Odisha Link
Bridging the Missing Links in Odisha

ଅନୁକମ୍ପା ରାଜନୀତି, ଅଲୋଡ଼ା ନେତ୍ରୀ

ବାହାଘର ପରେ ବେଦି ମୁହଁ ପୋଡ଼ା ନ୍ୟାୟରେ ଯାହାଙ୍କୁ ଆୟୁଧ କରି ବିଜୁ ଜନତା ଦଳ (ବିଜେଡି) ମତଦାତାଙ୍କ ଅନୁକମ୍ପା ହାସଲରେ ସଫଳ ହୋଇଛି, ପରବର୍ତ୍ତୀ ସମୟରେ ତାଙ୍କୁ ହିଁ ଦଳୀୟ ରାଜନୀତିରେ ଅଣଦେଖା କରିଛି। ବିଜେଡି ଗଠନ ଦିନ ଠାରୁ ଏଯାବତ୍‌ ଏଭଳି ୪ ଗୋଟି ଉଦାହରଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ବିଜେଡିର ଅନୁକମ୍ପା ରାଜନୀତି ପଞ୍ଚମ ଥର ପାଇଁ ପୁଣି ଜୀବନ୍ୟାସ ପାଇଛି।

ଆଉ ମାତ୍ର ଚାରିଦିନ ପରେ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ, ରାଜ୍ୟର ସମସ୍ତ ରାଜନୈତିକ ଶକ୍ତି ଏବେ କେନ୍ଦ୍ରାପଡ଼ାରେ କେନ୍ଦ୍ରୀଭୂତ ହୋଇଛି। ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ବିଜୁ ଜନତା ଦଳର ପାଟକୁରା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ନିର୍ବାଚନ ଆୟୁକ୍ତ ଏଠାରେ ନିର୍ବାଚନ ସ୍ଥଗିତ ରଖିଥିଲେ। ଚଳିତ ଜୁଲାଇ ୨୦ ତାରିଖରେ ଏଠାରେ ଭୋଟଗ୍ରହଣ ହେବାକୁ ଯାଉଛି। ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ଏକଦା ବିଜୁଙ୍କ ସବୁଠୁ ଘନିଷ୍ଠ ଭାବେ ଜଣାଶୁଣା ବିଜୟ ମହାପାତ୍ର ଏଥର ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ପାଟକୁରା ରଣାଙ୍ଗନକୁ ଓହ୍ଲାଇଛନ୍ତି। ପ୍ରାୟ ୨ ଦଶନ୍ଧି ଧରି ନିରନ୍ତର ପରାଜୟ ବରଣ କରି ଆସିଥିବା ବିଜୟ ଏଥର ବିଜୟ ପାଇଁ ସ୍ବାଭିମାନକୁ ଢାଲ କରିଛନ୍ତି। ଅନ୍ୟପଟେ ବିଜେଡ଼ି ପୁଣି ଅନୁକମ୍ପା ଅସ୍ତ୍ର ନେଇ ମତଦାତାଙ୍କ ମନ ଜିଣିବାକୁ ଉଦ୍ୟମ ଆରମ୍ଭ କରିଛି। ଦିବଂଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଛି ଶଙ୍ଖ ଦଳ। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଫଳତା ଓ ପ୍ରାର୍ଥୀଙ୍କ ପାଇଁ ଅନୁକମ୍ପାମୂଳକ ପରିବେଶରୁ ଫାଇଦା ନେବା ପାଇଁ ଦଳ ସବୁ ବଳ ଖଟାଇ ଉଦ୍ୟମ ଜାରି ରଖିଛି।

ତେବେ ବିଜେଡି ଏଯାବତ୍‌ ଅନୁକମ୍ପା ଖେଳରେ କେବେ ହାରିନାହିଁ। ନୟାଗଡ଼ ଜିଲ୍ଲାର ଭୋଟରଙ୍କ ଠାରୁ ସର୍ବାଧିକ ଅନୁକମ୍ପା ଭୋଟ ପାଇଛି ବିଜେଡି। କିନ୍ତୁ ଯାହାକୁ ଢାଲ କରି ଦଳ ମୁଣ୍ଡ ସଳଖିଛି ତାଙ୍କ ଉପରେ ପହିଲେ ଦାଉ ସାଧିଛି। ଏ ପରମ୍ପରାରେ ୨୦ ବର୍ଷ ଭିତରେ ୪ ଜଣ ବଳି ପଡ଼ିଥିବା ବେଳେ ପାଟକୁରାରେ ସେଭଳି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

