Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍: ବିଶ୍ବ ବିଜେତା ପାଇଁ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର

ଲର୍ଡସ: ଆଜି କ୍ରିକେଟ ବିଶ୍ବକପ୍‌ ୨୦୧୯ର ଫାଇନାଲ ମୁକାବିଲା। ଦୀର୍ଘ ୪୫ ଦିନ ଏବଂ ୪୭ଟି ମ୍ୟାଚ ପରେ ବିଶ୍ବକପ୍‌ ଫାଇନାଲ ମ୍ୟାଚ ଖେଳାଯିବ। ଏହି ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାୁଉଣ୍ଡରେ ଖେଳାଯିବ। ଚଳିତ ବିଶ୍ବକପ୍‌ ଫାଇନାଲରେ କ୍ରିକେଟର ସ୍ରଷ୍ଟା ଇଂଲଣ୍ଡ ଏବଂ ଅଣ୍ଡରଡଗ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୯ ମସିହା ପରେ ପୁଣି ଥରେ ନୂଆ ବିଶ୍ବ ବିଜେତା ଦେଖିବ ସାରା ବିଶ୍ବ। ଏଥର ଫାଇନାଲରେ ଯିଏ ବିଜେତା ହେଉନା କାହିଁକି, କ୍ରିକେଟ୍ ଜଗତକୁ ନୂଆ ବିଶ୍ବବିଜେତା ମିଳିବ। କାରଣ ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତି ନାହାନ୍ତି। ସେହି ଦୃଷ୍ଟିରୁ ରବିବାରର ଫାଇନାଲ୍ ପୂର୍ବର ସବୁ ଫାଇନାଲଠାରୁ ସ୍ବତନ୍ତ୍ର ବୋଲି କୁହାଯାଉଛି। ସେଥିପାଇଁ ଲର୍ଡସରେ ଆଜି ନ୍ୟୁଜିଲାଣ୍ଡ ବୋଲିଂ ଏବଂ ଇଂଲଣ୍ଡ ବ୍ୟାଟିଂ ମଧ୍ୟରେ ଘମାଘୋଟ ଲଢ଼େଇ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।

ଏଥର ଆୟୋଜକ ଇଂଲଣ୍ଡ ୫ ଥରର ବିଶ୍ବବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ସେପଟେ ନ୍ୟୁଜିଲାଣ୍ଡ ଦୁଇ ଥରର ବିଜେତା ଭାରତକୁ ସେମିଫାଇନାଲରେ ହରାଇ ଫାଇନାଲ ମ୍ୟାଚରେ ପ୍ରବେଶ କରିଛି। ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ପରେ ଚତୁର୍ଥ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ ଖେଳିବାର ସୁଯୋଗ ପାଇଛି। ୨୦୧୫ ସଂସ୍କରଣରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିଥିଲା। ହେଲେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ଉଭୟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ ସାରା ବିଶ୍ବକପରେ ଉନ୍ନତ ଖେଳ ପ୍ରଦର୍ଶନ କରିବା ସହିତ ଭଲ ଫର୍ମରେ ଅଛନ୍ତି। ଉଭୟ ଦଳର ବ୍ୟାଟିଂ ଏବଂ ବୋଲିଂରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ଫାଇନାଲ ମୁକାବିଲା ପୂର୍ବରୁ ଚଳିତ ବିଶ୍ବକପର ଲିଗ୍ ପର୍ଯ୍ୟାୟରେ କେନ୍ ୱିଲିୟମସନ୍‌ଙ୍କ ନ୍ୟୁଜିଲାଣ୍ଡକୁ ଇଅନ୍ ମର୍ଗାନଙ୍କ ଇଂଲଣ୍ଡ ଦଳ ଅନାୟାସରେ ହରାଇଥିଲା। ଏଣୁ ଆସନ୍ତାକାଲି ଘରୋଇ ପରିବେଶରେ ଇଂଲଣ୍ଡ ଦଳ ପ୍ରବଳ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ପ୍ରବଳ ସଂଘର୍ଷ ଏବଂ କିଛିଟା ଭାଗ୍ୟ ବଳରେ ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ପାଖରେ ବିଶ୍ବକପ୍ ଜିତିବା ସହ ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିବ। ଉଭୟ ଦେଶ କିନ୍ତୁ ପରସ୍ପର ବିପକ୍ଷରେ ୯୦ଟି ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୪୧ ଏବଂ ନ୍ୟୁଜିଲାଣ୍ଡ ୪୩ ମ୍ୟାଚ୍ ଜିତିଛି। ଦୁଇଟି ମ୍ୟାଚ୍ ଟାଇ ରହିଛି। ୪ଟି ମ୍ୟାଚ୍‌ର ଫଳାଫଳ ମିଳିନି। ବିଶ୍ବକପ ଫଳାଫଳରେ ମଧ୍ୟ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ ଟିକିଏ ଆଗରେ ରହିଛି। ବିଶ୍ବକପରେ ଉଭୟ ଦଳ ପରସ୍ପରକୁ ୯ ଥର ଭେଟିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍ ଜିତିଛି। ଇଂଲଣ୍ଡ ୪ଟିରେ ବିଜୟୀ ହୋଇଛି। ତେବେ ଏସବୁ ପରିସଂଖ୍ୟାନ ଅପେକ୍ଷା ଆସନ୍ତାକାଲି ଫାଇନାଲ ମୁକାବିଲା‌େର ଯେଉଁ ଦଳର ପ୍ରଦର୍ଶନ ଭଲ ରହିବ ସେ ହିଁ ନୂଆ ବିଶ୍ବ ଚାମ୍ପିଅନ୍ ହେବ।

Comments are closed.