ କରିହେବ ସେଥିଲାଗି ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିପି ଅଫିସରେ ଡିସିପିଙ୍କୁ ନେଇ ଏକ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Comments are closed.