୨୦୦୦ ସାଧାରଣ ନିର୍ବାଚନରେ ବିଜେଡି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଦିବଙ୍ଗତ ବିଧାୟକ ଅରୁଣ ପଟ୍ଟନାୟକଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ୨୦୦୪ରେ ବିଜୟଲକ୍ଷ୍ମୀଙ୍କୁ ଦଳ ଟିକେଟ ଦେଇ ନଥିଲା। ତେବେ ବିଜୟଲକ୍ଷ୍ମୀ ସ୍ବାଧୀନ ଭାବେ ଲଢ଼ି ବିଜେଡି ପ୍ରାର୍ଥୀଙ୍କୁ ଧୂଳି ଚଟାଇଥିଲେ। ଏହା ସତ୍ତ୍ବେ ୨୦୦୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜୟଲକ୍ଷ୍ମୀଙ୍କୁ ବିଜେଡି ଟିକେଟ ମିଳିଲାନାହିଁ। ବିଜେଡିରେ ଅନୁକମ୍ପା ରାଜନୀତିର ପ୍ରଥମ ଶିକାର ହେଲେ ବିଜୟଲକ୍ଷ୍ମୀ। ତାଙ୍କ ରାଜନୈତିକ ପତିଆରା ସମ୍ପୂର୍ଣ୍ଣ ଉଭେଇଯିବାକୁ ବସିଥିବା ବେଳେ ୧୦ ବର୍ଷର ବ୍ୟବଧାନ ପରେ ତାଙ୍କ ପୁଅ ଅନୁଭବଙ୍କୁ ଦଳ ୨୦୧୪ ନିର୍ବାଚନରେ ଖଣ୍ଡପଡ଼ାରୁ ପ୍ରାର୍ଥୀ କରିଥିଲା। ୨୦୧୯ ବେଳକୁ ପୁଣି ନୂଆ ଚେହେରା ଦେଖିଲା ଖଣ୍ଡପଡ଼ା।

ଅନୁରୂପ ଭାବେ ୨୦୦୨ ମସିହାରେ ତତକାଳୀନ ନୟାଗଡ଼ ବିଧାୟକ ଭାଗବତ ବେହେରାଙ୍କ ମୃତ୍ୟୁ ପରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିଲେ। ଦଳରେ ନୂଆ ନେତା-କର୍ମୀଙ୍କର ଅଭାବ ଥିବା ବେଳେ ଏ ଅଭାବର ଫାଇଦା ନେବାକୁ କଂଗ୍ରେସ ଦଳ ଟାକି ବସିଥିଲା। ଭାଗବତ ବେହେରା ୫ ଥର ବିଜୟୀ ହୋଇଥିଲେ ହେଁ, ତାଙ୍କ ପରିବାରର କେହି କେବେ ରାଜନୀତିରେ ନ ଥିଲେ। ଠିକ ଏତିକି ବେଳେ ଭାଗବତ ବେହେରାଙ୍କ ପତ୍ନୀ ମନ୍ଦାକିନୀ ବେହେରାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ଦଳ ଭିତରୁ ବରିଷ୍ଠ ନେତାଙ୍କ ବିରୋଧ ସତ୍ତ୍ବେ ମନ୍ଦାକିନୀ ପ୍ରାର୍ଥୀ ହୋଇଥିଲେ। ସ୍ଥାନୀୟ ବିଜେଡି ସଙ୍ଗଠନ ଦୁର୍ବଳ ହୋଇ ଯାଇଥିଲା, ଏଣେ ରାଜନୀତିରେ ଅନଭିଜ୍ଞ ମନ୍ଦାକିନୀ ମଧ୍ୟ ପ୍ରଚାରରେ ପଛରେ ପଡ଼ିଯାଇଥିଲେ। ଶେଷରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନ ନୟାଗଡ଼ରେ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ। ମନ୍ଦାକିନୀ ନିଜର ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ରଙ୍କ ଠାରୁ ୧୪୭୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ତେବେ ଦୁଇବର୍ଷ ପରେ ୨୦୦୪ ସାଧାରଣ ନିର୍ବାଚନରେ ନୟାଗଡ଼ରୁ ଆଉ ମନ୍ଦାକିନୀଙ୍କୁ ପ୍ରାର୍ଥୀ କରି ନ ଥିଲା ବିଜେଡି। ତାଙ୍କ ସ୍ଥାନ ନେଇଥିଲେ ନବାଗତ ଯୁବନେତା ଅରୁଣ କୁମାର ସାହୁ। ସେବେଠାରୁ ନୟାଗଡ଼ ଅରୁଣଙ୍କ ଦୁର୍ଗ ପାଲଟିଯାଇଛି। ସେ ଏଠାରୁ ୪ ଥର ଲଗାତର ବିଜୟୀ ହେଲେଣି।

