Odisha Link
Bridging the Missing Links in Odisha

ଫେସବୁକରେ ଅଶାଳୀନ ମନ୍ତବ୍ୟ, ପୁଲିସରେ ଅଭିଯୋଗ କଲେ ଲେଖାଶ୍ରୀ

ଭୁବନେଶ୍ବର: ଫେସବୁକ ମେସେଞ୍ଜରରେ ଜଣେ ବ୍ୟକ୍ତି ତାଙ୍କୁ ଅଶାଳୀନ ମନ୍ତବ୍ୟ ଲେଖିଛନ୍ତି ବୋଲି ଦର୍ଶାଇ ପୁଲିସରେ ଅଭିଯୋଗ କରିଛନ୍ତିି ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏ ନେଇ ସେ ଓଡ଼ିଶା ପୁଲିସର କ୍ରାଇମ୍‌ ବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି।

ଲେଖାଶ୍ରୀଙ୍କର ଫେସବୁକରେ ଏକ ଭେରିଫାଏଡ୍ ପେଜ୍‌ ରହିଛି। ଅଭିଯୋଗ ଅନୁସାରେ ସିଦ୍ଧାର୍ଥ ଶଙ୍କର ନାୟକ ନାମରେ ଜଣେ ବ୍ୟକ୍ତି ଲେଖାଶ୍ରୀଙ୍କ ଫେସବୁକରେ ପେଜ୍‌ ମେସେଞ୍ଜରରେ ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରି ଦୁଇଟି ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ମନ୍ତବ୍ୟ ୧୦ ଏପ୍ରିଲ ୨୦୧୯ରେ ଆସିଥିବା ବେଳେ ଦ୍ବିତୀୟଟି ଆଜି (୧୭ ଜୁଲାଇ ୨୦୧୯) ଆସିଛି। ମନ୍ତବ୍ୟର ସ୍କ୍ରିନସଟ୍‌ ପୁଲିସରେ ଦାଖଲ କରିବା ସହ ନିଜର ସୋସିଆଲ ମିଡିଆରେ ମଧ୍ୟ ଏ ବାଦରେ ଜଣାଇଛନ୍ତି ଲେଖାଶ୍ରୀ।

ସ୍କ୍ରିନସଟରୁ ଯାହା ଜଣାପଡ଼ୁଛି, ଗୋଟିଏ ମନ୍ତବ୍ୟରେ (୧୦ ଏପ୍ରିଲ ୨୦୧୯) ସିଦ୍ଧାର୍ଥ ନାମକ ବ୍ୟକ୍ତି ଲେଖାଶ୍ରୀ ଓ ଦାମୋଦର ରାଉତଙ୍କୁ ନେଇ ଆପତ୍ତିଜନକ କଥା ଲେଖିଥିବା ବେଳେ ଅନ୍ୟ ମନ୍ତବ୍ୟରେ (୧୭ ଜୁଲାଇ ୨୦୧୯) ଲେଖାଶ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଦରେ ମଧ୍ୟ ଅପଶବ୍ଦ ପ୍ରୟୋଗ କରିଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢ଼ିଚାଲିଛି ଓ ସିଦ୍ଧାର୍ଥଙ୍କର ଏ ମେସେଜ୍‌ ଏହାର ଏକ ନମୁନା ମାତ୍ର ବୋଲି କହିଛନ୍ତି ଲେଖାଶ୍ରୀ।

ଅଭିଯୁକ୍ତଙ୍କ ଫେସବୁକ ଆକାଉଣ୍ଟରୁ ଜଣାଯାଉଛି ସେ ବିଜେଡି ନେତା ଦେବାଶିଷ ନାୟକ, ଅଶୋକ ବଳ ଆଦିଙ୍କ ବନ୍ଧୁ। ଶାସକ ଦଳରେ ସିଦ୍ଧାର୍ଥର କ୍ଷମତାଶଳୀ ବନ୍ଧୁ ଥିବାରୁ ଏଭଳି ଅପଶବ୍ଦ ଲେଖିବାକୁ ସାହାସ କଲେ ବୋଲି ଲେଖାଶ୍ରୀ ସୋସିଆଲ ମିଡିଆରେ ଅଭିଯୋଗ ବାଢ଼ିଛନ୍ତି। ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଲେଖାଶ୍ରୀ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଓ ସାଇବର ପୁଲିସ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି।

Comments are closed.