Odisha Link
Bridging the Missing Links in Odisha

ଶରଧାବାଲିରେ ଗଡ଼ିଲା ରଥ

ପୁରୀ : ନବଦିନ ଯାତ୍ରା ଶେଷକରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀଜିଉ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇ ଯାଇଛି ରଥଟଣା। ଶରଧାବାଲିରେ ଘୋର ଘର୍ଘର ନାଦ କରି ଗଡ଼ି ଚାଲିଛି ତାଳଧ୍ୱଜ ରଥ।ଶରଧାବାଲି ଦିଶୁଛି ଭକ୍ତ ମୟ। ଘଣ୍ଟ, ଘଣ୍ଟା, ହୁଳହୁଳି ଶବ୍ଦରେ ଫାଟିପଡୁଛି ଦାଣ୍ଡ। ଅପୂର୍ବ ଆଗ୍ରହ ଓ ଉତ୍ସାହରେ ତାଳଧ୍ୱଜ ରଥକୁ ଟାଣିଟାଣି ଶ୍ରୀମନ୍ଦିର ଅଭିମୁଖେ ନେଇଯାଉଛନ୍ତି ଶ୍ରଦ୍ଧାଳୁ।
ଆଜି ଭୋର ୪ଟାରୁ ଶ୍ରୀଜିଉଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇ ଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ସେନାପଟା ନୀତି, ୧୧ଟା ୪୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବାପରେ ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବାର କାର୍ଯ୍ୟକ୍ରମ ଥିଲା। । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି କୁହାଯାଇଥିଲା ।
ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତି ସରି ଯାଇଥିଲା। ୪ଟା ବଦଳରେ ସାଢେ ଗୋଟାଏ ପୂର୍ବରୁ ରଥଟଣା ଆରମ୍ଭ ହୋଇ ଯାଇଛି।କଡା ସୁରକ୍ଷା ଓ ପୋଲସ କର୍ଡନ ଭିତରେ ଶ୍ରଦ୍ଧାଳୁ ମାନେ ଭାବବିହ୍ୱଳ ହୋଇ ତାଳଧ୍ୱଜ ରଥକୁ ଟାଣି ଟାଣି ନେଉଛନ୍ତି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ, ସହରର ସବୁ ଗଳିକନ୍ଦିରେ ଓଡ଼ିଶା ପୁଲିସ୍‌ ସହ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।

Comments are closed.