ପୁଣି ସେହି ନୟାଗଡ଼ ଜିଲ୍ଲାରେ ତୃତୀୟ ଅନୁକମ୍ପା କାର୍ଡ ଖେଳିଥିଲା ବିଜେଡି। ନୟାଗଡ଼ରେ କଂଗ୍ରେସର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କୁ ଦଳକୁ ଆଣି ୨୦୧୪ରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ବିଜେଡି। ହେମେନ୍ଦ୍ର ବିଜୟୀ ହୋଇଥିଲେ ହେଁ ଏ ବିଜୟକୁ ସେ ବେଶିଦିନ ଭୋଗ କରିପାରି ନ ଥିଲେ। ମାତ୍ର ୪ ମାସ ପରେ ତାଙ୍କର ଅକାଳ ବିୟୋଗ ହୋଇଥିଲା। ୨୦୧୪ ଅକ୍ଟୋବରରେ କନ୍ଧମାଳ ଉପନିର୍ବାଚନରେ ବିଜେଡି ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ପ୍ରାର୍ଥୀ କଲା। ତେବେ ନୟାଗଡ଼ର ପୂର୍ବ ଦୁଇ ନେତ୍ରୀଙ୍କ ଭଳି ୨୦୧୯ ବେଳକୁ ପ୍ରତ୍ୟୁଷା ବି ଦଳ ପାଇଁ ଅଲୋଡ଼ା ହୋଇପଡ଼ିଲେ। ନିଜର ରାଜନୈତିକ ପତନ ପଛରେ ନୟାଗଡ଼ର ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କୁ ଦାୟୀ କରି ପ୍ରତ୍ୟୁଷା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ ଓ ଅରୁଣଙ୍କ ବିରୋଧରେ ପ୍ରଚାର କରିଥିଲେ। ତଥାପି ଅରୁଣ ଗଡ଼ ବଜାୟ ରଖିବା ସହ ସେପଟେ କନ୍ଧମାଳରେ ବିଜେପି ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ବିଜୟୀ ହୋଇଥିଲେ।

ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ ଫେବ୍ରୁଆରୀରେ ସେଠାରେ ଉପ ନିର୍ବାଚନ ହୋଇଥିଲା। କଂଗ୍ରେସ ନିଜର ପ୍ରାର୍ଥୀ ସ୍ଥିର କରିବା ଆଗରୁ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳକୁ ଆଣି ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ରୀତା ବିପୁଳ ଭୋଟରୋ ବିଜୟୀ ହେଲେ। ତେବେ ମାତ୍ର ଗୋଟିଏ ବର୍ଷ ପରେ ସେଠାରେ ରୀତାଙ୍କର ତେଜ ନିଷ୍ପ୍ରଭ ହୋଇଗଲା। ଦଳ ସୁପ୍ରିମୋ ସ୍ବୟଂ ନବୀନ ପଟ୍ଟନାୟକ ସେଠାରୁ ପ୍ରାର୍ଥୀ ହୋଇ ବିଜୟୀ ହେଲେ। ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିବା ବେଳେ ଆଗକୁ ହେବାକୁ ଥିବା ଉପ ନିର୍ବାଚନରେ କିଏ ସେଠାରୁ ପ୍ରାର୍ଥୀ ହେବ, ଏବେ ତାହା ସମସ୍ତଙ୍କ ନଜରରେ।

କେବଳ ଅନୁକମ୍ପା ଭୋଟ ହାତେଇବା ଲକ୍ଷ୍ୟରେ ଉପରୋକ୍ତ ୪ ଜଣ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍‌ ଦେଇଥିଲା କହିଲେ ଅତିଶୟୋକ୍ତି ହେବନାହିଁ। ଏବେ ସମାନ ସ୍ଥିତିର ପୁନରାବୃତ୍ତି ହେବାକୁ ଯାଉଛି ପାଟକୁରାରେ। ଦଳର ପଞ୍ଚମ ମୋହରା ଭାବେ ସାବିତ୍ରୀ ଅଗ୍ରଓ୍ବାଲ ଏଠାରେ ଅନୁକମ୍ପା ହାସଲ ପାଇଁ କସରତ ଚଳାଇଛନ୍ତି। ଯଦି ସେ ବିଜୟୀ ହୁଅନ୍ତି ବିଜେଡି ଇତିହାସକୁ ଯେ ପୁଣି ଦୋହରାଇବ, ଏ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଯଦି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜୟୀ ହୁଅନ୍ତି, ଏହା ବିଜେଡି ଦଳ ପାଇଁ ଏକ ଶକ୍ତ ଧକ୍କା ହେବା ସହ ଅନୁକମ୍ପା ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିବ।

Comments are closed.