Odisha Link
Bridging the Missing Links in Odisha

ନୀଳାଦ୍ରି ବିଜେ: ଆଜି ରସଗୋଲା ଦେଇ ପତ୍ନୀଙ୍କ ମନ ତୋଷିବେ ଜଗନ୍ନାଥ

ପୁରୀ: ହିନ୍ଦୁ ପରମ୍ପରାର ଅନ୍ୟତମ ମହାପର୍ବ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଜି ଅନ୍ତିମ ଦିନ। ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ରଥ ଛାଡ଼ି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଓ ଚକ୍ର ସୁଦର୍ଶନ। ପରମ୍ପରା ଅନୁସାରେ ୧୨ଦିନ ବିଚ୍ଛେଦ କାରଣରୁ ଅଭିମାନ କରିଥିବା ପତ୍ନୀ ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଦେଇ ମାନଭଞ୍ଜନ କରିବେ ଜଗନ୍ନାଥ।

ବିଶ୍ବରେ ଓଡ଼ିଆ ସମାଜ ଆଜିର ଦିନଟିକୁ ରସଗୋଲା ଦିବସ ରୂପେ ପାଳନ କରୁଥିବା ବେଳେ ବଡ଼ଦାଣ୍ଡରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଜି ରସଗୋଲା ଭୋଗ ଲଗାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସାହ।

କେବଳ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ଲଗାଇବା ଭିତରେ ଆଉ ନୀଳାଦ୍ରି ବିଜେ ସୀମିତ ହୋଇ ରହିନାହିଁ। ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଞ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖାଦେବା ପରେ ୨୦୧୫ ମସିହା ଠାରୁ ଏହି ପବିତ୍ର ନୀଳାଦ୍ରି ବିଜେ ଅବସରରେ ପ୍ରତିବର୍ଷ ଓଡ଼ିଆମାନେ ରସଗୋଲା ଦିବସ ପାଳନ କରି ଆସୁଛନ୍ତି। ଏହି ଦିନରେ ବନ୍ଧୁ ପରିଜନଙ୍କ ସହ ରସଗୋଲା ଖାଇବା ସହ ପରସ୍ପରକୁ ଅଭିନନ୍ଦନ ଜଣାଇ ଓଡ଼ିଆମାନେ ବେଶ୍‌ ଉତ୍ସାହର ସହ ଓଡ଼ିଶାର ଏହି ପାରମ୍ପରିକ ମିଠାର ଉତ୍ସବ ପାଳନ କରିଥାଆନ୍ତି। ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗର ଐତିହାସିକ ଓ ନଥିଭିତ୍ତିକ ପ୍ରମାଣ ଦେଇ ଓଡ଼ିଶାରୁ ଏହାର ଉତ୍ପତ୍ତି ବୋଲି ଗବେଷକମାନେ ପ୍ରମାଣ କରି ସାରିଛନ୍ତି।

ଚଳିତ ବର୍ଷ ଜୁଲାଇ ୪ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହିଦିନ ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନ ଛାଡ଼ି ରଥରେ ବିଜେ ହୋଇଥିଲେ। ଶ୍ରୀ ଗୁଣ୍ଡିଚା ମନ୍ଦିରରେ ୯ ଦିନ ରହିବା ପରେ ଜୁଲାଇ ୧୨ ତାରିଖ ବାହୁଡ଼ା ଅବସରରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ରଥାରୁଢ଼ ହୋଇ ରହିଥିଲେ। ୧୩ ତାରିଖରେ ରଥ ଉପରେ ସୁନାବେଶ, ୧୪ରେ ଅଧରପଣା ଲାଗି ହେବା ପରେ ଆଜି ଶ୍ରୀଜୀଉମାନଙ୍କୁ ରସଗୋଲା ଲାଗି ହେବ। ଏହା ପରେ ସେମାନେ ଶ୍ରୀମନ୍ଦିରକୁ ବିଜେ କରିବେ। ଅଭିମାନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରର ଦ୍ବାର ଖୋଲିବେ ନାହିଁ। ତାଙ୍କୁ ତୁଷ୍ଟ କରିବା ପାଇଁ ଜଗନ୍ନାଥ ସ୍ବାଦିଷ୍ଟ ରସଗୋଲା ଦେଇ ପତ୍ନୀଙ୍କର ମନ ମୋହିବେ।

Comments are closed.