Odisha Link
Bridging the Missing Links in Odisha

ସରକାରୀ ସାହିତ୍ୟ ସଭା: ଉପରେ ୪ ତଳେ ୧୪

ଭୁବନେଶ୍ବର: ୨୦୧୭ ଡିସେମ୍ବର ମାସରେ ସରକାର ଭାଷା, ସାହିତ୍ୟ, ସଂସ୍କୃତି ନାମରେ ଏକ ନୂଆ ବିଭାଗ ସ୍ଥାପନ କଲେ ହେଁ ବିଭାଗୀୟ ମନ୍ତ୍ରୀ ଅଧିକାରୀଙ୍କର ଭାଷା-ସାହିତ୍ୟ ପ୍ରତି କାଣିଚାଏ ଶ୍ରଦ୍ଧା ଥିବା ଭଳି ମନେ ହୁଏନାହିଁ। କାମଚଳା ସଭାସମିତି ନାମରେ ବିଲ୍‌ କରି ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ ଦେଖାିବା ପାଇଁ ବିଭାଗ ଯେଉଁ ବ୍ୟଗ୍ରତା ଦେଖାଉଛି, ଅସଲରେ ସାହିତ୍ୟ ସଂସ୍କୃତି ପ୍ରତି ତାହାର କାଣିଚାଏ ଆଗ୍ରହ ନାହିଁ।

ସାହିତ୍ୟସଂସ୍କୃତି ପ୍ରତି ସରକାରୀ ଅବହେଳାର ରାଶି ରାଶି ଉଦାହରଣ ଥିବା ବେଳେ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସାହିତ୍ୟ ଏକାଡେମୀର ଏକ କାର୍ଯ୍ୟକ୍ରମରେ। ଗତ ଜୁନ୍ ୧୨ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ପ୍ରଗତିବାଦୀ ସାହିତ୍ୟର ଅନ୍ୟତମ ଅଗ୍ରଣୀ ସାର‌ଥି କବି ଅନନ୍ତ ପଟ୍ଟନାୟକଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଆୟୋଜିତ ଏ ସଭାରେ କବି ପ୍ରସନ୍ନ ମହାନ୍ତି ଓ କବି ଅଶ୍ବିନୀ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏକାଡେମୀର ସଭାପତି କବି ହରିହର ମିଶ୍ର ଓ ସଚିବ କଥାଶିଳ୍ପୀ ଜୟନ୍ତୀ ରଥ ମଧ୍ୟ ଉପସ୍ଥିତ ଥିଲେ।

ତେବେ ପରିତାପର ବିଷୟ, ସ୍ବର୍ଗତ ପଟ୍ଟନାୟକଙ୍କ ଭଳି ଜଣେ ପ୍ରାତଃସ୍ମରଣୀୟ କବିଙ୍କ ସରକାରୀ ଜୟନ୍ତୀ ଉତ୍ସବରେ ୧୨ ଜଣ ଶ୍ରୋତା, ସେମାନଙ୍କ ସହ ଆସିଥିବା ସମ୍ପର୍କୀୟଙ୍କୁ ମିଶାଇ ମୋଟ ୧୪ ଜଣ ଶ୍ରୋତା ଉପସ୍ଥିତ ଥିଲେ। ଶ୍ରୋତାମାନଙ୍କର ଗାଡ଼ିଚାଳକ ଓ ଏକାଡେମୀ କର୍ମକର୍ତ୍ତାଙ୍କୁ ମିଶାଇ ସଭାଗୃହରେ ସମୁଦାୟ ୨୨ ଜଣଙ୍କର ଉପସ୍ଥିତି ଦେଖିବାକୁ ମିଳିଥିଲା।

ଘରୋଇ ଉଦ୍ୟମରେ ହେଉଥିବା ସାହିତ୍ୟସଭାଗୁଡ଼ିକ ବେଶ୍‌ ମନୋହର (ଏନଗେଜିଂ) ହେଉଥିବା ବେଳେ ସରକାରୀ ସାହିତ୍ୟ ସଭା ଏତେ ନିରସ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ଘରୋଇ ଉଦ୍ୟମରେ ହେଉଥିବା ସାହିତ୍ୟ-ସଂସ୍କୃ୍ତି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଦର୍ଶକ-ଶ୍ରୋତାଙ୍କର ସମାଗମ ହେଉଥିବା ବେଳେ ସରକାରୀ ସଭାକୁ ଲୋକେ କାହିଁକି ମୁହଁ ମୋଡ଼ୁଛନ୍ତି, ଏ ନେଇ କର୍ତୃପକ୍ଷ ଆତ୍ମସମୀକ୍ଷା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଆମ ଅନୁସନ୍ଧାନରୁ ଜଣାଯାଏ, ଏଭଳି ସଭା ଆଦିରେ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଥ୍ୟା ବିଲ୍‌ କରି ବହୁ ଅର୍ଥ ବ୍ୟୟର ହିସାବ ଦେଖାଉଥିଲେ ହେଁ ବେଶ୍‌ ଅନାଗ୍ରହ ସହ ଏଭଳି ସଭା ଆୟୋଜନ କରିଥାଆନ୍ତି। ରାଜ୍ୟର ଅନ୍ୟପ୍ରାନ୍ତରୁ ସାହିତ୍ୟିକଙ୍କୁ ଡାକିବା ଦୂରର କଥା, ସଭା ହେଉଥିବା ସହର ବା ଅଞ୍ଚଳର ସାହିତ୍ୟ-ସଂସ୍କୃତିପ୍ରେମୀ ବି ଏଭଳି ସଭା ବାବଦରେ ଅବଗତ ନଥାନ୍ତି।

ଅତୀତରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁସ୍ତକମେଳା ଆୟୋଜନ ନାମରେ ବିଭାଗୀୟ ଅଧିକାରୀଙ୍କ ପକେଟ୍‌ ଗରମ କରିବାକୁ ଅନୁରୂପ ଭାବେ ଜନଶୂନ୍ୟ ଉତ୍ସବର ପରିକଳ୍ପନା କରି ବେଶ୍‌ ନିନ୍ଦିତ ହୋଇଥିଲେ। ନ୍ୟସ୍ତସ୍ବାର୍ଥ ଅଧିକାରୀଙ୍କୁ ବିଭାଗରୁ ହଟାଇ ଯୋଗ୍ୟ ଓ ସାହିତ୍ୟ-ସଂସ୍କୃତି ପ୍ରତି ଆଗ୍ରହ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଉ ବୋଲି ସାହିତ୍ୟ-ସଂସ୍କୃତି ମହଲରେ ଦାବି ହେଉଛି।

ଫଟୋ ସୌଜନ୍ୟ: ବିଶ୍ବରଂଜନ ମିଶ୍ର (ଟିକନ)

Comments are closed.