Odisha Link
Bridging the Missing Links in Odisha

ପୁଲିସ୍ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ଆହତ

ଜୟପୁର : ଜୟପୁର ଟାଉନ ଥାନା ଅନ୍ତର୍ଗତ ହାତୀଶାଳ ଛକରେ ପୁଲିସ୍‌ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାବୁଲ୍‌ ଖରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୪ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା।କାବୁଲ୍‌ ନିକଟରୁ ଗୋଟିଏ ପିସ୍ତଲ ଓ କାର୍‌ ଜବତ କରାଯାଇଛି। ତା’ ନାଁରେ ଜୟପୁର ଟାଉନ, ଜୟପୁର ସଦର, ବୋରିଗୁମ୍ମା ଓ ନବରଙ୍ଗପୁର ଥାନାରେ ମାମଲା ରହିଛି। ସେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ମଧ୍ୟ କରୁଥିଲା ବୋଲି ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, କାବୁଲ୍‌ ହାତୀଶାଳ ଛକରେ ଥିବା ନେଇ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରିଥିଲା। ତେବେ କାବୁଲ୍‌ ପୁଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ପ୍ରୟାସ କରିଥିଲା। ଏହାର ଜବାବରେ ପୁଲିସ୍ ତା’ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ କାବୁଲ୍‌ ଆହତ ହୋଇଥିଲା।

Comments are closed.