Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ପ୍ରଥମ ସେମିରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର୍

ମାଞ୍ଚେଷ୍ଟର୍‌: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ହେଉଛି ପ୍ରଥମ ସେମିଫାଇନାଲ। ଫାଇନାଲ ଟିକେଟ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ। ଆଜି ମାଞ୍ଚେଷ୍ଟରରେ ମେନ୍‌ ଇନ୍‌ ବ୍ଲୁ ଏବଂ ମେନ୍‌ ଇନ୍‌ ବ୍ଲାକ୍‌ ମଧ୍ୟରେ ଦେଖିବାକୁ ମିଳିବ କଡ୍ଡା ଟକ୍କର। ଅପରାହ୍ନ ୩ଟାରେ ମାଞ୍ଚେଷ୍ଟର୍‌ ଓଲଡ ଟ୍ରାଫୋର୍ଡରେ ୨୦୧୧ ବିଶ୍ବ ବିଜେତା ଟିମ୍‌ ଇଣ୍ଡିଆ ୨୦୧୫ ବିଶ୍ବକପ୍‌ ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ଦଳକୁ ଭେଟିବ।

ଉଭୟ ଦଳ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଠାରୁ ପରାଜିତ ହୋଇଛି। ଗ୍ରୁପ୍‌ ଷ୍ଟେଜ ମ୍ୟାଚରେ ବର୍ଷା ଯୋଗୁଁ ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହୋଇଯାଇଥିଲା।

ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଟପ୍ ଅର୍ଡର ଚମତ୍କାର ଫର୍ମରେ ଅଛି । ଓପ୍‌ନର ରୋହିତ ଶର୍ମା ଚଳିତ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିଛନ୍ତି। ଅନ୍ୟତମ ଓପ୍‌ନର ଲୋକେଶ ରାହୁଲ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ଫର୍ମର ସୂଚନା ଦେଇଛନ୍ତି। ସେହିପରି କ୍ୟାପ୍‌ଟେନ କୋହଲି ଚଳିତ ବିଶ୍ୱକପ୍‌ରେ ୫ଟି ହାଫ୍ ସେଞ୍ଚୁରି ନିଜ ନାମରେ କରିଛନ୍ତି। ତେଣୁ ତାଙ୍କଠୁ ଆଜିର ମ୍ୟାଚ୍‌ରେ ଏକ ଶତକ ଅପେକ୍ଷାରେ କ୍ରିକେଟ୍‌ପ୍ରେମୀ ଅଛନ୍ତି। ଟିମ୍‌ ଇଣ୍ଡିଆ ମିଡ଼ିଲ ଅର୍ଡ଼ର ଦାୟିତ୍ବ ଯୁବ ଖେଳାଳି ଋିଷଭ ପନ୍ଥ, ଓ୍ବିକେଟକପିର ମହେନ୍ଦ୍ର ସିଂ ଧୋନି ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆଙ୍କ ଉପରେ ରହିଛି।

ଅପରପକ୍ଷେ ନ୍ୟୁଜିଲାଣ୍ଡ ଟିମ୍‌ର କ୍ୟାପଟେନ କେନ୍ ଓ୍ୱିଲିୟମସନ୍ ଭଲ ଫର୍ମରେ ଅଛନ୍ତି। ଅନ୍ୟ ସାଥି ଖେଳାଳି ସେମିତି କିଛି ଆଖି ଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ ବୋଲିଂ ଆଟାକ୍‌ ଯେକୌଣସି ମୁହୁର୍ତ୍ତରେ ଟିମ୍‌ ଇଣ୍ଡିଆକୁ ବ୍ୟାକଫୁଟରେ ଖେଳିବାକୁ ପ୍ରୟାସ କରିବ। ବୋଲିଂ ଦୃଷ୍ଟିରୁ ଦେଖିଲେ ମଧ୍ୟ ଟିମ୍‌ ଇଣ୍ଡିଆର ପଲା ଭାରି ଅଛି। ବିଶ୍ୱକପ୍ ଇତିହାସରେ ଦୁଇ ଟିମ୍ ମଧ୍ୟରେ ହୋଇଥିବା ୮ଟି ମୁକାବିଲାରୁ ନ୍ୟୁଜିଲାଣ୍ଡ ୪ଟି ଜିତିଥିବା ବେଳେ ଭାରତ ୩ଟି ଜିତିଛି ଓ ଗୋଟିଏ ମ୍ୟାଚ୍ ବର୍ଷା ଧୋଇ ନେଇଛି।

ଭାରତୀୟ ଦଳ: ବିରାଟ୍ କୋହଲି (ଅଧିନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ମୟଙ୍କ ଅଗ୍ରୱାଲ୍, ରବୀନ୍ଦ୍ର ଜାଡେଜା, କେଦାର ଯାଦବ।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ୍ ଗପ୍ଟିଲ୍, କଲିନ୍ ମୁନରୋ, ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), ଟମ୍ ବ୍ଲଣ୍ଡେଲ୍, କଲିନ୍ ଡି’ଗ୍ରାଣ୍ଡହୋମ୍, ଜିମ୍ମି ନିଶାମ, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ, ମିଚେଲ୍ ସାଣ୍ଟନର୍, ହେନରୀ ନିକୋଲ୍ସ, ଟିମ୍ ସାଉଦି, ଇଶ୍ ସୋଢୀ।

Comments are closed.