Odisha Link
Bridging the Missing Links in Odisha

ନିଜକୁ ଦଣ୍ଡିତ କଲେ କୋଲକାତା ହାଇକୋର୍ଟ

କୋଲକାତା: ନିଜେ ନିଜକୁ ଦଣ୍ଡ ଦେଇଛନ୍ତି କୋଲକାତା ଉଚ୍ଚ ନ୍ୟାୟାଳୟ। ନିଜ ଭୁଲ ସ୍ବୀକାର କରି ନିଜ ପାଖରେ ତଣ୍ଡ ଠୁଙ୍କିବାକୁ ତିଆର ହାେଇଛନ୍ତି ପଞ୍ଚିମବଙ୍ଗର ସର୍ବୋଚ୍ଚ ନ୍ୟାୟସଂସ୍ଥାନ। ଏକ ମାମଲାରେ ନିଜକୁ ଦୋଷୀ ବୋଲି ଦର୍ଶାଇ କୋର୍ଟ ନିଜ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ଏକ ବିରଳ ଉଦାହରଣ ତିଅ‍ାରି କରିଛନ୍ତି ନ୍ୟାୟାଳୟର ବିଚାରପତି।

ମିଣ୍ଟୁ ମଲ୍ଲିକ ନାମରେ ଜଣେ ରେଳ ବିଚାରପତିଙ୍କୁ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ କରି ୨୦୦୭ରେ ଚାକିରିରୁ ନିଲମ୍ବନ କରାଯାଇଥିଲା। ପରେ ୨୦୧୩ରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଅ‍ାଯାଇଥିଲା। ତେବେ ସେତେବେଳେ ତାଙ୍କୁ ନିରପେକ୍ଷ ନ୍ୟାୟ ଦିଆ ନ ଯିବା ଦର୍ଶାଇ କୋର୍ଟ ନିଜକୁ ଦୋଷୀ ମାନିଛନ୍ତି। ଗତ ସପ୍ତାହରେ ମାମଲାର ଶୁଣାଣି କରି ଏକ ଡିଭିଜନ ବେଞ୍ଚ କୋର୍ଟ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ବସାଇଛନ୍ତି। ଏହା ସହ ମଲ୍ଲିକଙ୍କୁ ତୁରନ୍ତ କାର୍ଯ୍ୟରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଗତ ୧୨ ବର୍ଷରେ ଶ୍ରୀ ମଲ୍ଲିକ ଯେତିକି ଦରମା ପାଇଥାନ୍ତେ ତାହାର ୭୫% ତାଙ୍କୁ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ।

୨୦୦୭ ମେ ୫ରେ ଲୋକାଲ ଟ୍ରେନରେ ଲେକ୍ ଗାର୍ଡେନରୁ ଶିଆଲଦା ଯାଉଥିବା ବେଳେ ସହଯାତ୍ରୀମାନଙ୍କ ଠାରୁ ବିଚାରପତି ମିଣ୍ଟୁ ମଲ୍ଲିକ ଜାଣିବାକୁ ପାଇଲେ ଯେ ଟ୍ରେନଟି ସବୁବେଳେ ବିଳମ୍ବରେ ଚାଲୁଛି, କାରଣ ନୂଆ ଆଲିପୋର୍ ଷ୍ଟେସନରେ ବେଅ‍ାଇନ ସାମଗ୍ରୀ ଓହ୍ଲାଇବା ପାଇଁ ଏହା ଅଟକି ରହୁଛି। ଏ ଘଟଣାର ତଦନ୍ତ କରିବା ତାଙ୍କର ଅଧିକାର ମନେକରି ଶ୍ରୀ ମଲ୍ଲିକ ଚାଳକ କ୍ୟାବିନକୁ ଗଲେ। ଘଟଣା ବାବଦରେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଚାଳକ ଓ ସୁରକ୍ଷାକର୍ମୀଙ୍କୁ ସିଆଲଦା ଷ୍ଟେସନ୍ ଆସି ତାଙ୍କ କୋର୍ଟ ରୁମରେ ମତ ରଖିବାକୁ ନିର୍ଦ୍ଦେଶ ଦେଲେ।

ଏଥିରେ ଉତକ୍ଷୀପ୍ତ ହାେଇ ମୋଟରମେନ୍ ଓ ଡ୍ରାଇଭରମାନେ ତାଙ୍କ ଚ୍ୟାମ୍ବର ଅ‍ାଗରେ ଏକାଠି ହାେଇ ହଙ୍ଗାମା କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ତାଙ୍କ କୋଠରୀ ଭିତର ଭଙ୍ଗାରୁଜା କରିବା ସହ ତାଙ୍କୁ ବହୁ ଘଣ୍ଟା ଧରି ବିନା ପାଣି ଓ ବିଦ୍ୟୁତରେ ଅଟକ ରଖିଥିଲେ। ଏହି ଘଟଣା ଯୋଗ ରେଳ ଚଳାଚଳ ଭୀଷଣ ଭାବେ ବାଧାପ୍ରାପ୍ତ ହେବା ସହ ବିଭାଗ ବହୁ କ୍ଷତି ସହିଥିଲା। ପରେ ଶ୍ରୀ ମଲ୍ଲିକଙ୍କୁ କୋର୍ଟ ନିଲମ୍ବନ କରିଥିଲା। ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଉଚ୍ଚ ନ୍ୟାୟାଳୟ।

କୋର୍ଟର ପ୍ରାଶାସନିକ କମିଟି ଠାରୁ ନିରାଶ ହେବା ପରେ ମଲ୍ଲିକ ରାଜ୍ୟପାଳଙ୍କ ପାଖରେ ଗୁହାରୀ କରିଥିଲେ। କୋର୍ଟର ପରାମର୍ଶ କ୍ରମେ ରାଜ୍ୟପାଳ ତାଙ୍କ ମାଗୁଣି ଶୁଣିନଥିଲେ। ପରେ ତାଙ୍କ ଦ୍ବାରା କରାଯାଇଥିବା ଏକ ରିଟ୍ ପିଟିସନ ମଧ୍ୟ ଏକକ ଜଜ୍ ବେଞ୍ଚ ଦ୍ବାରା କାଟ୍ ଖାଇଥିଲା।

ପରେ ମଲ୍ଲିକ ଡିଭିଜନ ବେଞ୍ଚର ଦ୍ବାରସ୍ଥ ହାେଇଥିଲେ। ନିଜେ ନିଜ ମାମଲାରେ ଲଢ଼େଇ କରିଥିଲେ। ଶେଷରେ ୧୨ ବର୍ଷ ପରେ ନ୍ୟାୟ ପାଇଛନ୍ତି ଓ ପୁଣି ବିଚାରପତି ଆସନକୁ ଫେରିବା ପାଇଁ ଶ୍ରୀ ମଲ୍ଲିକଙ୍କ ପଥ ପରିଷ୍କାର ହୋଇଛି।

Comments are closed.